ଗଣତନ୍ତ୍ର ଦିବସ ପରେଡ୍‌ ପାଇଁ ଦିଲ୍ଲୀ ଯିବେ ୩୪ କ୍ୟାଡେଟ୍‌

ଏନ୍‌ଏସ୍‌ଏସ୍‌ର ପ୍ରାକ୍‌ ପରେଡ୍‌ ଶିବିର ଉଦ୍‌ଯାପିତ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିିୟମରେ ଗତ ୭ତାରିଖଠାରୁ ଆରମ୍ଭ ହୋଇଥିବା ୧୦ଟି ପୂର୍ବାଞ୍ଚଳ ରାଜ୍ୟର ଏନଏସ୍‌ଏସ୍‌ର ପ୍ରାକ୍‌ ଗଣତନ୍ତ୍ର ପରେଡ୍‌ ଶିବିର ଉଦ୍‌ଯାପିତ ହୋଇଯାଇଛି। ଶିବିରରେ ଯୋଗ ଦେଇଥିବା ୨୦୦ଜଣ ପିଲାଙ୍କ ମଧ୍ୟରୁ ଶ୍ରେଷ୍ଠ ମନୋନୀତ ୩୪ଜଣ କ୍ୟାଡେଟ୍‌ଙ୍କୁ ଦିଲ୍ଲୀରେ ହେବାକୁ ଥିବା ୨୦୧୮ର ଗଣତନ୍ତ୍ର ଦିବସ ଜାତୀୟ ପରେଡ୍‌ରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ମିଳିିବ।

ଗଞ୍ଜାମ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡ. ସତୀଶ ପ୍ରସାଦ ନାୟକ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ସୁଶାନ୍ତ କୁମାର ପଟ୍ଟନାୟକ, ରଶ୍ମିରଞ୍ଜନ ସେନାପତି, ଭିନ୍‌ ସାଇମନ ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ଶିବିର ନିର୍ଦ୍ଦେଶକ ଆର୍‌ ରାମକ୍ରିଷ୍ଣା ସଭାପତିତ୍ୱ କରିଥିବା ବେଳେ ଲକ୍ଷ୍ନୌର ଆଞ୍ଚଳିକ ନିର୍ଦ୍ଦେଶକ ଅଶୋକ କୁମାର ଶ୍ରୋତ୍‌ ମୁଖ୍ୟ ଅତିଥି, ଗୁଜୁରାଟ ଆଞ୍ଚଳିକ ନିର୍ଦ୍ଦେଶକ କମଲ କୁମାର କର ଓ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ଉପସଚିବ ଉପେନ୍ଦ୍ର ନାଥ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ୧୦ ଦିନିଆ ଶିବିରରେ ଭୁବନେଶ୍ୱର ଆର୍ମି ୧୨୦ ବାଟାଲିୟନରୁ ସୁରେନ୍ଦ୍ର ପ୍ରସାଦ, ଯଯାତି କେଶରୀ ବିଶ୍ୱାଳ, ସୁଭାଷ ଚନ୍ଦ୍ର ଶତପଥୀ ପରେଡ୍‌ ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ। ଯୋଗ ଗୁରୁ ବିଶ୍ୱରଞ୍ଜନ ଓ ପତଞ୍ଜଳି ଯୋଗ ସମିତିର ମୁଖ୍ୟ ସୁଧାଂଶୁ ଶେଖର ଶିବିରାର୍ଥୀମାନଙ୍କୁ ବ୍ୟାୟାମ ଓ ଯୋଗ ଶିଖାଇଥିଲେ। ସନ୍ଧ୍ୟାରେ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଶିବିରାର୍ଥୀମାନେ ନୃତ୍ୟ, ଗୀତ ଆଦି ପରିବେଶଷଣ କରିଥିଲେ। ଶିବିରାର୍ଥୀମାନଙ୍କୁ ପ୍ରମାଣପତ୍ର ଦେବା ସହ ରାଜ୍ୟକୁ ପ୍ରତିନିଧିତ୍ୱ କରୁଥିବା ଅଧିକାରୀମାନଙ୍କୁ ସ୍ମୃତିଫଳକ ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସଭା ଶେଷରେ ଓୟୁଏଟି ପ୍ରଶିକ୍ଷଣ କେନ୍ଦ୍ରର ସ୍ୱତନ୍ତ୍ର ଅତିଥି ନିରଦ ବରଣ ଖୁଣ୍ଟିଆ ଧନ୍ୟବାଦ ଦେଇଥିଲେ। ଯୁବ ଅଧିକାରୀ ଅନିରୁଦ୍ଧ ନାୟକ, ଯୁବ ସହାୟକ ଲକ୍ଷ୍ମୀନାରାୟଣ ଦୋରା, ତୃପ୍ତି ଫତେସିଂ, ରାଜୀବ ଲୋଚନ ସାହୁ, ନିଖିଲ ପାଣିଗ୍ରାହୀ ଓ ଅନ୍ୟ କର୍ମକର୍ତ୍ତାମାନେ ଶିବିର ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର