‘ଓଡ଼ିଶା ସିନେ କ୍ରିଟିକ୍‌ ଆସୋସିଏସନ୍‌’ ପକ୍ଷରୁ ଆୟୋଜିତ ସ୍ମୃତି ତୁମେ ଅକ୍ଷୟ…

ଭୁବନେଶ୍ବର: ସେ କଲମ ଧରିଲେ, ଝରି ପଡ଼ୁଥିଲା କାଳଜୟୀ ଗୀତର ପଙ୍କ୍ତି ମାଳା। ସେ ହାର୍‌ମୋନିୟମ ଧରି କଣ୍ଠ ଖୋଲିଲେ, ସେ ଗୀତ ହେଇ ଯାଉଥିଲା ଇତିହାସ। ଓଡ଼ିଆ ସଂଗୀତ ଜଗତର ସେଇ ସ୍ବର୍ଣ୍ଣିମ ସମୟର ମଙ୍ଗ ଧରିଥିବା ଓଡ଼ିଆ ସଂଗୀତ ଜଗତର ବାଦ୍‌ଶାହା ଅକ୍ଷୟ ମହାନ୍ତିଙ୍କୁ ଆଜି ତାଙ୍କ କଣ୍ଠ ନିଃସୃତ ଗୀତରେ ଶ୍ରଦ୍ଧାଞ୍ଜଳି ଜଣାଇବାର ଅବକାଶ ଆଣିଥିଲା ‘ଓଡ଼ିଶା ସିନେ କ୍ରିଟିକ୍‌ ଆସୋସିଏସନ୍‌’ ପକ୍ଷରୁ ଆୟୋଜିତ ‘ସ୍ମୃତି ତୁମେ ଅକ୍ଷୟ’।

‘ସଂସ୍କୃତି ଓ ସଂସ୍କୃତି’ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଅକ୍ଷୟ ସ୍ମୃତି ସନ୍ଧ୍ୟାରେ ଦୁଇ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା। ଗାଳ୍ପିକା ରୁମ୍‌ଝୁମ୍‌ ନାୟକଙ୍କୁ ‘ଅକ୍ଷୟ ସାହିତ୍ୟ ସମ୍ମାନ’ ଏବଂ କଣ୍ଠଶିଳ୍ପୀ ଛନ୍ଦା ମିଶ୍ରଙ୍କୁ ‘ଅକ୍ଷୟ ସଂଗୀତ ସମ୍ମାନ’ ପ୍ରଦାନ କରାଯାଇଥିଲା। ସାଂସଦ ଡ. ଅଚ୍ୟୁତ ସାମନ୍ତ, ବିଶିଷ୍ଟ ସାହିତ୍ୟିକା ଡ. ଅର୍ଚନା ନାୟକ ଅତିଥି ଭାବେ ଯୋଗ ଦେଇ ଏହି ସମ୍ମାନ ପ୍ରଦାନ କରିଥିବା ବେଳେ ଆୟୋଜକ ଅନୁଷ୍ଠାନର ସଭାପତି ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଏବଂ ସମ୍ପାଦକ ଦିଲ୍ଲୀପ ହାଲି ଉପସ୍ଥିତ ଥିଲେ।

ଏହି ଅବସରରେ ନଦୀର ନାମ ଅଳସ କନ୍ୟା.., ସହରରେ ଲାଗିଯିବ ନିଆଁ.., ସ୍ମୃତି ଏକ ରୁପା ଜହ୍ନ.., ନିଦ ମାଉସୀ ଦେ ଆଉଁସି.., ନଦୀ ଫେରେ ସାଗରକୁ.., ସାବି ସାବି.., ତୋର ଫୁସୁଲା ଫୁସୁଲି କଥା.., ଏଇ ଭରା ଜହ୍ନ ରାତି.., ଆଜି ମତେ ମିଳିଗଲା.. ଭଳି ଗୀତ ଗାଇ ଶୁଣାଇଥିଲେ ବିଚିତ୍ରାନନ୍ଦ ଦେଓ, ଶୈଳଭାମା, ଅର୍ଣ୍ଣବ ପଣ୍ଡା, ସୁଶାନ୍ତ ପଣ୍ଡା, ଛନ୍ଦା ମିଶ୍ର, ସତ୍ୟନାରାୟଣ ପରିଡ଼ା, ଆଦ୍ୟାଶା ଦାସ, ଅଚ୍ୟୁତ ମିଶ୍ର, ସଂଜୟ ମିଶ୍ର, ‌ଅତିଥି ରଂଜନ ଓ ବିଭୁବସୁ ଦତ୍ତ। ଡ. ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର