ବାୟା କରିଛି ‘ମାୟାରେ ବାୟା’…

ହ୍ଵାଟ୍‌ ଇଜ୍‌ ଦିସ୍‌… ଦିସ୍‌ ଇଜ୍‌ ମାୟାରେ ବାୟା… ଗୀତଟି ବର୍ତ୍ତମାନ ଯୁବପିଢ଼ିଙ୍କ ମଧ୍ୟରେ ରୋମାଞ୍ଚ ସୃଷ୍ଟି କରିଛି। ୟୁ ଟ୍ୟୁବ୍‌ଠାରୁ ଆରମ୍ଭ କରି ସୋସିଆଲ୍‌ ମିଡିଆ, ଚାରିଆଡ଼େ ଏହି ଗୀତ ସମସ୍ତଙ୍କୁ ପାଗଳ କରିଛି। ଖାଲି ଓଡ଼ିଶା ନୁହେଁ, ରାଜ୍ୟ ଓ ଦେଶ ବାହାରେ ମଧ୍ୟ ଏହାର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଜୁଲାଇ ୧୨ରେ ଓଡ଼ିଆ ଚଳଚ୍ଚିତ୍ର ‘ଟୋକାଟା ଫସିଗଲା’ ମୁକ୍ତିଲାଭ କରିବା ପୂର୍ବରୁ ଜୁଲାଇ ୨ରେ ବଲିଉଡ୍‌ ସୁପର୍‌ଷ୍ଟାର୍‌ ଟାଇଗର ସ୍ରଫ୍‌ ଏଥିରେ ନୃତ୍ୟ କରି ଓଡ଼ିଆମାନଙ୍କୁ ଡେଡିକେଟ୍‌ କରିଥିଲେ। ପୁଣି ୟୁ-ଟ୍ୟୁବ୍‌ରେ ମଧ୍ୟ ଏହାର ଭିଡିଓ ଅପ୍‌ଲୋଡ୍‌ କରିଥିଲେ। ଏହାର ନୃତ୍ୟ ସଂଯୋଜନା ଓଡ଼ିଆ ପୁଅ ତଥା ବଲିଉଡ୍‌ କୋରିଓଗ୍ରୋଫର୍‌ ବିକ୍ରମ ସ୍ୱାଇଁ। ବର୍ତ୍ତମାନ ସୁଦ୍ଧା ୟୁ-ଟ୍ୟୁବ୍‌ରେ ଏହାର ଦର୍ଶକଙ୍କ ସଂଖ୍ୟା ୧ ମିଲିୟନ୍‌ ଛୁଇଁଲାଣି। ପୁଣି ନାଇଜେରିଆର ଯୁବକ ସାମୁଏଲ୍‌ ଆଡିଗୁନ୍‌ ମଧ୍ୟ ‘ମାୟାରେ ବାୟା’ ହୋଇ ଏହି ଗୀତ ଗାଇ ୟୁ-ଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରିଛନ୍ତି। ଏହାର ଦର୍ଶକଙ୍କ ସଂଖ୍ୟା ବି ପ୍ରାୟ ୧ ଲକ୍ଷ ୯୦ ହଜାରରୁ ଊର୍ଧ୍ୱ। ଓଲିଉଡ୍‌ ଷ୍ଟାର୍‌ ସବ୍ୟସାଚୀ ଓ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ଏହି ଗୀତଟିକୁ ଗାଇ ପ୍ରାୟ ୩.୩ ମିଲିୟମ୍‌ ଲୋକଙ୍କ ହୃଦୟକୁ ଜିତି ସାରିଛନ୍ତି। ଏହାସହ ଅସୀମା ପଣ୍ଡାଙ୍କ ଭିଡିଓକୁ ପ୍ରାୟ ୨ ମିଲିୟମ୍‌ ଲୋକ ଦେଖି ସାରିଛନ୍ତି। ନିର୍ମଳ ନାୟକ ଗୀତଟିକୁ ଲେଖିଥିବା ବେଳେ ସଙ୍ଗୀତ ଦେଇଛନ୍ତି ବୈଦ୍ୟନାଥ ଦାସ।

ସମ୍ବନ୍ଧିତ ଖବର