‘କଳାକାରଙ୍କ ଭଳି କାରିଗରଙ୍କୁ ପେନସନ୍‌ ଦିଆଯାଉ’

ଭୁବନେଶ୍ବର : କଳାକାରଙ୍କ ଭଳି କାରିଗରଙ୍କୁ ପେନସନ୍‌ ଦେବାକୁ ଦାବି କରିଛି ଓଡ଼ିଶା ଶିଳ୍ପୀ ମହାସଂଘ। ଆଜି ଏକାମ୍ର ହାଟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ପଦ୍ମଶ୍ରୀ ସୁଦର୍ଶନ ସାହୁ କହିଛନ୍ତି, ଉତ୍କୃଷ୍ଟ କଳା କାରିଗରି ପାଇଁ ଆମ ରାଜ୍ୟର ଖ୍ୟାତି ରହିଛି। ଆଜି ବି ଆମ କାରିଗରଙ୍କ ହାତଗଢ଼ା ମଠ, ମନ୍ଦିର ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। ଓଡ଼ିଆ ଜାତିଙ୍କୁ ବିଶ୍ବ ଦରବାରରେ ସ୍ବତନ୍ତ୍ର ପରିଚୟ ଦେଇଛି। ରାଜ୍ୟର ସ୍ୱନାମଧନ୍ୟ ଶିଳ୍ପୀ ଓ ବୁଣାକାରଙ୍କୁ ସର୍ବାଧିକ ପଦ୍ମଶ୍ରୀ ଏବଂ ପଦ୍ମ ବିଭୂଷଣ ଉପାଧି ମିଳିଛି। ଅନେକ ଜାତୀୟ ପୁରସ୍କାର, ରାଜ୍ୟ ପୁରସ୍କାର, ଲଳିତ କଳା ଏକାଡେମି ପୁରସ୍କାର ପାଇଥିବା ବେଳେ ହସ୍ତତନ୍ତରେ ୩୦ରୁ ଅଧିକ ବୁଣାକାର ବିଭିନ୍ନ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ରାଜ୍ୟରେ ୧୫ଲକ୍ଷରୁ ଅଧିକ ହସ୍ତଶିଳ୍ପ ଓ ହସ୍ତତନ୍ତକୁ ପାଥେୟ କରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି। ତେଣୁ କଳାକାରଙ୍କ ଭଳି ୪୦ବର୍ଷର ମହିଳା ଓ ୫୦ ବର୍ଷର ପୁରୁଷ ହସ୍ତଶିଳ୍ପୀଙ୍କୁ ମାସିକ ୧୨ଶହ ଟଙ୍କା ପେନସନ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ, ୨ଲକ୍ଷ ଟଙ୍କାର ମୃତ୍ୟୁକାଳୀନ ସହାୟତା, ଭୂମିହୀନ କାରିଗରଙ୍କୁ ଘରଡ଼ିହ, ପିଲାଙ୍କୁ ଛାତ୍ରବୃତ୍ତି, ବିନା ସୁଧରେ ଋଣ ପ୍ରଦାନ ଆଦି ଦାବି କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଭାସ୍କର ମହାରଣା, ପ୍ରିୟରଂଜନ କର ଓ ଉଦୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର