ନନ୍ଦନକାନନରେ ନୀଳ ସବୁଜ ମାକାଓ ବଂଶ ଲୋପ

ବାରଙ୍ଗ: ଲଗାତାର ଦୁଇ ଦିନରେ ଦୁଇଟି ନୀଳ ସବୁଜ ରଙ୍ଗର ମାକାଓ ପକ୍ଷୀଙ୍କ ମୃତ୍ୟୁ ହେବା ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏହି ପ୍ରଜାତିର ପକ୍ଷୀବଂଶ ଲୋପ ପାଇଯାଇଛି। ଆଜି ମୃତ୍ୟୁ ହୋଇଥିବା ପକ୍ଷୀଟି ପ୍ରାୟ ୧୫ ବର୍ଷ ବୟସର ଏକ ମାଈ ପକ୍ଷୀ। ତା’ର ଶବ ବ୍ୟବଚ୍ଛେଦ କରାଯାଇଛି। ବାର୍ଧକ୍ୟ ଯୋଗୁଁ ତା’ ଅନ୍ତଃନଳୀରେ ତ୍ରୁଟି ଥିବା ପରିଲକ୍ଷିତ ହୋଇଥିଲା। ଏହା ତା’ ମୃତ୍ୟୁର କାରଣ ବୋଲି ବ୍ୟବଚ୍ଛେଦ ରିପୋର୍ଟରୁ ଜଣାଯାଇଛି। ତାକୁ ଦିଆଯାଉଥିବା ଖାଦ୍ୟ ଯୋଗୁଁ ଅନ୍ତଃନଳୀରେ ସଂକ୍ରମଣ ହୋଇଥିବା ପ୍ରଥମେ ଅନୁମାନ କରାଯାଇଥିଲା। କିନ୍ତୁ ଅନ୍ୟ ସମସ୍ତ ପକ୍ଷୀଙ୍କୁ ମଧ୍ୟ ସମାନ ଖାଦ୍ୟ ଦିଆଯାଇଥିବା ଓ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ପରିବର୍ତନ ଘଟିନଥିବାରୁ, ସେ ଚିନ୍ତା ଦୂର ହୋଇଛି ବୋଲି ବରିଷ୍ଠ ଚିକିତ୍ସକ ବଳରାମ ସାହୁ କହିଛନ୍ତି। ମୃତ୍ୟୁ ପୂର୍ବରୁ ନନ୍ଦନକାନନର ଖୁଆଡ଼ ମଧ୍ୟରେ ଏହି ମାଈ ପକ୍ଷୀଟି ୫ଟି ଅଣ୍ଡା ଦେଇଥିଲା। ତେବେ ଗତକାଲି ପ୍ରାୟ ୨୨ବର୍ଷ ବୟସର ପୁରୁଷ ପକ୍ଷୀଟିର ବାର୍ଧକ୍ୟ ଯୋଗୁଁ ମୃତ୍ୟୁ ହେବା ପରେ ଆଜିର ଏହି ଅଘଟଣ ନନ୍ଦନକାନନ କର୍ତୃପକ୍ଷ ଓ ପକ୍ଷୀପ୍ରେମୀଙ୍କୁ ମର୍ମାହତ କରିଛି। ୨୦୧୭ ଫେବ୍ରୁଆରି ୩ତାରିଖରେ ଫୁଲନଖରା ରେଞ୍ଜ ବମ୍ଫକୁଦ ଅଞ୍ଚଳରୁ ଉଦ୍ଧାର ଏହି ପକ୍ଷୀଟିକୁ ନନ୍ଦନକାନନ ଅଣାଯାଇଥିଲା। ତାକୁ ୧୧ ‘ଙ’ରେ ରହୁଥିବା ଏକମାତ୍ର ପୁରୁଷ ନୀଳ ସବୁଜ ମାକାଓ ସହ ରଖା ଯାଇଥିଲା। ଏହି ଆକର୍ଷଣୀୟ ଶୁକ ଜାତୀୟ ପକ୍ଷୀ ଉତ୍ତର ଆମେରିକାରେ ଦେଖାଯାଆନ୍ତି।

ସମ୍ବନ୍ଧିତ ଖବର