‘ଶାଶୂଘର ଚାଲିଯିବି’ ପାଇଁ ମନେ ରହିବେ ରାଜ୍‌ ବଡ଼ଯାତ୍ୟା

ଭୁବନେଶ୍ବର: ‘ଶାଶୂଘର ଚାଲିଯିବି’ ଚଳଚ୍ଚିତ୍ର ନିର୍ମିତ ହୋଇସାରିଥାଏ। ପ୍ରଯୋଜକ ରାଜ୍‌ ବଡ଼ଯାତ୍ୟା ଚଳଚ୍ଚିତ୍ରର ନିର୍ଦେଶକ ବସନ୍ତ ସାହୁଙ୍କୁ ମୁମ୍ବାଇସ୍ଥିତ କାର୍ଯ୍ୟାଳୟକୁ ଡକାଇଲେ। କହ‌ିଲେ, ଆଜି ତୁମ ଚଳଚ୍ଚିତ୍ର ଏଇ କାର୍ଯ୍ୟାଳୟର ସିନେମା ହଲ୍‌ରେ ପ୍ରଦର୍ଶିତ ହେବ। ବସନ୍ତ ସାହୁ ସେଇ ହଲ୍‌ରେ ଦେଖିଲେ, ମାତ୍ର ୨୦ଜଣ ବସିଛନ୍ତି। ରାଜ ବଡ଼ଜାତ୍ୟା ବସନ୍ତଙ୍କୁ ଚିହ୍ନେଇ ଦେଇ କହିଲେ, ଏମାନେ କିଏ ଜାଣିଛ? ଏଠି ବସିଥିବା ସମସ୍ତ ଦର୍ଶକ ହେଉଛନ୍ତି ଓଡ଼ିଆ। ବସନ୍ତ ସାହୁ ମୁମ୍ବାଇରେ ଷ୍ଟୁଡିଓ ଭିତରେ ସେମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଫିଲ୍ମ ଚାଲିଲା। ତେବେ ରାଜ୍‌ଙ୍କ ଆଖି କିନ୍ତୁ ପରଦା ଉପରେ ନଥିଲା, ବରଂ ଥିଲା ସେଇ ୨୦ ଜଣ ଓଡ଼ିଆଙ୍କ ମୁହଁ ଉପରେ। କିଏ କେଉଁ ଦୃଶ୍ୟ ଦେଖି ହସୁଛି, କାନ୍ଦୁଛି ରାଜ୍‌ କେବଳ ସେୟା ଲକ୍ଷ୍ୟ କରୁଥିଲେ। ଚଳଚ୍ଚିତ୍ର ସରିବା ପରେ ରାଜ୍‌ ସିନା ଓଡ଼ିଆ ବୁଝିପାରିଲେନି, କିନ୍ତୁ ବସନ୍ତ ସାହୁଙ୍କୁ ପାଖକୁ ଡାକି କହିଲେ, ଏ ଚଳଚ୍ଚିତ୍ର ସୁପରହିଟ୍‌ ହେବ। ଗୁଣ ଚିହ୍ନେ ଗୁଣିଆ ଭଳି ରାଜ୍‌ଙ୍କ କଥା ସତ ହେଲା। ଚଳଚ୍ଚିତ୍ରଟି ଓଡ଼ିଶାରେ ଚହଳ ସୃଷ୍ଟି କଲା। ଚଳଚ୍ଚିତ୍ର ପାଇଁ ଯେ ଏମିତି ସମର୍ପିତ ପ୍ରତିଭା ଦୁନିଆରେ ଥାଇପାରନ୍ତି, ତାହା ସେଦିନ ଦେଖି ଅଭିଭୂତ ହୋଇଯାଇଥିଲେ ବସନ୍ତ। ଆଜି ରାଜ୍‌ ଦୁନିଆରୁ ବିଦାୟ ନେଇଥିବା ବେଳେ ତାଙ୍କ ସହ ସେଇ ଅନ୍ତରଙ୍ଗ କଥାକୁ ମନେ ପକେଇବା ବେଳେ ବାରମ୍ବାର ତାଙ୍କ ପ୍ରତିଭାକୁ ସଲାମି ଦେଉଥିଲେ ବସନ୍ତ। ରାଜଶ୍ରୀ ପ୍ରଡକ୍ସନ୍‌ ପକ୍ଷରୁ ୨୦୦୫ ମସିହା ଜୁନ୍‌ ୧୪ ତାରିଖରେ ମୁକ୍ତିଲାଭ କରିଥିବା ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର ‘ଶାଶୂଘର ଚାଲିଯିବି’ର ପ୍ରଯୋଜକ ଥିଲେ ରାଜ୍‌। ତେବେ ଏହି ଚଳଚ୍ଚିତ୍ର ଆଜିକାଲିକା ୨-୩ ମାସରେ ନିର୍ମିତ ହୋଇଯାଉଥିବା ଚଳଚ୍ଚିତ୍ର ଭଳି ନଥିଲା। ଏଥିପାଇଁ ତାଙ୍କୁ ବର୍ଷେ ସମୟ ଲାଗିଥିଲା। ଓଡ଼ିଶାରୁ ଯେବେ ୭ଜଣ ନିର୍ଦେଶକଙ୍କ ୭ଟା ଓଡ଼ିଆ ଚଳଚ୍ଚିତ୍ର ମଗେଇ ରାଜ୍‌ ଦେଖିଲେ ସେତେବେଳେ ବସନ୍ତଙ୍କର ‘କଳାମାଣିକ’ ଚଳଚ୍ଚିତ୍ର ଦେଖି ତାଙ୍କୁ ଡକାଇ ପଠାଇଥିଲେ। ଆଜି ରାଜ୍‌ ନାହାନ୍ତି, ମାତ୍ର ଓଡ଼ିଆ ଚଳଚ୍ଚିତ୍ର ରାଇଜ ତାଙ୍କର ଏ ଅବଦାନ ପାଇଁ ଚିର କାଳ ମନେ ରଖିଥି‌ବ।

ସମ୍ବନ୍ଧିତ ଖବର