ମନେମନେ କରିଦେଲେ ଓଡିଏଫ୍ ସହର

ଭୁବ‌େନଶ୍ବର : ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳ ଆଜିଠାରୁ ଖୋଲା ମଳତ୍ୟାଗ ମୁକ୍ତ ସହର (ଓଡିଏଫ୍‌) ହେଲା ବୋଲି ବିଏମ୍‌ସି ପକ୍ଷରୁ ଘୋଷଣା କରାଯାଇଛି। ନଗର ଉନ୍ନୟନ ବିଭାଗ ବିଏମ୍‌ସିକୁ ଓଡିଏଫ୍ ସହର ଘୋଷଣା କରି ନଥିଲେ ହେଁ ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା ଆଜି ଏହି ଘୋଷଣା କରିଛନ୍ତି। ଓଡିଏଫ୍‌ ସହର ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଭୁବନେଶ୍ବରରେ ପ୍ରସ୍ତୁତ ହୋଇଥିବାରୁ ଭୁବନେଶ୍ବର ଏହି ସଫଳତା ପାଇଛି ବୋଲି କୁହାଯାଇଛି। ବିଏମ୍‌ସିର ଏହି ଆତ୍ମ ଘୋଷଣାକୁ ଆସନ୍ତା କର୍ପୋରେସନ୍ ବୈଠକରେ ଅନୁମୋଦନ କରାଯିବ।

ଏହି ଆତ୍ମ ଘୋଷଣା ପୂର୍ବରୁ ବିଏମ୍‌ସି ପକ୍ଷରୁ ସମସ୍ତ ୱାର୍ଡର କର୍ପୋରେଟର୍‌ଙ୍କଠାରୁ ତାଙ୍କ ୱାର୍ଡ ଓଡିଏଫ୍‌ ହୋଇଛି ବୋଲି ଆତ୍ମ ଘୋଷଣାପତ୍ର ଦେଇଛନ୍ତି। ବିଭିନ୍ନ ୱାର୍ଡରେ ଥିବା ସ୍କୁଲ କର୍ତ୍ତୃପକ୍ଷ ବି ତାଙ୍କ ସ୍କୁଲ ଓଡିଏଫ୍ ବୋଲି ଲେଖିକି ଦେଇଛନ୍ତି। ବିଭିନ୍ନ ୱାର୍ଡରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀ ବି ଆତ୍ମ ଘୋଷଣାପତ୍ର ଦେଇଛନ୍ତି।

ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ଭୁବନେଶ୍ବରକୁ ଓଡିଏଫ୍‌ ସହର କରିବା ପାଇଁ ସହର ମଧ୍ୟରେ ପ୍ରାୟ ୧୬୦୦ ସିଟ୍‌ର ପାଇଖାନା ନିର୍ମାଣ କରାଯାଇଛି। ଏହି ପାଇଖାନାଗୁଡ଼ିକ ଯେପରି ପରିଷ୍କାର ପରିଛନ୍ନ ରହିବ ଏବଂ ଲୋକମାନେ ଏହାକୁ ଅଧିକ ବ୍ୟବହାର କରିବେ ସେଥିପାଇଁ ୱାର୍ଡ ସାନିଟେସନ୍ କମିଟିକୁ ନିୟୋଜିତ କରାଯାଇଛି। ବହୁ ସଂଖ୍ୟାରେ ଲୋକଙ୍କ ଘରେ ପାଇଖାନା ନିର୍ମାଣ କରାଯାଇଛି। ବିଭିନ୍ନ ଗୃହ ପ୍ରକଳ୍ପରେ ପ୍ରାୟ ୫ହଜାର ପାଇଖାନା ନିର୍ମାଣ ହୋଇଛି।

କେବଳ ଏତିକି ନୁହେଁ ପ୍ରୋଜେକ୍ଟ ସମ୍ମାନରେ ବିଏମ୍‌ସି ୧୬୪ସିଟ୍‌ର ପାଇଖାନା ନିର୍ମାଣ କରାଯାଇଛି। କେଉଁଠି ଦୁଇଟି ତ କେଉଁଠି ୫ଟି ସିଟ୍ ରହିଛି। ଏହାବାଦ୍ ୬୭୬ଟି ପୁରଣା ପାଇଖାନାକୁ ପୁନରୁଦ୍ଧାର କରାଯାଇଛି।

ଏହି ଯୋଜନାରେ ୧୫୪ ସିଟ୍‌ର ପବ୍ଲିକ ଟଏଲେଟ୍ ନିର୍ମାଣ ହୋଇଥିବାବେଳେ ୩୬୪ ସିଟ୍‌ ଥିବା ପୁରୁଣା ଶୌଚାଳୟକୁ ପୁନରୁଦ୍ଧାର କରାଯାଇଛି। ଏହାସହ ୩୨୦ ସିଟ୍ ଥିବା ହାଇବ୍ରିଡ୍‌ ଟଏଲେଟ୍ ବସାଯାଇଛି। ଘରୋଇ ‌ପାଇଖା‌ନା ପାଇଁ ୨୦୨୧୮ଟି କାର୍ଯ୍ୟାଦେଶ ଦିଆଯାଇଥିବାବେଳେ ୧୨୪୩୫ଜଣ ପାଇଖାନା ନିର୍ମାଣ କରିସାରିଲେଣି।

ଘରେ ଘରେ, ରାସ୍ତା କଡ଼ରେ ପାଇଖାନା କରି ବିଏମ୍‌ସି ଏହି ସଫଳତା ପାଇଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଆଜି ୟୁନିଟ-୮ କମ୍ୟୁନିଟି ସେଣ୍ଟରରେ ଆୟୋଜିତ ଆ‌ତ୍ମ ଘୋଷଣା ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର ମଧ୍ୟ ବିଧାୟକ ବିଜୟ ମହାନ୍ତି, ଭୁବନେଶ୍ବର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ.ଶାନ୍ତି, ଅତିରିକ୍ତ କମିସନର ଶୁଭମ୍‌ ସାକ୍‌ସେନା, ବିଏମ୍‌ସି ଜନସ୍ବାସ୍ଥ୍ୟ ଏବଂ ପରିବେଶ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୁପକାର ପ୍ରମୁଖ ଯୋଗଦେଇଥିଲେ।
ପ୍ରତି ୬ମାସରେ ବିଏମ୍‌ସି ଏହି ଓଡିଏଫ୍‌ ଘୋଷଣାକୁ ରି-ସାର୍ଟିଫାଏଡ୍ କରିବାକୁ ଯୋଜନା କରୁଛି।

 

ଚିତ୍ର କହୁଛି ଭିନ୍ନ କଥା

ଭୁବନେଶ୍ବର : ବିଏମ୍‌ସି ଆଜି ଭୁବନେଶ୍ବରକୁ ଓଡିଏଫ୍ ସହର ବୋଲି ଆତ୍ମ ଘୋଷଣା କରିଛି। କିନ୍ତୁ ପରିତାପର ବିଷୟ ବିଏମ୍‌ସି ଯେଉଁ ଘୋଷଣା କରିଛି ରାଜଧାନୀ ଏଭଳି ସ୍ଥିତିରେ ପହଞ୍ଚିନି। ଏବେବି ରାସ୍ତା କଡ଼ରେ ଲୋକ ଝାଡ଼ା, ପରିସ୍ରା କରୁଛନ୍ତି। ବସ୍ତି କଥା ତ ନ କହିବା ଭଲ। ଅଧିକାଂଶ ବସ୍ତିରେ ଘର ସାମ୍ନା ଓ ଚାରି ପାଖକୁ ଛାଡ଼ି ଯଦି ଟିକିଏ ଦୂରକୁ ଚାଲିଯିବ ତେବେ ପାଦ ପକାଇବା ବି କଷ୍ଟକର ହୋଇପଡ଼ିବ।

ବିଏମ୍‌ସି ପକ୍ଷରୁ ହିସାବ ଦିଆଯାଇଛି ଯେ, ଗତ କିଛି ମାସ ମଧ୍ୟରେ ରାଜଧାନୀରେ ୧୯୬୭୩ଟି ନୂଆ ପାଇଖାନା କରାଯାଇଛି। ୧୦୪୦ଟି ପୁରୁଣା ପାଇଖାନାକୁ ପୁନରୁଦ୍ଧାର କରାଯାଇଛି। ବିଏମ୍‌ସିର ହିସାବରେ ଭିତ୍ତିଭୂମି ସୁଦୃଢ। କିନ୍ତୁ ସଚେତନତା ଶୂନ। ଲୋକଙ୍କୁ ସଚେତନ କରାଯାଇ ପାରି ନଥିବାରୁ ଏବଂ ଲୋକଙ୍କ ଚାହିଦା ଥିବା କେତେକ ସ୍ଥାନରେ ପାଇଖାନା ନଥିବାରୁ ଲୋକ ପରିସ୍ରା ଲାଗିଲେ ରାସ୍ତା କଡ଼ରେ ମୁହଁ ବୁଲାଇ ଛିଡ଼ା ହୋଇ ଯାଉଛନ୍ତି।

ରାଜଧାନୀର ବୁଦ୍ଧିଜୀବୀଙ୍କ ମତ ଯେ, ବିଏମ୍‌ସି କେବଳ ପାଇଖାନା ନିର୍ମାଣରେ ଲାଗିପଡ଼ିଲା। ‌କେମିତି ଲୋକ ଏହାକୁ ବ୍ୟବହାର କରିବେ, ଯିଏ ରାସ୍ତା କଡ଼ରେ ଝାଡ଼ା ପରିସ୍ରା କରୁଛନ୍ତି ସେମାନଙ୍କୁ କିପରି ସଚେତନ କରାଯିବ, ବାରମ୍ବାର ସଚେତନ କରିବା ପରେ ନମାନିଲେ ଜରିମାନା ଆଦାୟ କରି ଲୋକଙ୍କ ମଧ୍ୟରେ ନିୟମ ମାନିବାକୁ ଭୟ ସୃଷ୍ଟି କରିବା ଭଳି ପଦକ୍ଷେପ ନିଆଗଲାନି। ଯେଉଁଥିପାଇଁ ବିଏମ୍‌ସି ଆଜି ଓଡିଏଫ୍‌ ବୋଲି ଆତ୍ମଘୋଷଣା କରୁଛି ଅଥଚ ଲୋକ ରାସ୍ତା କଡ଼ରେ ଝାଡ଼ା ପରିସ୍ରା କରୁଛନ୍ତି। ଏହି ବର୍ଗରେ କେବଳ ଅପାଠୁଆ ଲୋକ ନାହାନ୍ତି। ବହୁ ଶିକ୍ଷିତ ଲୋକ ଅଛନ୍ତି। ଯେଉଁମାନେ ବିଏମ୍‌ସି ପକ୍ଷରୁ ହୋଇଥିବା ଶୌଚାଳୟକୁ ବ୍ୟବହାର କରୁନାହାନ୍ତି।

ବସ୍ତି ଅଞ୍ଚଳରେ ବିଏମ୍‌ସି ସଚେତନତା ସୃଷ୍ଟି କରିବାରେ ବିଫଳ ହୋଇଥିବାରୁ ଏବଂ ରାଜଧାନୀର ଅନ୍ୟ ଅଞ୍ଚଳରେ ନିୟମ ଅନୁଯାୟୀ ୫୦ଟଙ୍କା ଜରିମାନା ଆଦାୟ କରିପାରୁ ନଥିବାରୁ ଲୋକ ବାହାରେ ଝାଡ଼ା, ପରିସ୍ରା କରୁଛନ୍ତି।

ସମ୍ବନ୍ଧିତ ଖବର