ସରିଲା ‘ଓଡ଼ିଆ ନବବର୍ଷ ମହୋତ୍ସବ’ : ଓଡ଼ିଆ ନବବର୍ଷ ଆମ ଅସ୍ମିତା ଓ ସ୍ୱାଭିମାନର ପର୍ବ

ଭୁବନେଶ୍ୱର : ଶେଷ ହୋଇଛି ସଂସ୍କୃତି, ଐତିହ୍ୟ ଓ ପରମ୍ପରାରର ପାର୍ବଣ ‘ଓଡ଼ିଆ ନବବର୍ଷ ମହୋତ୍ସବ’। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଉତ୍କଳ ମଣ୍ଡପରେ ଆୟୋଜିତ ଅନ୍ତିମ ସନ୍ଧ୍ୟାରେ ପାରମ୍ପରିକ ନୃତ୍ୟ ସହ ଆକର୍ଷଣ ସାଜିଥିଲା ଓଡ଼ିଆ/ଓଡ଼ିଆଣୀ ବେଶରେ ମଡେଲ୍‌ଙ୍କ ଫେସନ୍‌ ସୋ’।

ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଗବତ ଟୁଙ୍ଗୀ, ଭାଷା କମିସନ, ଓଡ଼ିଆରେ ବାଧ୍ୟତାମୂଳକ ନଥି ପ୍ରସ୍ତୁତି, ଭର୍ଚୁଆଲ୍‌ ଏକାଡେମି ସମ୍ବନ୍ଧରେ ସୂଚନା ଦେଇଥିଲେ। ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ମୟୂରଭଂଜ ଓ ରୟଗଡ଼ାରେ ଯେପରି ଓଡ଼ିଆ ଭାଷାକୁ ବ୍ୟବହାର କରାଯାଉଛି ଭୁବନେଶ୍ୱରରେ ତାହା ହେଉନାହିଁ। ମାତୃଭାଷାରେ ସାମର୍ଥ୍ୟ ହାସଲ କଲେ କେହି ଚୂଡ଼ା ହୋଇଯାଏନି। ମଣିଷ ନିଜ ମାତୃଭାଷାରେ ହିଁ ଭାବ ଓ ଅନୁଭବକୁ ଦୃଢ଼ ଭାବେ ଉପସ୍ଥାପନ କରିପାରେ। ଓଡ଼ିଆ ଭାଷାକୁ କାରିଗରୀ ଅନୁକୂଳ କରିବା ସହ ପିଲାମାନଙ୍କୁ ଓଡ଼ିଆରେ ବାର୍ତା ଓ ଢଗ ପଠାଇବାକୁ ଆଗ୍ରହ ପ୍ରକାଶ ପାଉ ବୋଲି ସେ କହିଛନ୍ତି। ଏଥିସହିତ ସରକାର ସାରା ଓଡ଼ିଶାରେ ପିଲାମାନଙ୍କ ମଧ୍ୟରେ ଶୁଦ୍ଧ ଓଡ଼ିଆ ଲିଖନ ପ୍ରତିଯୋଗିତା ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ। ବିଶିଷ୍ଟ ଔପନ୍ୟାସିକା ପ୍ରତିଭା ରାୟ କହିଥିଲେ, ଓଡ଼ିଆ ନବବର୍ଷ ଆମ ଅସ୍ମିତା ଓ ସ୍ୱାଭିମାନର ପର୍ବ। ପ୍ରଥମେ ନିଜକୁ ଓଡ଼ିଆ ବୋଲି ଗର୍ବ କରିବା ଉଚିତ୍‌। ଆମ ସଂସ୍କୃତିକୁ ଭୁଲିଯିବା ନାହିଁ। ଓଡ଼ିଆ ଯେ ଆମ ଆତ୍ମା ଓ ମାଟିର ଭାଷା ଏହା ସବୁବେଳେ ଧ୍ୟାନ ରଖିବା ଉଚିତ୍‌ ବୋଲି ସେ କହିଥିଲେ। ବିଧାୟକ ବିଜୟ ମହାନ୍ତି ବକ୍ତବ୍ୟରେ ଓଡ଼ିଆ ପ୍ରୀତି ଜାଗରଣ ପାଇଁ କହିଥିଲେ। ପ୍ରାରମ୍ଭରେ ସଂସ୍କୃତି ବିଭାଗର ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ନିର୍ଦେଶକ ବିଜୟ କୁମାର ନାୟକ ଉପସ୍ଥିତ ଥିଲେ।

