ମୋହର ମାରିଲେ ରାଜ୍ୟପାଳ : କାର୍ଯ୍ୟକାରୀ ହେଲା ଓଡ଼ିଆ ଭାଷାରେ ଶାସନ

ଭୁବନେଶ୍ବର : ସଫଳ ହୋଇଛି ୮୭୮ ଦିନର ଐତିହାସିକ ଭାଷା ଆନ୍ଦୋଳନ। ମିଳିଛି ଭାଷା ଯୋଦ୍ଧାମାନଙ୍କର ନିରବ ସଂଗ୍ରାମର ଫଳଶ୍ରୁତି। ତୁରନ୍ତ ନିୟମାବଳୀ ପ୍ରଣୟନ କରି ଓଡ଼ିଆରେ ଶାସନ ବା ସେବା ପ୍ରଦାନ କରିବା ନେଇ ହୋଇଥିବା ଦାବି ଶେଷରେ କାର୍ଯ୍ୟକାରୀ ହୋଇଛି। ମନ୍ତ୍ରୀମଣ୍ଡଳସ୍ତରୀୟ (କ୍ୟାବିନେଟ)ବୈଠକରେ ନିୟମାବଳୀ ପ୍ରଣୟନ ପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଥିଲା ସେଥିରେ ଗତକାଲି ଅର୍ଥାତ ଅଗଷ୍ଟ ୧୩ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୋହର ମାରିଛନ୍ତି। ସରକାର ଆଜି ଏହାକୁ ଗେଜେଟ୍‌ରେ ପ୍ରକାଶ କରିଛନ୍ତି। ତେଣୁ ଆଜିଠାରୁ ରାଜ୍ୟରେ ଓଡ଼ିଆରେ ସମସ୍ତ ନଥିପତ୍ର ପ୍ରଚଳନ ପାଇଁ ନିୟମାବଳୀ ପ୍ରଣୟନ ହୋଇଛି। ଭାଷା ଆନ୍ଦୋଳନ ପକ୍ଷରୁ ଆଜି ବୁଦ୍ଧ ମନ୍ଦିରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କିତ ସୂଚନା ଦିଆଯାଇଛି।

ନିୟମ ମୁତାବକ, ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ପର୍ଯ୍ୟାପ୍ତ ବ୍ୟବହାରରେ ବାରମ୍ବାର ଖିଲାପ କଲେ, ଖିଲାପକାରୀ ବିରୁଦ୍ଧରେ ଓଡିଶା ବେସାମରିକ ସେବା (ଶ୍ରେଣୀବିନ୍ୟାସ, ନିୟନ୍ତ୍ରଣ ଓ ଅପିଲ) ଅଧିନିୟମ ୧୯୬୨ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସର୍ବଭାରତୀୟ ସେବାବର୍ଗର ଅଧିକାରୀ ଏବଂ କେନ୍ଦ୍ରୀୟ ବେସାମରିକ ସେବାବର୍ଗର ଅଧିକାରୀମାନଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ଅନୁଶାସନିକ କାର୍ଯ୍ୟବିଧି ଅଧିନିୟମ ଅନ୍ତର୍ଗତ ବ୍ୟବସ୍ଥା ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବ୍ୟପକ ଭାବେ ଓଡ଼ିଆ ବ୍ୟବହାର କରୁଥିବା କର୍ମଚାରୀ ବା ବିଭାଗମାନଙ୍କୁ ପୁରସ୍କୃତ କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି।

ଭାଷା ଆନ୍ଦୋଳନର ସଭାପତି ପ୍ରଦ୍ୟୁମ୍ନ ଶତପଥୀଙ୍କ କହିବା ମୁତାବକ, ଓଡ଼ିଆରେ ଓଡ଼ିଶା ଶାସନ ଖିଲାପକାରୀଙ୍କୁ ଦଣ୍ଡ ବିଧାନ ‘ଭାଷା ଆନ୍ଦୋଳନ’ର ଏକମାତ୍ର ଦାବି ଥିଲା। ଆଇନରେ ସଂଶୋଧନ କରାଯାଇ ନିୟମାବଳୀ ପ୍ରଣୟନ କରାନଗଲେ ଓଡ଼ିଆରେ ଶାସନ ସମ୍ଭବ ନୁହେଁ ବୋଲି କୁହା ଯାଇଥିଲା। ଏଥିପାଇଁ ନିୟମାବଳୀ ପ୍ରଣୟନ ଜରୁରି ବୋଲି ଦାବି କରାଯିବା ସହ ‘ଭାଷା ଆନ୍ଦୋଳନ’ ପକ୍ଷରୁ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା। ଏନେଇ ୨୦୧୬ ମସିହା ଏପ୍ରିଲ୍‌ ୮ରେ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ପ୍ରଦାନ କରି ଦାବି କରାଯାଇଥିଲା। ମାତ୍ର ଦାବି ପ୍ରତି ଦୃଷ୍ଟି ଦିଆନଯିବାରୁ କଳାପତାକା ପଟୁଆର ଆରମ୍ଭ ହୋଇଥିଲା। ଏହାପରେ ୨୦୧୮ ମସିହା ସେପ୍ଟେମ୍ବର ୧୯ରେ ବିଧାନସଭାରେ ଭାଷା ଆଇନ ୧୯୫୪କୁ ସଂଶୋଧନ କରି ସରକାରୀ ଭାଷା ଭାବେ ଓଡ଼ିଆର ବ୍ୟବହାର ଏବଂ ଭାଷା ଆଇନ ଖିଲାପ କରୁଥିବା କର୍ମଚାରୀ ଓ ସମ୍ପୃକ୍ତ ବିଭାଗକୁ ଦଣ୍ଡ ବିଧାନ ବିଧି ସହ ବିଧେୟକ ଗୃହୀତ ହୋଇଥିଲା। ସେହିଦିନ ବର୍ଷାକାଳୀନ ଅଧିବେଶନରେ ଆଇନ ସଂଶୋଧନ କରାଯିବା ସହ ଓଡିଶା ସରକାରୀ ଭାଷା (ଦ୍ୱିତୀୟ ସଂଶୋଧନ) ବିଧେୟକ,୨୦୧୮ ଗୃହୀତ ହୋଇଥିଲା ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ମତ ପ୍ରକାଶ ପାଇଛି। ଆଜି ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଆବାହକ ପବିତ୍ର ମହାରଥା, ଜାନକୀଷ ବଡ଼ପଣ୍ଡା, ଡମ୍ବୁରଧର ହରଣସିଂହ, ନବକିଶୋର ପ୍ରଧାନ, ନୀଳମଣି ମିଶ୍ର, ନାରାୟଣ ଖୁଣ୍ଟିଆ, ବିଜୟ ପ୍ରଧାନ, ଅଲେଖ ଜେନା, ସଂଜୀବ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର