‘ବେସରକାରୀ ସ୍କୁଲ ପରିଚାଳନା ନିୟନ୍ତ୍ରିତ ହେଉ’

ଓଡ଼ିଶା ପ୍ୟାରେଣ୍ଟସ୍‌ ଆସୋସିଏସନ୍ସ ଫୋରମ୍‌ ପକ୍ଷରୁ ‘ଓପାଫ୍‌ ରତ୍ନ’ ଉପାଧି ପ୍ରଦାନ ଉତ୍ସବ

ଭୁବନେଶ୍ୱର: ଓଡ଼ିଶା ପ୍ୟାରେଣ୍ଟସ୍‌ ଆସୋସିଏସନ୍ସ ଫୋରମ୍‌ର ପ୍ରଥମ ବାର୍ଷିକ ଉତ୍ସବ ଓ ‘ଓପାଫ୍‌ ରତ୍ନ’ ଉପାଧି ପ୍ରଦାନ ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଯୋଗଦେଇ ଶିକ୍ଷା ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ଯେଉଁମାନେ ସ୍କୁଲ ପରିଚାଳନା କରୁଛନ୍ତି ସେମାନଙ୍କ ଭିତରେ ସାମାଜିକ ଦାୟିତ୍ୱବୋଧ ରହିବା ଦରକାର ବୋଲି ଶ୍ରୀ ପଣ୍ଡା କହିଥିଲେ। ମୁଖ୍ୟବକ୍ତା ଭାବେ ‘ସମ୍ବାଦ’ର ସମ୍ପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଛନ୍ତି ଯେ ଆଜିକାଲି ବହୁତଗୁଡ଼ିଏ ବେସରକାରୀ ଶିକ୍ଷାନୁଷ୍ଠାନମାନ ମୁଣ୍ଡ ଟେକିଲେଣି। ସେହି ଛାତ୍ରଛାତ୍ରୀମାନଙ୍କର ପିତାମାତାଙ୍କୁ ଯେଉଁ ପରିମାଣରେ ବିଶ୍ୱାସ ଦିଆଯାଉଛି ତାହାକୁ ପୂରଣ କରାଯାଉ ନାହିଁ। ଏଥିପ୍ରତି ସ୍କୁଲ ପରିଚାଳନାରେ ରହୁଥିବା କର୍ମଚାରୀମାନେ ଧ୍ୟାନ ଦେବା ଜରୁରୀ। ଏହାସହ ବେସରକାରୀ ସ୍କୁଲ ପରିଚାଳନାକୁ ନିୟନ୍ତ୍ରିତ କରାଯାଇ ସ୍କୁଲର ବ୍ୟବସ୍ଥାକୁ ସୁଦୃଢ଼ କରିବା ଆବଶ୍ୟକ। ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଓୟୁଏଟିର କୁଳପତି ସୁରେନ୍ଦ୍ର ନାଥ ପଶୁପାଳକ, ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ କୁଳପତି ବିନାୟକ ରଥ, ବରିଷ୍ଠ ସାମ୍ବାଦିକ ରବି ଦାସ ପ୍ରମୁଖ ଯୋଗ ଦେଇଥିଲେ।

ଉତ୍ସବରେ ସିବିଏସ୍‌ଇର ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଟପର୍‌ ହୋଇଥିବା ଛାତ୍ରଛାତ୍ରୀଙ୍କୁ ‘ଓପାଫ୍‌ ରତ୍ନ’ ଉପାଧିରେ ଭୂଷିତ କରିବା ସହ ସଂଘର ପୁରାତନ ସଦସ୍ୟମାନଙ୍କୁ ସମ୍ବର୍ଧିତ କରାଯାଇଥିଲା। ସମ୍ପାଦକ ଭୁ ମୋହନ ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ଗଗନ ବିହାରୀ ରାଉତ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ସଂଯୁକ୍ତା ପାଣିଗ୍ରାହୀ ପରିଚାଳନା କରିଥିଲେ। ଏହାସହ ଓପାଫ୍‌ର କର୍ମକର୍ତ୍ତା ସତ୍ୟବ୍ରତ ପରିଜା, ମଧୁସୂଦନ ବିଶ୍ୱାଳ, ନନ୍ଦକିଶୋର ମଲ୍ଲିକ, ଦେବାଶିଷ ବସନ୍ତିଆ, କେଦାର ପ୍ରଧାନ, ଉମାଶଙ୍କର ଆଚାର୍ଯ୍ୟ, ସତ୍ୟାଶିଷ୍‌, କାଳିପ୍ରସାଦ ପଟ୍ଟନାୟକ, ସନ୍ଦୀପ କାନୁନ୍‌ଗୋ, ସୁଶାନ୍ତ ସାହୁ, ସତୀଶ ମିଶ୍ର, ମନୋଜ କୁମାର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ବୈକୁଣ୍ଠ ପ୍ରସାଦ ଦାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର