ନୃତ୍ୟଧାମର ‘ପ୍ରାଚୀନ ନୃତ୍ୟପର୍ବ’

ଭୁବନେଶ୍ବର: ଓଡ଼ିଆ ଜାତିର ପ୍ରାଣ ଓ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କୁ ମଙ୍ଗଳାଚରଣରେ ପୁଷ୍ପାର୍ଘ୍ୟ ଅର୍ପଣ କରି ଆରମ୍ଭ ହୋଇଥିଲା ନୃତ୍ୟପର୍ବ। ଏହା ପରେ ପରେ କୃଷ୍ଣ-ରାଧାଙ୍କ ପ୍ରେମର ଗାଥା ପରିବେଷିତ ‌ହୋଇଥିଲା ମଞ୍ଚରେ। ଗୁରୁ ଦୁର୍ଗାଚରଣ ରଣବୀରଙ୍କ ନିର୍ଦ୍ଦେଶିତ ତଥା ନୃତ୍ୟଶିଳ୍ପୀ ଶୁଭଶ୍ରୀ ପଟ୍ଟନାୟକ ନୃତ୍ୟରେ ନୃତ୍ୟରେ ରାଧାଙ୍କୁ ଖଣ୍ଡିତା ନାୟିକାଠାରୁ ଆରମ୍ଭ କରି କଳହାନ୍ତରିତା, ସ୍ବାଧୀନପତିକା, ବିପ୍ରଲବ୍‌ଧା, ଅଭିସାରିକା ନାୟିକା ଆଦି ପ୍ରେମିକାର ଭିନ୍ନ ଭିନ୍ନ ରୂପରେ ଅବତାରଣ କରିଥିଲେ। ସାଂସ୍କୃତିକ ଅନୁଷ୍ଠାନ ‘ନୃତ୍ୟଧାମ’ ପକ୍ଷରୁ ଭଞ୍ଜ କଳାମଣ୍ଡପଠାରେ ଆୟୋଜିତ ୩ୟ ପ୍ରାଚୀନ ନୃତ୍ୟ ପର୍ବରେ ଶୁଭଶ୍ରୀଙ୍କ ପରେପରେ କୋଲକାତାର ସୁଦୀପ କୁମାର ଘୋଷ ମଣିପୁରୀ, ରାଜୀବ ଘୋଷ ଓ ସଂଯୁକ୍ତା ନାଗ କଥକ ଏବଂ ଆନ୍ନା ନେହା ‌ଥୋମାସ୍‌ ଭାରତନାଟ୍ୟମ ପରିବେଷଣ କରିଥିଲେ। ଏହି ଅବସରରେ କୋଲକାତାର ଓଡ଼ିଶୀ ନୃତ୍ୟଶିଳ୍ପୀ ପୁଷ୍ପିତା ମୁଖାର୍ଜୀଙ୍କୁ ‘ନୃତ୍ୟଧାମ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ ନାୟକ, ଗୁରୁ ରାମହରି ଦାସ, ସ୍ନେହପ୍ରଭା ସାମନ୍ତରାୟ, ଗୁରୁ ଦୁର୍ଗାଚରଣ ରଣବୀର, ଉତ୍କଳ ବିଶ୍ବବିଦ୍ୟାଳୟର ପିଜି କାଉନ୍‌ସିଲ୍‌ ଅଧ୍ୟକ୍ଷ ଜଗନ୍ନାଥ କୁଅଁର ଓ ରଘୁପତୃନି ଶ୍ରୀକାନ୍ତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର