୧୭ ପ୍ରତିଭା, ୩ ଅନୁଷ୍ଠାନକୁ ମିଳିଲା ଓଡ଼ିଶା ଉତ୍କର୍ଷ ସମ୍ମାନ

ଓଡ଼ିଶାର ପ୍ରତି କୁଡ଼ିଆରେ ଜୀବନର ମାନେ ଅନୁଭବ କରିହୁଏ

ଭୁବନେଶ୍ବର: ବିଶ୍ବର କୌଣସି ବ୍ୟକ୍ତି ଯଦି ଜୀବନ କ’ଣ ବୋଲି ଜାଣିବାକୁ ଚାହୁଁଥାନ୍ତି, ସେମାନେ ଓଡ଼ିଶାର ପ୍ରତିଟି କୁଡ଼ିଆକୁ ଯାଇ ଏହା ଅନୁଭବ କରିପାରିବେ। ଓଡ଼ିଶାର ପ୍ରତିଟି ବ୍ୟକ୍ତିଙ୍କ ହୃଦ୍‌ସ୍ପନ୍ଦନରେ ଜଗନ୍ନାଥଙ୍କ ପ୍ରତି ଆସ୍ଥା ରହିଛି। ଏହା ଏମିତି ଏକ ଭୂମି, ଯେଉଁଠି ପିଲାଟିଏ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବରଙ୍କୁ ଖଡ଼ିରେ ୩ଟି ବୃତ୍ତ ମଧ୍ୟରେ ସୀମିତ କରି ଦେଇପାରେ। ‘ଓଡ଼ିଆ ମିଡିଆ’ ପକ୍ଷରୁ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ସମ୍ମିଳନୀକକ୍ଷରେ ଆୟୋଜିତ ‘ଓଡ଼ିଶା ଉତ୍କର୍ଷ ସମ୍ମାନ’ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌ ଏହା କହିଛନ୍ତି। ଉତ୍କର୍ଷ ଲାଭ କରିଥିବା ପ୍ରତିଟି ବ୍ୟକ୍ତିଙ୍କୁ ପୁରସ୍କୃତ କରି ମୁଁ ଏଠାରେ ନିଜେ ପୁରସ୍କୃତ ହୋଇଛି। ବିଶିଷ୍ଟ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ଅତିଥି ଭାବେ ଯୋଗଦେଇ କହିଲେ, କେବଳ ଆର୍ଥିକ ଉନ୍ନତିରେ ସମାଜର ପ୍ରଗତି ହୁଏ ନାହିଁ। ସଂସ୍କୃତି, ଐତିହ୍ୟ, ପରମ୍ପରା ଓ ସାହିତ୍ୟର ଉନ୍ନତି ହିଁ ସମାଜର ପ୍ରଗତିରେ ସହାୟକ ହୋଇଥାଏ ବୋଲି ସେ କହିଛନ୍ତି।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ୧୭ପ୍ରତିଭା ଓ ୩ ଅନୁଷ୍ଠାନକୁ ସମ୍ମାନିତ କରାଯାଇଥିଲା। ସଂଗୀତରେ ପଦ୍ମଶ୍ରୀ ପ୍ରଫୁଲ୍ଲ କର, କଳାରେ ପଦ୍ମଶ୍ରୀ ସୁଦର୍ଶନ ସାହୁ, ନୃତ୍ୟରେ ପଦ୍ମଶ୍ରୀ ଇଲିଆନା ସିତାରିସ୍ତି, ସମାଜସେବାରେ ଜଗଦାନନ୍ଦ, ସାହିତ୍ୟରେ ହରପ୍ରସାଦ ଦାସ, ନାଟକରେ ଅଜିତ ଦାସ, ସିନେମାରେ ମହାଶ୍ବେତା ରାୟ, ଲୋକସେବାରେ ଅରୁଣ ବୋଥ୍ରା, କ୍ରୀଡ଼ାରେ ଅନୁରାଧା ବିଶ୍ବାଳ, ସାମ୍ବାଦିକତାରେ ସନ୍ଦୀପ ସାହୁ, ଉଦ୍ୟୋଗରେ ଜଗଦୀଶ ପ୍ରସାଦ ନାୟକ, ପ୍ରେରଣା କ୍ଷେତ୍ରରେ ଅରୁଣ କୁମାର ‌ସାବତ, ସ୍ବାସ୍ଥ୍ୟରେ ଡାକ୍ତର ଅକ୍ଷୟ କୁମାର ରାଉତ, ନେତୃତ୍ବରେ ପ୍ରିୟଦର୍ଶୀ ନାନୁ ପାଣି, ଶିକ୍ଷାରେ ସବିତା ପଟ୍ଟନାୟକ, ପ୍ରଯୁକ୍ତି ବିଜ୍ଞାନରେ ପ୍ରଶାନ୍ତ ସାହୁ ଓ ସମ୍ପଦ ପରିଚାଳନାରେ ତ୍ରିନାଥ ଲେଙ୍କାଙ୍କୁ ‘ଓଡ଼ିଶା ଉତ୍କର୍ଷ ସମ୍ମାନ’ ପ୍ରଦାନ କରାଯାଇଥିଲା। ଏଥିସହ କର୍ପୋରେଟ୍‌ ସାମାଜିକ ଦାୟିତ୍ବ ପାଇଁ ନାଲ୍‌କୋ, ଶିକ୍ଷାରେ ବାଜିରାଓ ଆଇଏଏସ୍‌ ଏକାଡେମି ଓ ଗୋଷ୍ଠୀ ଉନ୍ନୟନ କ୍ଷେତ୍ରରେ ସାଉଥ୍‌ ଓଡ଼ିଶା ଭଲ୍ୟୁଣ୍ଟାରି ଆକ୍ସନ(ସୋଭା)କୁ ସମ୍ବର୍ଧିତ କରାଯାଇଥିଲା। ନାଲ୍‌କୋର ଅନିଲ କୁମାର ପଣ୍ଡା ଓ ସହଯୋଗୀ, ବାଜିରାଓର ନିର୍ଦେଶକ ଦିଲ୍ଲୀପ କୁମାର, ସୋଭାର ସଂଜିତ ପଟ୍ଟନାୟକ ସମ୍ମାନ ଗ୍ରହଣ କରିଥିଲେ। ଓଡ଼ିଆ ମିଡିଆର ନିର୍ଦେଶକ ଶୁଭ୍ରାଂଶୁ ପଣ୍ଡା ପ୍ରାରମ୍ଭିକ ଅଭିଭାଷଣ ସହ ଶେଷରେ ଧନ୍ୟବାଦ ଦେଇଥିଲେ। ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର