ଓଡ଼ିଶା ରାଜସ୍ୱ ସେବା ସଂଘର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର : ଓଡ଼ିଶା ରାଜସ୍ୱ ସେବା ସଂଘର ନବନିର୍ବାଚିତ କାର୍ଯ୍ୟକାରିଣୀ ପରିଷଦର ପ୍ରଥମ ବୈଠକ ଆଜି ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହରେ ଅନୁଷ୍ଠିତ ହୋଇଛି। ବୈଠକରେ ନବ ନିର୍ବାଚିତ ସଭାପତି ଓ ସାଧାରଣ ସମ୍ପାଦକଙ୍କୁ ସ୍ୱାଗତ କରାଯାଇଥିଲା। ସଂଘର ବିଭିନ୍ନ କାର୍ଯ୍ୟ ଉପରେ ଆଲୋଚନା କରାଯିବା ସହ ଆଗାମୀ କାର୍ଯ୍ୟଧାରା ଉପରେ ଆଲୋକପାତ କରାଯାଇଛି। ବେତନରେ ଅସଙ୍ଗତି ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଏବଂ ପଦୋନ୍ନତି ତାଲିକା ଶୀଘ୍ର ପ୍ରକାଶ କରିବା ପାଇଁ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଜିଲ୍ଲାସ୍ତରରେ ରାଜସ୍ୱ ସେବା ସଂଘର ଶାଖା ଖୋଲିବାକୁ କାର୍ଯ୍ୟକାରିଣୀ ସଦସ୍ୟମାନେ ମତବ୍ୟକ୍ତ କରିଥିଲେ। ବିଭିନ୍ନ ସମୟରେ ଜଟଣୀ, ବାରିପଦା, ବରଗଡ଼, ଟାଙ୍ଗୀର ରାଜସ୍ୱ ସେବା ଅଧିକାରୀମାନେ ପଥର ଓ ବାଲି ମାଫିଆଙ୍କ ଆକ୍ରମଣର ଶିକାର ହୋଇଥିବାରୁ ତାହାକୁ ନିନ୍ଦା କରାଯାଇଛି। ଶେଷରେ ସଂଘର ଯୁଗ୍ମ ସଚିବ ସମ୍ବିତ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ଜନ ସମ୍ପର୍କ ଅଧିକାରୀ ସୌମ୍ୟାଶ୍ରୀ ପାଣିଗ୍ରାହୀ ଜଣାଇଛନ୍ତି।

ସମ୍ବନ୍ଧିତ ଖବର