ସଂଗଠିତ ହେଲେ ସମସ୍ୟାର ସମାଧାନ ହେବ

ଓଡ଼ିଶା ପୌର ଅସ୍ଥାୟୀ କର୍ମଚାରୀ ମହାସଂଘର ସମ୍ବର୍ଧନା ସଭା

ପୁରୁଣା ଭୁବନେଣ୍ଵର: ସଂଗଠିତ ହୋଇ କାମ କଲେ ସବୁ ସମସ୍ୟାର ସମାଧାନ ହୋଇ ପାରିବ। ଠିକ୍‌ ଭାବରେ ସରକାରଙ୍କ ପାଖରେ ଯୁକ୍ତି ଉପସ୍ଥାପନ କଲେ ଦାବି ପୂରଣ ସମ୍ଭବ ହେବ ବୋଲି କହିଛନ୍ତି ସାଂସଦ ସୌମ୍ୟ ରଂଜନ ପଟ୍ଟନାୟକ। ବଡ଼ଗଡ଼ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ଓଡ଼ିଶା ପୌର ଅସ୍ଥାୟୀ କର୍ମଚାରୀ ମହାସଂଘର ସମ୍ବର୍ଧନା ସଭାରେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି। ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ କହିଥିଲେ ଯେ, ପୌର କର୍ମଚାରୀ ହେଉଛନ୍ତି ଦାମୀ ଲୋକଙ୍କ କର୍ମଚାରୀ। ସମାନ କାମକୁ ସମାନ ଦରମା ଲାଗୁ କରିବାକୁ ହେଲେ ସମସ୍ତଙ୍କୁ ସଂଗଠିତ ହୋଇ କାର୍ଯ୍ୟ କରିବାକୁ ପଡ଼ିବ। ମହାସଂଘର କାର୍ଯ୍ୟକାରୀ ସଭାପତି ଅମର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାସଂଘର ମୁଖ୍ୟ ଉପଦେଷ୍ଟା ତଥା ସାଂସଦ ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଧିତ କରାଯାଇଥିଲା। ସେହିପରି ମେୟର ଅନନ୍ତ ନାରାୟଣ ଜେନା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ମେୟର ମିହିର କୁମାର ମହାନ୍ତିଙ୍କୁ ମଧ୍ୟ ସମ୍ବର୍ଧିତ କରାଯାଇଥିଲା। ଏହି ଅବସରରେ ଅସ୍ଥାୟୀ ପୌର କର୍ମଚାରୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରି ଶ୍ରୀ ନାୟକ କହିଥିଲେ ଯେ, ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗତ ୧୯୯୯ ମେ ୧୫ତାରିଖରେ ଏକ ଚିଠି କରାଯାଇଥିଲା।। ୧୦ବର୍ଷ ନିରବଛିନ୍ନ ଭାବେ କାର୍ଯ୍ୟ କରୁଥିବା ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା ପାଇଁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ମାତ୍ର ୨୦ବର୍ଷରୁ ଊର୍ଧ୍ୱ ସମୟ ଧରି ବହୁ କର୍ମଚାରୀ ମାତ୍ର ୬ହଜାର ଓ ୭ହଜାର ଟଙ୍କାରେ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କୁ ସ୍ଥାୟୀ କରାଯାଇନାହିଁ। ମହାସଂଘର ସାଧାରଣ ସମ୍ପାଦକ ରଶ୍ମିରଞ୍ଜନ ଗୁରୁ ବିବରଣୀ ପାଠ କରିଥିବା ବେଳେ ମଧୁସୂଦନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପୌର କର୍ମଚାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର