ପଥୋତ୍ସବ…ଏଥର ସବୁ ରବିବାର

ଲୋକାରଣ୍ୟ ହୋଇଥିଲା ଜନପଥ। ରାସ୍ତାକୁ କେଉଁଠି କବ୍‌ଜା କରିଥିଲେ କଳାକାର ତ’ କେଉଁଠି ତିଆରି ହୋଇଥିଲା ଫୁଟବଲ୍‌ ଫିଲ୍ଡ। ଆଉ କେଉଁଠି ‘ମୋ ସାଇକେଲ୍‌’ରେ ଚାଲିଥିଲା ରେସିଂ ପ୍ରତିଯୋଗିତା। ଯୋଗ, ପ୍ରାଣାୟାମ ସାଙ୍ଗକୁ ନୂଆ ପୁରୁଣା ଗୀତ ତାଳରେ କେଉଁଠି ପାଦରେ ମିଶୁଥିଲା ପାଦ। ତା’ ସହିତ ପରିବେଶ, ସଡ଼କ ଓ ଶିଶୁ କନ୍ୟା ସୁରକ୍ଷାର ବାର୍ତ୍ତା। ତେବେ ବେଶି ଭିଡ଼ ଜମିଥିଲା ମୁଖ୍ୟ ମଞ୍ଚ କଡ଼ରେ। ଶୀତୁଆ ସକାଳର କୋହଲା ପାଗରେ ଉଷ୍ମତା ଭରୁଥିଲା ‘ସାରେଗାମାପା ଲିଟିଲ ଚାମ୍ପ୍ସ’ କ୍ରେଜ୍‌ ବର୍ଣ୍ଣାଳି ହୋତାଙ୍କ ଗୀତ। ତା’ ସହିତ ମଝିରେ ମଝିରେ ପଞ୍ଜାବୀ ଭାଙ୍ଗ୍‌ଡ଼ା ସମସ୍ତଙ୍କୁ ନଚାଇଥିଲା। ଅବସର ଥିଲା ଭୁବନେଶ୍ବର ପଥୋତ୍ସବ। ବର୍ଣ୍ଣାଳିଙ୍କ ସହ ମୁଖ୍ୟ ମଞ୍ଚରେ ରାହୁଲ, ରାଜ୍‌, ତନୁଶ୍ରୀ, ବିନୟାନନ୍ଦ, ସ୍ବାତୀ ପ୍ରଜ୍ଞା, ଅଜୟ ଡ୍ୟାନ୍‌ସ୍‌ ଗ୍ରୁପ୍‌ ପ୍ରମୁଖଙ୍କ ପରିବେଷଣ ମନ ମୋହିଥିଲା।

ଭୁବନେଶ୍ବର ଖୁସି ଖବର। ମାତ୍ର ତିନୋଟି ରବିବାର ପଥୋତ୍ସବ ହେବା ପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଥିଲା ସେଥିରେ ପରିବର୍ତ୍ତନ ହୋଇଛି। ଏଣିକି ପ୍ରତି ରବିବାର ପଥୋତ୍ସବ ଅନୁଷ୍ଠିତ ହେବ। ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ପଥୋତ୍ସବ ବନ୍ଦ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା। ଆଜି ପଥୋତ୍ସବକୁ ଉଦ୍‌ଘାଟନ କରିବା ଅବସରରେ ସେ ଏହି ଘୋଷଣା କରିଛନ୍ତି। ଏଥିପାଇଁ ସେ ବିଏମ୍‌ସି ଓ ବିଡିଏକୁ ସମର୍ଥନ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି। ତାଙ୍କ ସହିତ ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ. ଶାନ୍ତି ଓ ବିଏସ୍‌ଏଫ୍‌ ଆଇଜି ଅଶ୍ବିନୀ କୁମାର ସିଂହ, ନୋଡାଲ ଅଫିସର ଭବାନୀ ଶଙ୍କର ପ୍ରମୁଖ ଯୋଗଦେଇ ଏହି ଘୋଷଣାକୁ ସ୍ବାଗତ କରିଛନ୍ତି।

ଦେଶପ୍ରେମର ଝଲକ୍‌
୧୯୭୧ ମସିହା ପାକିସ୍ତାନ ସେନାକୁ ଭାରତ ପରାସ୍ତ କରିଥିବାରୁ ଆଜିର ଦିନକୁ ବିଜୟ ଦିବସ ଭାବରେ ପାଳିତ ହେଉଛି। ସେଥିପାଇଁ ପଥୋତ୍ସବରେ ସବୁଆଡେ ଦେଶପ୍ରେମର ଛିଟା ଦେଖିବାକୁ ମିଳିଥିଲା। ବିଏସ୍‌ଏଫ୍‌ ପକ୍ଷରୁ ଏକ ସ୍ବତନ୍ତ୍ର ବ୍ୟାଣ୍ଡ ଦେଶପ୍ରେମର ବାତାବରଣ ସୃଷ୍ଟି କରିଥିବା ବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତିରଙ୍ଗା ଚିତ୍ର ଓ ରଙ୍ଗୋଲି ଏକ ନିଆରା ପରିବେଶ ସୃଷ୍ଟି କରିଥିଲା।

ରଙ୍ଗବତୀରେ ମନ
ମୁଖ୍ୟ ମଞ୍ଚରେ ଚାଲିଥିବା ଗୀତ ନାଚ କାର୍ଯ୍ୟକ୍ରମରେ ଶେଷରେ ଆସିଥିଲେ ବର୍ଣ୍ଣାଳି। ଓ ହମ୍‌ ସଫର… ଗୀତରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଗୀତରେ ଲେଖିଛି ତୋ ନାଁ…, ଯାହାକୁ ମୁଁ ଏତେ ଭଲ ପାଉଛି…, ମେଁ ଚିଜ୍‌ ବଡି ହୁଁ ମସ୍ତ ମସ୍ତ…, ଦିଲ୍‌ବର ଦିଲ୍‌ବର… ଭଳି ଗୀତ ଗାଇଥିଲେ। ମାତ୍ର ଦର୍ଶକଙ୍କର ମନ ଲାଗିଥିଲା ରଙ୍ଗବତୀ ପାଖରେ। ଥରେ ଗାଇବା ପରେ ଦର୍ଶକଙ୍କର ‘ୱାନ୍‌ସ୍‌ ମୋର୍’ ଅନୁରୋଧକୁ ଟାଳି ନ ପାରି ସେ ଆଉ ଥରେ ଗାଇଥିଲେ।

ସମ୍ବନ୍ଧିତ ଖବର