ଏହି ଅବସରରେ ଓଡ଼ିଶା ହସ୍ତତନ୍ତ ଓ ଅଳଙ୍କାର ପିନ୍ଧି ପାରମ୍ପରିକ ସଂଗୀତର ତାଳେତାଳେ ମଡେଲ୍‌ମାନେ ଚାଲିବା ବେଶ୍‌ ଆକର୍ଷଣୀୟ ଅନୁଭବ ଦେଇଥିଲା। ପ୍ରଜ୍ଞା ମିଶ୍ର ଓ ସୂଚିସ୍ମିତା ମନ୍ତ୍ରୀ ଏହାର ପରିକଳ୍ପନା ଓ ସାଜ ପ୍ରସ୍ତୁତ କରିଥିଲେ। ପରେ ସମ୍ବଲପୁରୀ ଲୋକନୃତ୍ୟ, ଗଞ୍ଜାମର ଚଢ଼େୟା ନୃତ୍ୟ ଏବଂ ବିଶିଷ୍ଟ କଣ୍ଠଶିଳ୍ପୀ ସୁବାସ ଦାଶ ଓ ସାଥୀଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯାଇଥିଲା। ୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ଚଳଚ୍ଚିତ୍ର ‘ହାଲୋ ଆର୍‌ସି’ର ପ୍ରଯୋଜକ ଅଜୟ କୁମାର ରାଉତରାୟ, ଅଭିନେତ୍ରୀ ପ୍ରିୟମ୍ବଦା ରାୟ, ଅଭିନେତା ପାର୍ଥସାରଥୀ ରାୟ ଏବଂ ଚଳଚ୍ଚିତ୍ରର ନିର୍ଦେଶକ ସ୍ୱର୍ଗତ ସମ୍ବିତ ମହାନ୍ତିଙ୍କ ପତ୍ନୀ ଋତୁ ପଟ୍ଟନାୟକଙ୍କୁ ସମ୍ବର୍ଧିତ କରାଯାଇଥିଲା। ଏଥିସହିତ ମୁଖା ଶିଳ୍ପୀ ସ୍ୱର୍ଣ୍ଣଲତା ମହାପାତ୍ର ଏବଂ ମୃତ୍ତିକା ଶିଳ୍ପୀ ଗଦାଧର ପାତ୍ରଙ୍କୁ ୫ହଜାର ଟଙ୍କା ଲେଖାଏଁ ଅର୍ଥରାଶି ସହ ସମ୍ବର୍ଧିତ କରାଯାଇଥିଲା। ଉତ୍ସବରେ ଡ.ଅରବିନ୍ଦ ଗିରିଙ୍କ ସଂକଳିତ ‘ହରିଶ୍ଚନ୍ଦ୍ର ବଡ଼ାଲ ଗ୍ରାନ୍ଥାବଳୀ’, ଚନ୍ଦ୍ରମୋହନ ମହାରଣାଙ୍କ ଚନ୍ଦ୍ରମୋହନ ଗ୍ରନ୍ଥାବଳୀ ଏବଂ ଡ.ଭଗବାନ ଜୟସିଂହ ଓ ଡ.ଅଶ୍ୱିନୀ ମିଶ୍ରଙ୍କ ସମ୍ପାଦିତ ‘କୋଣାର୍କ’ ପତ୍ରିକାର ଇଂରାଜୀ ସଂସ୍କରଣ ଉନ୍ମୋଚିତ ହୋଇଥିଲା। ଡ.ମୃତ୍ୟୁଞ୍ଜୟ ରଥ ଏବଂ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର