ମଞ୍ଚସ୍ଥ ହେଲା ‘ଏମିତି କେମିତି ହେଲା’

ନୂଆପଲ୍ଲୀ ଦୋଳ ମହୋତ୍ସବ

ଭୁବନେଶ୍ୱର: ନୟାପଲ୍ଲୀ ବେହେରା ସାହିସ୍ଥିତ ରାଧାମୋହନ ଉନ୍ନୟନ କମିଟି ଓ ଶ୍ରୀକୃଷ୍ଣ କ୍ଲବ୍‌ ମିଳିତ ଆନୁକୂଲ୍ୟରେ ୪୦ତମ ଭାଗବତ ସପ୍ତାହ, ନାମଯଜ୍ଞ ଓ ଦୋଳ ମହୋତ୍ସବର ଆଜି ଥିଲା ପଞ୍ଚମ ସନ୍ଧ୍ୟା। ଏହି ଅବସରରେ କ୍ଲବ୍‌ ପରିସରରେ ବରମୁଣ୍ଡା ହାଉସିଂବୋର୍ଡସ୍ଥିତ ଆଖଣ୍ଡଳମଣି ନାଟ୍ୟ ପରିଷଦ ପକ୍ଷରୁ ପରିବେଷିତ ହୋଇଥିଲା ସାମାଜିକ ନାଟକ ‘ଏମିତି କେମିତି ହେଲା’। ଛବି ବାରିକ ନାଟକର ନିର୍ଦେଶନା ଦେଇଥିଲେ। ନାଟକ ପରିବେଷଣ ପୂର୍ବରୁ ସ୍ଥାନୀୟ କର୍ପୋରେଟର୍‌ ତଥା ଶ୍ରୀକୃଷ୍ଣ କ୍ଲବ୍‌ର ସାଧାରଣ ସଂପାଦକ ନବ କିଶୋର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବେଣୁ ସାମନ୍ତ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ କାମାକ୍ଷା ପ୍ରସାଦ ପଣ୍ଡା, ମଧୁ ବେହେରା, ମହେନ୍ଦ୍ର ବେହେରା, ଭାଗ୍ୟଧର ବେହେରା, ପ୍ରକାଶ ବେହେରା ଓ ଦେବେନ୍ଦ୍ର ମହାକୁଡ଼ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ଶ୍ରୀକୃଷ୍ଣ କ୍ଲବ୍‌ର ଏପରି ଉଦ୍ୟମକୁ ପ୍ରଶଂସା କରି କହିଥିଲେ, ସଂପ୍ରତି ଯାତ୍ରା ଦଳଗୁଡ଼ିକ ସଂକଟଜନକ ସ୍ଥିତି ଦେଇ ଗତି କରୁଥିବା ବେଳେ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ କ୍ଲବ୍‌ର ଏପରି ଉଦ୍ୟମ ବସ୍ତବରେ ପ୍ରଶଂସନୀୟ। ରବିବାର ଚତୁର୍ଥର୍ ସନ୍ଧ୍ୟାରେ ଅନୁଷ୍ଠିତ ନୃତ୍ୟ ପ୍ରତିଯୋଗିତାରେ ଓଡ଼ିଶୀ, ଲୋକନୃତ୍ୟ ଓ ଆଧୁନିକ ନୃତ୍ୟରେ କୁନିକୁନି ପିଲାମାନେ ନିପୁଣତା ପ୍ରଦର୍ଶନ କରିଥିଲେ। ଓଡ଼ିଶା ଖଦି ବୋର୍ଡର ସଭାପତି ତେଜେଶ୍ୱର ପରିଡ଼ା, ଡେପୁଟି ମେୟର କେ ଶାନ୍ତି, କର୍ପୋରେଟର ପୁଷ୍ପାଞ୍ଜଳି ଦାସ, ମମତା ସାହୁ, ଭାନୁପ୍ରିୟା ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ସଭାପତି ଯଦୁମଣି ବେହେରା, ଶଙ୍କର ବେହେରା, ମହେନ୍ଦ୍ର ବେହେରା ଉପସ୍ଥିତ ଥିବା ବେଳେ ସମ୍ପାଦକ ନବକିଶୋର ବେହେରା ଅଧ୍ୟକ୍ଷତା କରିଥିଲେ। କାହ୍ନ ମହାକୁଡ଼ ସମେତ ରାଧାମୋହନ ଉନ୍ନୟନ କମିଟି ଓ ଶ୍ରୀକୃଷ୍ଣ କ୍ଲବ୍‌ର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସ୍ୱୟଂପ୍ରଜ୍ଞା ସାହୁ ନୃତ୍ୟ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର