୫ଦିନିଆ ଓଡ଼ିଆଣୀ ପ୍ରତିଯୋଗିତା ଉଦ୍‌ଯାପନୀ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା : ଝୋଟି ଆଙ୍କିଲେ, ମିଠା ପାନ ବାଣ୍ଟିଲେ

ଭୁବନେଶ୍ୱର : ଏକାମ୍ର ହାଟଠାରେ ସଂଭାବନା ପକ୍ଷରୁ ଆୟୋଜିତ ଓଡ଼ିଆ ମହୋତ୍ସବ ଓ ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା ଉଦ୍‌ଯାପନୀ ଉତ୍ସବର ଦ୍ୱିତୀୟ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ଚିତା ବା ଝୋଟି ଆଙ୍କା। ସେହିପରି ରଜ ମହୋତ୍ସବକୁ ମନେପକାଇବା ପାଇଁ ଉତ୍ସବ ସ୍ଥଳରେ ଭଙ୍ଗା ଯାଇଥିଲା ମିଠାପାନ। ଓଡ଼ିଆଣୀମାନେ ସୁନ୍ଦର ସୁନ୍ଦର ଝୋଟି ପକାଇ ଦର୍ଶକମାନଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିବା ବେଳେ ମିଠାପାନ ମଧ୍ୟ ବହୁ ଦର୍ଶକଙ୍କ ମନକୁ ଟାଣିଥିଲା।

ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ ମେୟର ଅନନ୍ତ ନାରାୟଣ ଜେନା, ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ, ଯୁବ ଭାଷା ଗବେଷକ ଡ.ସୁବ୍ରତ କୁମାର ପୃଷ୍ଟି, ଓ ୨୦୧୭ର ଶ୍ରେଷ୍ଠ ଓଡ଼ିଆଣୀ ମଧୁସ୍ମିତା ଦାସ ପ୍ରମୁଖ ଯୋଗ ଦେଇଥିଲେ। ସଂଭାବନା ଟ୍ରଷ୍ଟି ସ୍ମୃତି ମହାନ୍ତିଙ୍କ ସଂଯୋଜନାରେ ପାନଭଙ୍ଗା ପ୍ରତିଯୋଗିତାରେ ବୈଷ୍ଣବ ଚରଣ ମହାନ୍ତି, ଦୁର୍ଗା ଚରଣ ଷଡ଼ଙ୍ଗୀ, ବିଜୟ କୁମାର ମହାନ୍ତି ଏବଂ ଝୋଟି ପ୍ରତିଯୋଗିତାରେ ଚିତ୍ରଶିଳ୍ପୀ ଗଜେନ୍ଦ୍ର ପାଢ଼ୀ, ସୁବ୍ରତ ମଲ୍ଲିକ ଓ ବିଦ୍ୟୁତ ଲତା ପାଟ୍ଟଶାଣୀ ପ୍ରମୁଖ ବିଚାରକ ଭାବେ ଯୋଗଦେଇଥିଲେ। ଏହି ଅବସରରେ ଦିବ୍ୟଜ୍ୟୋତି ଅନୁଷ୍ଠାନ ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଭାବନାର ସଂପାଦକ ଦେବ ପ୍ରସାଦ ପରିଜା ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ରାଜଶ୍ରୀ ଶତପଥୀ, ପ୍ରଫୁଲ୍ଲ ଦେ ଓ ସତ୍ୟବ୍ରତ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ। ଆସନ୍ତା କାଲି ଓଡ଼ିଆଣୀଙ୍କ ମଧ୍ୟରେ ହୁଳହୁଳି ଓ ତିଅଣ ପ୍ରତିଯୋଗିତା ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର