ଏଯାଏଁ ଉଠିନି ଅଳିଆ: ବାତ୍ୟା ବର୍ଜ୍ୟ ଆଣିବ ବନ୍ୟା!

ଭୁବନେଶ୍ବର: ମୌସୁମୀ ପବନ ‌ବହିଲେ, ରାଜଧାନୀବାସୀଙ୍କ ଛାତିରେ ଛନକା ପଶିଯାଏ। ବର୍ଷା ବେଳେ ସ୍ମାର୍ଟ ସିଟିରେ କୃତ୍ରିମ ବନ୍ୟାକୁ ଯିଏ ଅଙ୍ଗେ ନିଭେଇଛି, ମୌସୁମୀ ଆସିଲେ ସେ ଚିନ୍ତାରେ ପଡ଼ିବା ସ୍ବାଭାବିକ। ସେଥିରେ ପୁଣି ଫନିର ଫୁତ୍‌କାର ଗଛପତ୍ର, କାନ୍ଥବାଡ଼ ଭାଙ୍ଗି ଦେଇ ରାଜଧାନୀରେ ବର୍ଜ୍ୟର ପାହାଡ଼ ଛିଡ଼ା କରିଛି। ସହରର ଗଳିକନ୍ଦିରେ ଥିବା ନାଳମାନଙ୍କରେ ଏହି ବର୍ଜ୍ୟବସ୍ତୁ ଜମି ରହିଥିବାରୁ ନାଳ ଯେ ଚୋକ୍‌ ହେବ ତାହା ଜଳଜଳ ଦିଶିଲାଣି। ରଜ ବେଳକୁ ମୌସୁମୀ ଆସିବାର ସମ୍ଭାବନା ରହିଛି। ହାତରେ କମ୍‌ ସମୟ। ଏଣେ ସହରର ଗଳିକନ୍ଦିରୁ ବାତ୍ୟା ବର୍ଜ୍ୟ ଉଠିନଥିବା ବେଳେ ନାଳରେ ପଡ଼ି ରହିଥିବା ବର୍ଜ୍ୟ ମୌସୁମୀ ପୂର୍ବରୁ ଉଠିପାରିବ ନା ନାହିଁ ତାହା ଏବେ ପ୍ରଶ୍ନବାଚୀ। କେବଳ ସେତିକି ନୁହେଁ, କେଉଁଠି ନାଳରେ ଗଛ ମାଡ଼ିଗଲାଣି ତ କେଉଁଠି ନାଳମୁହଁ ବାଲିରେ ଜାମ୍‌ ହୋଇଗଲାଣି। ଆଉ କେଉଁଠି ନାଳର କାନ୍ଥ ଧସି ଯାଇ ନାଳ ଚୋକ୍‌ ହୋଇଯାଇଛି। ମାତ୍ର ବାତ୍ୟା ପରେ ନାଳ ଖୋଳା ଯାଇନାହିଁ। ତେଣୁ ଆସନ୍ନ କୃତ୍ରିମ ବନ୍ୟା ପ୍ରଶାସନକୁ ପରବର୍ତୀ ସମୟରେ ଅଡ଼ୁଆରେ ପକାଇପାରେ।

ସଂପ୍ରତି ରାଜଧାନୀରେ ୧୦ଟି ପ୍ରାକୃତିକ ଡ୍ରେନେଜ୍‌ ଚ୍ୟାନେଲ୍‌ ସହ ୬୭ଟି ୱାର୍ଡରେ ୪୦୦ରୁ ଅଧିକ ନାଳ ରହିଛି। ବଡ଼ ପ୍ରାକୃତିକ ଚ୍ୟାନେଲ୍‌ଗୁଡ଼ିକ ମେସିନ୍‌ ଲଗାଇ ଏବଂ ଛୋଟ ନାଳଗୁଡ଼ିକ ଶ୍ରମିକ ଲଗାଇ ସଫା କରାଯାଏ। ବାତ୍ୟା ପୂର୍ବରୁ ଏଥର ବି କିଛି ଛୋଟ ନାଳ ଖୋଳା ଆରମ୍ଭ‌ ହୋଇଥିଲା। ମାତ୍ର ଖୋଳା ଯାଇଥିବା ନାଳ ବାତ୍ୟା ବିତ୍ପତି ପରେ ପୁଣି ବର୍ଜ୍ୟରେ ପୋତି ହୋଇଯାଇଛି। ୪ ନମ୍ବର ଚ୍ୟାନେଲ୍‌ ପ୍ରତିବର୍ଷ ବର୍ଷା ସମୟରେ ଚୋକ୍‌ ହୋଇଯାଉଥିବା ବେଳେ ଆଚାର୍ଯ୍ୟ ବିହାର ଓ ଜୟଦେବ ବିହାର ଜଳାର୍ଣ୍ଣବ ହେବା ସହରବାସୀ ଅଙ୍ଗେ ନିଭାନ୍ତି। ସେହିପରି ୫ ନମ୍ବର ଡ୍ରେନ୍ ‌ଚ୍ୟାନେଲ୍‌କୁ ସଂଲଗ୍ନ ଥିବା କଟକ ରୋଡ୍‌ ଏବଂ ୧୦ ନମ୍ବର ଚ୍ୟାନେଲ୍‌ ମଧ୍ୟ ଚୋକ୍‌ ହୋଇଯିବାରୁ ବମିଖାଲସ୍ଥିତ ସନ୍ତୋଷୀ ମନ୍ଦିର ନିକଟରେ ନାଳ ଉପରେ ପାଣି ଚାଲେ। ଏଣେ ଗଙ୍ଗୁଆ ନାଳକୁ ବହୁ ନାଳ ସଂଯୋଗ ହୋଇଥିବାରୁ ବେସିନ୍‌ଗୁଡ଼ିକ ଜାମ୍‌ ହୋଇଯାଏ। ତେବେ ସହରର ସବୁଠୁ ବଡ଼ ଦୁଃଖ ହେଉଛି ନୂଆପଲ୍ଲୀ ଇସ୍କନ୍‌ ମନ୍ଦିର ସମ୍ମୁଖ। ବର୍ଷା ହେଲେ ଏ ଅଞ୍ଚଳରେ ବନ୍ୟା ପାଣିର ସ୍ତର ଦେଖିବାକୁ ଓଭରବ୍ରିଜ୍‌ ଉପରେ ଭିଡ଼ ଜମେ। ନାଳ ଚୋକ୍‌ ହୋଇଯିବା ଓ ବ୍ଲକ୍‌ ହୋଇଯିବା କାରଣରୁ ପାଣି ନିଷ୍କାସନ ପାଇଁ ଦୀର୍ଘ ସମୟ ଲାଗି ଯାଉଥିବାରୁ ସ୍ଥିତି ସଂଗିନ ହୋଇଯାଏ। ଅନ୍ୟପକ୍ଷରେ ଅକ୍ଟୋବରରୁ ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ରୋକ୍‌ ଲାଗିଥିଲେ ହେଁ ନାଳଗୁଡ଼ିକ ପ୍ଲାଷ୍ଟିକ୍‌ରେ ଭରି ରହିଥିବା ଦେଖିବାକୁ ମିଳିଛି। ଅଧିକାଂଶ ଗଳି ସ୍ଥାନରେ ନାଳ ଶୁଖି ଯାଇଥିବା ବେଳେ ବାତ୍ୟା ପୂର୍ବରୁ ଅତଡ଼ା ଖସି ପୋତି ହୋଇଯାଇଛି। ସାମାନ୍ୟ ସନ୍ତସନ୍ତିଆ ଥିବା ନାଳଗୁଡ଼ିକରେ ଗଛଲତା ମାଡ଼ି ଯାଇଛି। କିଛି ନାଳରେ ବଡ଼ବଡ଼ ଗଛ ଚରି ଯାଇଛି। ପୁଣି ମୁଖ୍ୟ ରାସ୍ତାକୁ ସଂଲଗ୍ନ ଥିବା ନାଳକୁ ଯେଉଁ ଛୋଟ ନାଳି ପ୍ରବେଶପଥ ସଂଯୋଗ ଅଛି, ସେଗୁଡ଼ିକ ମଧ୍ୟ ବାତ୍ୟା ବର୍ଜ୍ୟରେ ପୋତି ହୋଇଯାଇଛି। ଫଳରେ ବର୍ଷା ପାଣି ମୁଖ୍ୟ ରାସ୍ତାରୁ ନାଳକୁ ଯିବାରେ ବାଧା ସୃଷ୍ଟି ହେବା ଆଶଙ୍କା ରହିଛି। ଅନେକ ସ୍ଥାନରେ ରାସ୍ତା ଉପରେ ଏବେ ବି ସବୁଜ ବର୍ଜ୍ୟ ଜମା ହୋଇ ରହିଛି। ସେଗୁଡ଼ିକ ଶୁଖି ଯାଇଥିବାରୁ ସାପ ରହିବାର ଆଶଙ୍କା ଏବଂ ବର୍ଷା ପାଣି ପଡ଼ିଲେ ପଚି ମଶାଙ୍କ ପ୍ରାଦୁର୍ଭାବ ବଢ଼ାଇବା ଭୟରେ ଅନେକ ସେଗୁଡ଼ିକୁ ପୋଡ଼ି ଦେଉଥିବା ଦେଖିବାକୁ ମିଳୁଛି।

ବିଶେଷକରି ଏକାମ୍ର କାନନ, ଜୟଦେବ ବିହାର, ଗଜପତି ନଗର, ସୈନିକ ସ୍କୁଲ୍‌, ବାଣୀବିହାର, ମଞ୍ଚେଶ୍ବର ପଶ୍ଚିମ, ଆଚାର୍ଯ୍ୟ ବିହାର, ଇସ୍କନ୍‌ ମନ୍ଦିର ଅଞ୍ଚଳ, ଆଇଗିଣିଆ, ଗଣ୍ଡମୁଣ୍ଡା, ପୋଖରୀପୁଟ ଅଞ୍ଚଳ ଦେଇ ପ୍ରାକୃତିକ ନାଳ ଅତିକ୍ରମ କରିଛି। ତେବେ ଅବରୋଧ ଯୋଗୁଁ ନାଳଗୁଡ଼ିକ ସଂକୀର୍ଣ୍ଣ ହୋଇଯାଇଥିବା ବେଳେ ଏଥର ବି ଏହି ନାଳ ପାଇଁ ସମ୍ପୃକ୍ତ ଅଞ୍ଚଳବାସୀଙ୍କୁ ବର୍ଷା ବେଳେ କଲବଲ ହେବାକୁ ପଡ଼ି‌ବ ବୋଲି ସ୍ପଷ୍ଟ ଜଣାପଡ଼ିଲାଣି। କିଛି ବର୍ଷ ତଳେ ଭୁବନେଶ୍ବର-କଟକ ଦ୍ବୈତ ନଗରୀକୁ ଦୃଷ୍ଟିରେ ରଖି ଆଇଆଇଟି ଖଡ଼ଗପୁରକୁ କମ୍ପ୍ରିହେନ୍‌ସିଭ୍‌ ଡେଭଲପ୍‌ମେଣ୍ଟ୍‌ ପ୍ଲାନ୍‌ (ସିଡିପି) ପ୍ରସ୍ତୁତ କରିବାକୁ ଓଡ଼ିଶା ସରକାର ଦାୟିତ୍ବ ଦେଇଥିଲେ। ସିଡିପିରେ ଜମିର ବ୍ୟବହାର, ସ୍ବେରେଜ୍‌ ବ୍ୟବସ୍ଥା ଏବଂ ସଲିଡ୍‌ ୱେଷ୍ଟ୍‌ ମ୍ୟାନେଜ୍‌ମେଣ୍ଟ୍‌ ଉପରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ସହରରେ ଘର ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଉଥିବା ବେଳେ ପାଣି ବୋହିଯିବା ପାଇଁ ରାସ୍ତା ନାହିଁ। ଯେଉଁ ପ୍ରାକୃତିକ ଡ୍ରେନେଜ୍‌ ଚ୍ୟାନେଲ୍‌ ଅଛି ତାହା ବି ବର୍ଷା ଜଳ ନିଷ୍କାସନ ପାଇଁ ଯଥେଷ୍ଟ ହେଉନାହିଁ। ନାଳ ସଫା କରିବା ଯେତେ ଡେରି ହେବ, ବର୍ଷା ହେଲେ ସମସ୍ୟା ସେତେ ଗମ୍ଭୀର ହେବ ବୋଲି ଜଣେ ପୂର୍ବତନ କର୍ପୋରେଟର କହିଛନ୍ତି।

ସମ୍ବନ୍ଧିତ ଖବର