ଭୁବନେଶ୍ବର: ନୃତ୍ୟ କହୁଥିଲା ସତ୍ୟଭାମାଙ୍କ ଭଲ ପାଇବା ଓ ଗର୍ବର କଥା। ଶ୍ରୀକୃଷ୍ଣ ତାଙ୍କୁ ଅନ୍ୟ ସଖୀମାନଙ୍କ ତୁଳନାରେ ଅଧିକ ଭଲପାଆନ୍ତି, ଏହି ଭାବନାକୁ ନେଇ ତାଙ୍କର ଗର୍ବ। ସତ୍ୟଭାମାଙ୍କ ଏହି କାହାଣୀକୁ ନେଇ ଭଞ୍ଜ କଳାମଣ୍ଡପ ମଞ୍ଚରେ ପରିବେଷିତ ହୋଇଥିଲା ନୃତ୍ୟାଭିନୟ ‘ଭାମାକଲାପମ୍’। ସାଂସ୍କୃତିକ ଅନୁଷ୍ଠାନ ‘ନୃତ୍ୟଧାମ’ର ତୃତୀୟ ପ୍ରାଚୀନ ନୃତ୍ୟପର୍ବର ଉଦ୍ଯାପନୀ ସନ୍ଧ୍ୟାରେ ପରିବେଷିତ ଏହି ନୃତ୍ୟାଭିନୟକୁ ନୃତ୍ୟରେ ସଜାଇଥିଲେ ନିର୍ଦ୍ଦେଶକ ଶିଦ୍ଦେନ୍ଦ୍ର ୟୋଗୀ। କୁଚିପୁଡ଼ି ନୃତ୍ୟ ମାଧ୍ୟମରେ ନୃତ୍ୟଶିଳ୍ପୀ ଶୁଭଶ୍ରୀ ପଟ୍ଟନାୟକଙ୍କ ଏହି ନୃତ୍ୟାଭିନୟ ଦର୍ଶକଙ୍କୁ ଅପଲକ ନୟନରେ ଚାହିଁ ରହିବାକୁ ବାଧ୍ୟ କରିଥିଲା। ପରେ ପିତ୍ତଳ ଥାଳିର ଧାରରେ ଶୁଭଶ୍ରୀଙ୍କ ନୃତ୍ୟ ‘ତରଙ୍ଗମ’ ବେଶ୍ ଚିତ୍ତାକର୍ଷକ ଥିଲା। ଶେଷରେ ବିଭିନ୍ନ ଯତିର ସମ୍ମିଶ୍ରଣରେ କୁଚିପୁଡ଼ି ନୃତ୍ୟର ମୁଖ୍ୟ ନୃତ୍ୟ ‘ଯତିସ୍ବରମ୍’ ବେଶ୍ ରୋମାଞ୍ଚ ଭରିଥଲା। ପଦ୍ମବିଭୂଷଣ ଗୁରୁ ଭୀମପତି ଚିନ୍ହା ସତ୍ୟମ୍ ଏହାର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ। ପରେ ପରେ ନୃତ୍ୟଶିଳ୍ପୀ ଗୌରୀଶଙ୍କର ଦାସ ଓଡ଼ିଶୀ ନୃତ୍ୟ, ନୀଳାଦ୍ରି ମହାନ୍ତି ଓ ଅପରୂପା ମହାନ୍ତି ଓଡ଼ିଶୀ ଏବଂ ରାମକୌନ୍ଦିନୀ ଓ ସୌନ୍ଦର୍ଯ୍ୟା ରାଜେଶ୍ବରୀ କୁଚିପୁଡ଼ି ନୃତ୍ୟ ପରିବେଷଣ କରିଥିଲେ। ଆଜି ସନ୍ଧ୍ୟାରେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି କମଳକାନ୍ତ ମିଶ୍ର, ଗୁରୁ ଦୁର୍ଗାଚରଣ ରଣବୀର, ସଙ୍ଗୀତା ଗୋସାଇଁ, ବିଜୟ କୁମାର ଜେନା, ଅକ୍ଷୟ ପରିଜା, ପ୍ରଫେସର ନବକିଶୋର ମିଶ୍ର, ପଶୁମୂର୍ତି ରାମଲିଙ୍ଗ ଶାସ୍ତ୍ରୀ ଓ ଜଗନ୍ନାଥ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।