ସଂସ୍କୃତି ବିଭାଗ ସମ୍ପତ୍ତି ପୁନରୁଦ୍ଧାର ହୋଇପାରୁନି, ନାକେଦମ କରିବ ମୌସୁମୀ

ଭୁବନେଶ୍ବର : ଆର୍‌ଏଣ୍ଡ୍‌ବି ଓ ଜିଇଡି ଯାଇ ସ୍ଥିତି ଅନୁଧ୍ୟାନ କଲା। ୟୁନେସ୍କୋ ସଦସ୍ୟ ଓ ବିଶ୍ବବ୍ୟାଙ୍କ୍‌ ଟିମ୍‌ ଆସି ବୁଲିକି ଗଲେ। ଅଥଚ ବାତ୍ୟାର ମାସକ ପରେ ବି ସ୍ଥିତି ସୁଧୁରିଲାନି। ସଂସ୍କୃତି ବିଭାଗ ୭୨କୋଟି ଟଙ୍କାର କ୍ଷୟକ୍ଷତି ଦେଖେଇ ସାରିଥିଲେ ବି ଏପର୍ଯ୍ୟନ୍ତ ଏଗୁଡ଼ିକୁ ପୁନରୁଦ୍ଧାର କରାଯାଇନାହିଁ।

ରାଜ୍ୟ ସଂଗ୍ରହାଳୟରେ ୧୫କୋଟି ଟଙ୍କାର କ୍ଷୟକ୍ଷତି ରିପୋର୍ଟ ହୋଇଛି। ସମ୍ମିଳନୀ କକ୍ଷର ଛାତ ସମ୍ପୂର୍ଣ୍ଣ ଉଡ଼ି ଯାଇଛି। ଏଣେ ମୌସୁମୀ ବି ନିକଟତର ହେଲାଣି। ନିକଟରେ ହୋଇଥିବା ବର୍ଷାରେ ସମ୍ମିଳନୀ କକ୍ଷରେ ପାଣି ପଶି ନାକେଦମ କରିଥିଲା। ଆଗକୁ ବର୍ଷା ଆହୁରି ନାକେଦମ କରିବା ସୂଚନା ଦେଇ ସାରିଲାଣି। ‌ମାତ୍ର ଏଯାଏଁ ଏ ସବୁକୁ ସୁଧାରିବାକୁ ଉଦ୍ୟମ ଆରମ୍ଭ ହୋଇନାହିଁ। ଅବଶ୍ୟ ମ୍ୟାଟ୍‌ ଉପରେ ପାଣି ପଡ଼ି ନଷ୍ଟ ହୋଇଯାଇଥିବାରୁ ତାକୁ ଶୁଖାଇବା ପରେ ଏବେ ପାଇକ ଗ୍ୟାଲେରିରେ ସୋ’ ଆରମ୍ଭ ହୋଇଛି। ଏସି ସଜାଡ଼ିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଆଇସିଜେଡ୍‌ଏମ୍‌ପି ଅଧୀନରେ ଥିବା ମନ୍ଦିର ଏବଂ ଐତିହ୍ୟ ଗ୍ରାମ ରଘୁରାଜପୁରକୁ ଯାଇ ୟୁନେସ୍କୋ ଟିମ୍‌ର ସଦସ୍ୟ ବୁଲିଛନ୍ତି। କିନ୍ତୁ ଏଯାଏଁ ସେଗୁଡ଼ିକରେ ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ପୁରୀରେ ଜାନକୀନାଥ ଭବନ ଭାଙ୍ଗିରୁଜି ଯାଇଥିଲେ ସୁଦ୍ଧା ତା’ର ବି ପୁନରୁଦ୍ଧାର କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ବାଲିଅନ୍ତାର ଐତିହ୍ୟ ପ୍ରକଳ୍ପ ଜୟଦେବ ପୀଠକୁ ପୁନରୁଦ୍ଧାର ପାଇଁ ପର୍ଯ୍ୟଟନ ବିଭାଗ, ଓଏଫ୍‌ଡିସି ପକ୍ଷରୁ ମିଳିତ ବୈଠକ ହୋଇଛି। ତେବେ ଏଯାଏଁ ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ବିକେ ଆର୍ଟ କଲେଜ୍‌ର ହଷ୍ଟେଲ୍‌ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ମୌସୁମୀ ନିକଟତର ହେଉଥିବାରୁ ଭାଙ୍ଗି ଯାଇଥିବା ସ୍ଥାନରେ ପାଣି ପଶି ଏହା ନାକେଦମ କରିବ। ସେହିପରି ସଂସ୍କୃତି ବିଭାଗ ଅଧୀନରେ ଥିବା ବିଭିନ୍ନ ପ୍ରକଳ୍ପ ଓ ଉପବିଭାଗ ପରିସରରେ ବହୁ ବଡ଼ବଡ଼ ଗଛ ଟଳି ପଡ଼ିଥିବାରୁ ତାହା ଭରଣା କରିବା ପାଇଁ ଅନ୍ୟୂନ ୧୦ ବର୍ଷ ଲାଗିଯିବ।

କମିଛି ପର୍ଯ୍ୟଟକଙ୍କ ସଂଖ୍ୟା

ବାତ୍ୟାର ମାସକ ପରେ ମଧ୍ୟ ଆବଶ୍ୟକୀୟ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ହୋଇନାହିଁ। ଅଧିକାଂଶ ପର୍ଯ୍ୟଟକ ପୁରୀ, କୋଣାର୍କ, ଭୁବନେଶ୍ବରର ଫୁଲ୍‌ ପ୍ୟାକେଜ୍‌ ଟୁର୍‌ କରୁଥିଲେ ହେଁ ଏବେ ପୁରୀ ଟୁର୍‌କୁ ପର୍ଯ୍ୟଟକ ଆସିବାକୁ ପସନ୍ଦ କରୁନାହାନ୍ତି। ତେଣୁ ପରୋକ୍ଷ‌‌‌‌ରେ ଏହା ଭୁବନେଶ୍ବରର ପର୍ଯ୍ୟଟନ କ୍ଷେତ୍ରକୁ ମଧ୍ୟ ପ୍ରଭାବିତ କରିଛି। ରାଜାରାଣୀ ମନ୍ଦିରଠୁ ନେଇ ଉଦୟଗିରିରେ ପର୍ଯ୍ୟଟକଙ୍କ ଆଗମନ ନୈରାଶ୍ୟଜନକ ରହିଛି। ପ୍ରାୟ ୫୦ପ୍ରତିଶତ ପର୍ଯ୍ୟଟକ କମିଛନ୍ତି। ଖଣ୍ଡଗିରି ଓ ଉଦୟଗିରିର ଦାୟିତ୍ବ‌‌‌ରେ ଥିବା ଏଏସ୍‌ଆଇର ଅରୁଣ କୁମାର ଦାସ କହିଛନ୍ତି, ଉଦୟଗିରିକୁ ଏବେ ୮୦ରୁ ୧୦୦ ପର୍ଯ୍ୟଟକ ଆସୁଛନ୍ତି। ସେହିଭଳି ଚିରହରିତ୍‌ ଜୟଦେବ ବାଟିକାର ମୁଖ୍ୟ ଆକର୍ଷଣ ସାଜିଥିବା ଜଙ୍ଗଲ ଭାଙ୍ଗିରୁଜି ଯିବା ପରେ ଏବେ ଏଠାକୁ ୩୦୦ରୁ ୪୦୦ ବ୍ୟକ୍ତି ବୁଲିବାକୁ ଆସୁଛନ୍ତି।

ସମ୍ବନ୍ଧିତ ଖବର