ଇନ୍‌ଫୋଭ୍ୟାଲିରେ ଆତଙ୍କବାଦୀଙ୍କ ସହ ମୁକାବିଲା! : ୩ଘଣ୍ଟା ଅପରେସନ୍‌, ୫ କର୍ମଚାରୀ ଉଦ୍ଧାର

ଭୁବନେଶ୍ୱର : ଜୁନ୍‌ ୨୧ ତାରିଖ ଇନ୍‌ଫୋଭ୍ୟାଲି କ୍ୟାମ୍ପସରେ ସବୁ ଠିକ୍‌ଠାକ୍‌ ଚାଲିଥାଏ। ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏରେ ହଠାତ୍‌ ୫ଜଣ ଆତଙ୍କବାଦୀ କ୍ୟାମ୍ପସ୍‌ ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ। ସେମାନେ ମୁଖ୍ୟ ଫାଟକରେ ଥିବା ସୁରକ୍ଷାକର୍ମୀଙ୍କୁ ହତ୍ୟା କରି ଭିତରକୁ ପଶିଥିଲେ। ଆତଙ୍କବାଦୀମାନେ ତୁରନ୍ତ ୫ଜଣ କର୍ମଚାରୀଙ୍କୁ ପଣପନ୍ଦୀ କରିଥିଲେ। ଅନ୍ୟ କର୍ମଚାରୀମାନେ ତୁରନ୍ତ ସ୍ଥାନୀୟ ଥାନାକୁ ଘଟଣା ବିଷୟରେ ଜଣାଇଥିଲେ। ଖବର ପାଇ ଆଇଆଇସି ଦୁଇ କନ୍‌ଷ୍ଟେବଲଙ୍କୁ ଧରି କ୍ୟାମ୍ପସରେ ପଶିଥିଲେ। ବିଲ୍ଡିଂର ଉଭୟ ପ୍ରବେଶ ଓ ପ୍ରସ୍ଥାନରେ ଜଗିିବା ପାଇଁ କନ୍‌ଷ୍ଟେବଲ୍‌ଙ୍କୁ କହିଥିଲେ। ପରିସ୍ଥିତକୁ ଆୟତକୁ ଆଣିବା ପାଇଁ ଘଟଣାର ଠିକ୍‌ ଅଧଘଣ୍ଟାଏ ପରେ ଓଏସ୍‌ଏପିର ଏକ ପ୍ଲାଟୁନ୍‌ ଫୋର୍ସ କ୍ୟାମ୍ପସ୍‌ରେ ପହଞ୍ଚି ଚାରିପଟକୁ ଘେରି ଯାଇଥିଲା। କିିଛିକ୍ଷଣ ମଧ୍ୟରେ ଏସ୍‌ଓଜିର ସ୍ପେସାଲ ଟେକ୍ନିକାଲ ୟୁନିଟ୍‌ ଓ ବୋମା ନିଷ୍କ୍ରିୟ ୟୁନିଟ୍‌ ପହଞ୍ଚି କ୍ୟାମ୍ପସକୁ ତୁରନ୍ତ ଖାଲି କରିବା ସହ ବିଲ୍ଡିଂ ଚାରିପଟେ ଯୋଜନା ପ୍ରସ୍ତୁତ କରିଥିଲା। ସେହିପରି ହାଇଦ୍ରବାଦ୍‌ ଏୟାରପୋର୍ଟରୁ ଏନ୍‌ଏସ୍‌ଜିର ଏକ କମ୍ପାନି ସେଠାରେ ପହଞ୍ଚିଥିଲା। ଆଉ ଏହାପରେ ଆରମ୍ଭ ହୋଇଥିଲା ଅପରେସନ୍‌। ତେବେ ଏନ୍‌ଏସ୍‌ଜି, ଏସ୍‌ଟିୟୁ, ଏସ୍‌ଓଜି, ବୋମା ନିଷ୍କ୍ରିୟ ଟିମ୍‌, କମିସନରେଟ ପୁଲିସ ଆଦିର ମିଳିତ ଅପରେସନ୍‌ର ୩ ଘଣ୍ଟାପରେ ୫ କର୍ମଚାରୀଙ୍କୁ ଆତଙ୍କବାଦୀଙ୍କ କବଳରୁ ଉଦ୍ଧାର କରାଯାଇଥିଲା। ତେବେ ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଅନ୍ୟ ୪ ଆତଙ୍କବାଦୀଙ୍କ ସମେତ କେତେକ ସେନା ଆହତ ହୋଇଥିଲେ।

ତେବେ ଏହା କୌଣସି ସତ୍ୟ ଘଟଣା ନୁହେଁ। ଏହା ଥିଲା ଏନ୍‌ଏସ୍‌ଜି ପକ୍ଷରୁ ଆତଙ୍କବାଦୀଙ୍କ ବିରୋଧରେ ଏକ ମକ୍‌ଡ୍ରିଲ୍‌। ଓଡ଼ିଶା ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବା ଚର୍ଚା ହେଉଛି। ପୂର୍ବରୁ ରାଉରକେଲାରୁ ୫ ସିମି ସଦସ୍ୟ ଗିରଫ କରାଯାଇଛି। ସେହିପରି ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ରେହେମାନଙ୍କୁ ଓଡ଼ିଶାରୁ ଗିରଫ ପରେ ଏଭଳି ମକ୍‌ଡ୍ରିଲ୍‌ର ଆୟୋଜନ କରାଯାଇଥିବା କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର