ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘର ଧାରଣା

ଭୁବନେଶ୍ୱର: ପଦୋନ୍ନତି ଓ ଦରମା ହାର ପ୍ରଦାନରେ ଅବହେଳା ପ୍ରତିବାଦରେ ଆଜି ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘ ପକ୍ଷରୁ ବିଧାନସଭା ସମ୍ମୁଖରେ ଦୁଇଦିନିଆ ଧାରଣା ଆରମ୍ଭ ହୋଇଛି। ସଭାପତି ପ୍ରଦୀପ କୁମାର ପାତ୍ର ଓ ସଂପାଦକ ସଚିତ୍ର ମୋହନ ରାଉତଙ୍କ ନେତୃତ୍ୱରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଡିପ୍ଲୋମା ଇଞ୍ଜିନିୟରମାନେ ଏଥିରେ ସାମିଲ ହୋଇଥିଲେ। ସଂଘର ଦାବି ମଧ୍ୟରେ ରହିଛି, ରାଜ୍ୟର ଅନ୍ୟ ବର୍ଗର କର୍ମଚାରୀମାନେ ଚାକିରି କାଳ ମଧ୍ୟରେ ୩ଟି ପଦୋନ୍ନତି ପାଉଥିବା ବେଳେ ଡିପ୍ଲୋମା ଇଞ୍ଜିନିୟରମାନେ ମୂଳ ନିଯୁକ୍ତି ପଦ କନିଷ୍ଠ ଯନ୍ତ୍ରୀରେ ହିଁ ଅବସର ନେଉଛନ୍ତି। ୪ବର୍ଷ ତଳେ ଇଞ୍ଜିନିୟରିଂ କ୍ୟାଡର ପୁନର୍ଗଠନ ଆଳରେ ରାଜ୍ୟ ସରକାର ଡିଗ୍ରି ଇଞ୍ଜିନିୟରଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ପଦୋନ୍ନତି ଓ ଦରମା ହାର ବୃଦ୍ଧି କରିଥିବା ବେଳେ ଡିପ୍ଲୋମା ଇଞ୍ଜିନିୟରଙ୍କ କଥା ଆଦୌ ବିଚାରକୁ ନେଉନାହାନ୍ତି। ଯାହାକି ଡିପ୍ଲୋମା ଇଞ୍ଜିନିୟରମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ତେଣୁ ସରକାର ଡିପ୍ଲୋମା ଇଞ୍ଜିନିୟରମାନଙ୍କ ଦାବିକୁ ତୁରନ୍ତ ପୂରଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର