୯ରୁ ନୂଆଦିଲ୍ଲୀରେ ‘ଓଡ଼ିଶା ପର୍ବ’ : ବିଶାଳ ମଞ୍ଚରେ ଝଲସିବ ଓଡ଼ିଆଙ୍କ ବୀରତ୍ୱ ଗାଥା

ଭୁବନେଶ୍ୱର : ନୂଆଦିଲ୍ଲୀରେ ବହିବ ଓଡ଼ିଆ ପରମ୍ପରାର ମଳୟ। ନୃତ୍ୟ ଗୀତରେ ସଂରଚିତ ହେବ ଓଡ଼ିଆଙ୍କ ବୀରତ୍ୱ ଗାଥା। ଖାଣ୍ଟି ଓଡ଼ିଆ ଖାଦ୍ୟରେ ମହକିବ ନୂଆଦିଲ୍ଲୀର ରାଜରାସ୍ତା। ଐତିହ୍ୟ ଓ କଳା ଚାତୁର୍ଯ୍ୟରେ ଝଟକିବ ୨ଲକ୍ଷ ୬୦ ହଜାର ବର୍ଗଫୁଟର ବିଶାଳ ମଞ୍ଚ। ନୂଆଦିଲ୍ଲୀର ‘ଓଡ଼ିଆ ସମାଜ’ ପକ୍ଷରୁ ମାର୍ଚ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ‘ଓଡ଼ିଶା ପର୍ବ’ ଭେଟିଦେବ ଏହିଭଳି ଏକ ଓଡ଼ିଆ ମହକ।

ଇଣ୍ଡିଆ ଗେଟ୍‌ ଲନ୍‌ ନମ୍ବର ୬ର ବିଶାଳ ପରିବେଶର ପ୍ରବେଶ ପଥକୁ ଦୋଳ ବିମାନର ରୂପ ଦିଆଯିବ। ରଙ୍ଗର ପର୍ବ ଦୋଳ ଯାତ୍ରାର ଝଲକ ଦେଖିବାକୁ ମିଳିବ। ଚାନ୍ଦୁଆ ଓ ପଟ୍ଟଚିତ୍ରରେ ସୁସଜ୍ଜିତ ପ୍ରବେଶ ପଥ ସାଙ୍ଗକୁ ମୁଖ୍ୟ ମଞ୍ଚକୁ ବାରବାଟୀ ଦୁର୍ଗର ରୂପ ଦିଆଯିବ। ‘ଉନବିଂଶ ଓ ବିଂଶ ଶତାବ୍ଦୀରେ ଇଂରେଜ ଶାସନ ବିରୋଧରେ ଓଡ଼ିଆ ବୀରଙ୍କ ସଂଗ୍ରାମ’ ଚଳିତ ବର୍ଷ ଓଡ଼ିଶା ପର୍ବର ବିଷୟବସ୍ତୁ ରଖାଯାଇଥିବା ବେଳେ ଏହି ଆଧାରିତ ଏକ ମଲ୍‌ଟି ପ୍ରୋଜେକ୍ସନ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ।

ଖାଦ୍ୟ ହାଟରେ ଓଡ଼ିଆ ଘରର ମିଠା, ପିଠା, ବଡ଼ି, ପାମ୍ପଡ଼, ଆଚାର, ଘୁଗୁନି, ଦହିବରା, ଚାଟ୍‌, ଓଡ଼ିଆ ଥାଳି ଉପଲବ୍ଧ ହେବ। ଶ୍ରୀକ୍ଷେତ୍ର ପ୍ରସିଦ୍ଧ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୋଗର ସ୍ୱାଦ ମଧ୍ୟ ନେଇ ହେବ। ହସ୍ତଶିଳ୍ପ ହାଟରେ ପୁରସ୍କାର ପ୍ରାପ୍ତ ସ୍ଥପତି ଓ ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ଡୋକ୍ରା, ଚାନ୍ଦୁଆ, ପଥର ସ୍ଥପତି, ପଟ୍ଟଚିତ୍ର ଏବଂ କାଗଜ ମଣ୍ଡ କଳାକୃତିର ସମ୍ଭାର ଓଡ଼ିଶାର ସମୃଦ୍ଧ କଳା ଚାତୁରୀକୁ ପ୍ରମାଣିତ କରିବ। ଏଥିସହ କୋଟପାଡ଼, ବରପାଲି, ବରଗଡ଼, ବ୍ରହ୍ମପୁର, ନୂଆପାଟଣା, କଟକର ତନ୍ତ ବୁଣା ଶାଢ଼ି ସମେତ ଖୋର୍ଧା ଲୁଙ୍ଗି, ଗାମୁଛା ଉପଲବ୍ଧ ହେବ। ପଦ୍ମଶ୍ରୀ ଅରୁଣା ମହାନ୍ତି, ପ୍ରେମ ଆନନ୍ଦ, ଅଭିଜିତ ମଜୁମଦାର, କ୍ରିଷ୍ଣା ବେଉରା, କୁନା ତ୍ରିପାଠୀ, ସ୍ମୃତିରେଖା, ଅନ୍ତରା ଚକ୍ରବର୍ତୀ, ଶର୍ମିଷ୍ଠା, ବିଷ୍ଣୁମୋହନ କବି, ଅଭିଜିତ ମିଶ୍ର ପ୍ରମୁଖ ନୃତ୍ୟ, ସଂଗୀତ ଓ ଅଭିନୟରେ ରୋମାଞ୍ଚ ଭରିବେ।

ଏହି ଅବସରରେ ଫ୍ୟାସନ୍‌ ଡିଜାଇନ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆର ସଭାପତି ସୁନିଲ ସେଟ୍ଟୀଙ୍କ ତତ୍ତ୍ୱାବଧାନରେ ଫ୍ୟାସନ୍‌ ସୋ ଆୟୋଜିତ ହେବ। ଓଡ଼ିଶାର ତନ୍ତବୁଣାର ସୂକ୍ଷ୍ମ କାରୁକାର୍ଯ୍ୟକୁ ଫ୍ୟାସନ୍‌ ସୋ’ରେ ପ୍ରଦର୍ଶିତ କରାଯିବ। ସମୃଦ୍ଧ ଓଡ଼ିଆ ସଂସ୍କୃତିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ସହ ଓଡ଼ିଶା ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ନେଇ ଏହି ବିଶାଳ ପର୍ବ ଆୟୋଜନ କରାଯାଇଛି।

ସମ୍ବନ୍ଧିତ ଖବର