୨୭ରେ ଓଡ଼ିଆ ସ୍ୱାଭିମାନ ସମାରୋହ : ପ୍ରଦାନ କରାଯିବ ‘ଶ୍ରେଷ୍ଠ ଓଡ଼ିଆଣୀ ସମ୍ମାନ-୨୦୧୮’

ଭୁବନେଶ୍ୱର : ଆସନ୍ତା ୨୮ ତାରିଖରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ପାଳିତ ହେବ ‘ସ୍ୱାଭିମାନ ଦିବସ’। ଏହାର ଦିନକ ପୂର୍ବରୁ ଅର୍ଥାତ୍‌ ୨୭ ତାରିଖ ସଂଧ୍ୟାରେ ସଂଭାବନା ଟ୍ରଷ୍ଟ ପକ୍ଷରୁ ଜୟଦେବ ଭବନଠାରେ ଓଡ଼ିଆ ସ୍ୱାଭିମାନ ସମାରୋହ ଆୟୋଜନ କରାଯିବ। ଗତ ବିଷୁବ ସଂକ୍ରାନ୍ତିରେ ଶେଷ ହୋଇଥିବା ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତାରେ ଶୀର୍ଷ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ ‘ଶ୍ରେଷ୍ଠ ଓଡ଼ିଆଣୀ ସମ୍ମାନ ୨୦୧୮’ରେ ଉକ୍ତ ସମାରୋହରେ ସମ୍ମାନିତ କରାଯିବ। ତା’ ସହ ‘ସହ ଶ୍ରେଷ୍ଠ ଓଡ଼ିଆଣୀ’ ଏବଂ ‘କୃତି ଓଡ଼ିଆଣୀ’ମାନେ ମଧ୍ୟ ସମ୍ବର୍ଧିତ ହେବେ। ଆଜି ସଂଭାବନା ଟ୍ରଷ୍ଟ ପକ୍ଷରୁ ଗୋଦାବରୀଶ ସାହିତ୍ୟ ସଂସଦଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂପାଦକ ଦେବପ୍ରସାଦ ପରିଜା ଏହି ସୂଚନା ଦେଇଛନ୍ତି।

ଉତ୍ସବକୁ ପୁରୁଖା ଚଳଚ୍ଚିତ୍ର ଅଭିନେତ୍ରୀ ଝରଣା ଦାସ ଉଦ୍‌ଘାଟନ କରିବେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯିବ। ଉତ୍ସବରେ ବହୁ ସଂଖ୍ୟାରେ ଓଡ଼ିଆପ୍ରେମୀ ଯୋଗ ଦେବାକୁ ସଂଭାବନାର ସଂପାଦକ ଶ୍ରୀ ପରିଜା, ସଂଭାବନା ଓଡ଼ିଆଣୀ ସମିତିର ସଂଯୋଜିକା ସୌଦାମିନୀ ସାମଲ, ୨୦୧୭ର ଶ୍ରେଷ୍ଠ ଓଡ଼ିଆଣୀ ମଧୁସ୍ମିତା ଦାସ ଓ ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତି ପ୍ରମୁଖ ଅନୁରୋଧ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଭ୍ୟ ପ୍ରଫୁଲ୍ଲ ଦେ, ସତ୍ୟବ୍ରତ ମହାପାତ୍ର ଓ ସୁଜିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ ବିଷୁବ ସଂକ୍ରାନ୍ତି ଅବସରରେ ଏକାମ୍ର ହାଟରେ ପାଞ୍ଚ ଦିନିଆ ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଶେଷ ଦିବସରେ ଓଡ଼ିଆ ଭାଷା ପାଇଁ ଗବେଷଣାରତ ଡାକ୍ତର ଦେବାଶିଷ ଜେଠୀ, କବି ତଥା ରାଜନେତା ଶଙ୍କର୍ଷଣ ପରିଡ଼ା, ଉପାନ୍ତ ଅଞ୍ଚଳ ବଡ଼ବିଲ୍‌ରେ ଓଡ଼ିଆ ଭାଷା ପାଇଁ କାର୍ଯ୍ୟ କରୁଥିବା ଅନୁଷ୍ଠାନ ‘ନୀଳାଦ୍ରି’ର ସଭାପତି ବଳରାମ ମହାନ୍ତି ଓ ସମ୍ପାଦକ କପିଳ ପ୍ରସାଦ ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିଲା।

୨୫ରୁ ଓଡ଼ିଶୀ ସଂଗୀତ ମହୋତ୍ସବ
ଭୁବନେଶ୍ୱର : ସଂଗୀତ ସୁଧାକର ବାଳକୃଷ୍ଣ ଦାଶ ଫାଉଣ୍ଡେସନ୍‌ ପକ୍ଷରୁ ଆସନ୍ତା ୨୫ ତାରିଖରୁ ଭଂଜ କଳାମଣ୍ଡପରେ ଆୟୋଜିତ ହେବ ୪ ଦିନିଆ ଓଡ଼ିଶୀ ସଂଗୀତ ମହୋତ୍ସବ। ପ୍ରତିଦିନ ସକାଳ ୧୦ରୁ ରାତି ୧୦ଟା ପର୍ଯ୍ୟନ୍ତ ପାରିମ୍ପରିକ, ଶାସ୍ତ୍ରୀୟ ସଂଗୀତ ପରିବେଷଣ ହେବ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨ ହଜାର ଶାସ୍ତ୍ରୀୟ ଓ ପାରମ୍ପରିକ କଣ୍ଠଶିଳ୍ପୀ ସଂଗୀତ ପରିବେଷଣ କରିବେ ବୋଲି ଫାଉଣ୍ଡେସନ୍‌ର ଆବାହକ ଅରକ୍ଷିତ ଦାଶ ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି।

ସମ୍ବନ୍ଧିତ ଖବର