ଓଡ଼ିଆ ସ୍ୱାଭିମାନ ସମାରୋହରେ ଓଡ଼ିଆଣୀ ଗାଇଲେ ଓଡ଼ିଆ ସଙ୍ଗୀତ

ଭୁବନେଶ୍ୱର : ଓଡ଼ିଶା ଭୂଖଣ୍ଡକୁ ସ୍ୱତନ୍ତ୍ର ରାଜ୍ୟର ରୂପ ଦେଇଥିବା ମହାନ ଦେଶଭକ୍ତ, ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସ୍ମରଣୀୟ ଜୟନ୍ତୀ ବା ଓଡ଼ିଆ ସ୍ୱାଭିମାନ ଦିବସ ଆଜି ଏକାମ୍ର ହାଟଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୨୦୧୮ର ଶ୍ରେଷ୍ଠ ଓଡ଼ିଆଣୀ କ୍ଷଣପ୍ରଭା ଦାସ ଓ ୨୦୧୭ର ଶ୍ରେଷ୍ଠ ଓଡ଼ିଆଣୀ ମଧୁସ୍ମିତା ଦାସ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏଥିରେ ସଂଭାବନାର ସଂପାଦକ ଦେବ ପ୍ରସାଦ ପରିଜା ମଧୁବାବୁଙ୍କ ବିଷୟରେ ସୂଚନା ଦେଇ ଓଡ଼ିଆ ସଙ୍ଗୀତ ପରିବେଷଣ ଓ ପ୍ରତିଯୋଗିତା କରିଥିଲେ।

ସଙ୍ଗୀତ ପ୍ରତିଯୋଗିତା ପରେ ସଭାରେ ପ୍ରଖ୍ୟାତ ସଂଗୀତ ଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ଓ ସାହିତ୍ୟିକ ଦାଶ ବେନୁହର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ମଞ୍ଚରେ ଜଣକ ପରେ ଜଣେ ଓଡ଼ିଆଣୀ ପରିବେଷଣ କରିଥିଲେ। ସୁମଧୁର ଓଡ଼ିଆ ସଙ୍ଗୀତ। ଏଥିରେ ସଂଗୀତ ଶିଳ୍ପୀ ସୁନିତା ନାୟକ, ପ୍ରଖ୍ୟାତ ତବଲା ବାଦକ ଅଜୟ ଚୌଧୁରୀ ଓ ଲିପସା ମିଶ୍ର ବିଚାରକ ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତ, ସଂଭାବନା ଓଡ଼ିଆଣୀ ସମିତିର ସଂଯୋଜିକା ସୌଦାମିନୀ ସାମଲ, ରାଜଶ୍ରୀ ଶତପଥୀ, ପ୍ରଫୁଲ୍ଲ ଦେ, ସୁଜିତ ପଟ୍ଟନାୟକ ଓ ସଭ୍ୟ ସତ୍ୟବ୍ରତ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର