ବାଲିପାଟଣା : ବାଲିପାଟଣା ଥାନା ଦେଉଳିଧରପୁର ପଞ୍ଚାୟତ ଶିରିପାରି ଭୋଇସାହିର ଟୁକୁନା ଭୋଇ(୩୫)ଙ୍କ ହାଇଦ୍ରାବାଦରେ ମୃତ୍ୟୁ ହୋଇଛି। ମୃତ୍ୟୁର ୪ଦିନ ପରେ ଶବ ଚିହ୍ନଟ କରାଯାଇଥିଲା। ଗତ ୧୦ ତାରିଖରେ ଟୁକୁନା ନିଖୋଜ ଥିଲେ। ଶୁକ୍ରବାର ହାଇଦ୍ରାବାଦ ପୁଲିସ୍ ଶବ ଉଦ୍ଧାର କରି କମ୍ପାନି କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ଚିହ୍ନଟ କରାଯାଇଥିଲା। ଟୁକୁନାଙ୍କୁ ମାରି ଦିଆଯାଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି।
ପରିବାର ସଦସ୍ୟଙ୍କ ସୂଚନା ମୁତାବକ, ୭ବର୍ଷ ହେବ ଟୁକୁନା ହାଇଦ୍ରାବାଦର ଏକ ସନ୍ମାଇକା ଏବଂ ପ୍ଲାଇ କମ୍ପାନିରେ କାର୍ଯ୍ୟ କରୁଥିଲେ। କୌଣସି କାରଣକୁ ନେଇ ଠିକାଦାରଙ୍କ ସହିତ ଝଗଡ଼ା ହେବାରୁ କାମ ଛାଡ଼ି ଚାଲି ଆସିଥିଲେ। ଅଢେଇଞ୍ଚ ଗ୍ରାମର ଠିକାଦାର ବାପି ପାତ୍ର କାମ କରିବାକୁ ପୁନର୍ବାର ଡକାଇବାରୁ ଦୁଇ ମାସ ତଳେ ଯାଇଥିଲେ। ଘଟଣା ଦିନ ଠିକାଦାର ଏବଂ ଟୁକୁନା ବଜାରକୁ କିଛି ଜିନିଷ କିଣିବା ପାଇଁ ଯାଇଥିଲେ। କିନ୍ତୁ ଠିକାଦାର ଏକୁଟିଆ ଆସି ରାତିରେ ରୁମ୍ରେ ବିଶ୍ରାମ ନେଇଥିଲେ। ୪ ଦିନ ଧରି ଟୁକୁନା ନ ଫେରିବାରୁ ସେଠାରେ ରହୁଥିବା ଟୁକୁନାଙ୍କ ଶଳା ମାର୍ଥାପୁର ଗ୍ରାମର ଅଶୋକ ଭୋଇ ଠିକାଦାରଙ୍କୁ ପଚାରିଥିଲେ। ଠିକାଦାର କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିବା ଅଶୋକ କହିଛନ୍ତି।