ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ଆର୍ତବଲ୍ଲଭ ମହାନ୍ତି ସ୍ମାରକୀ ବକ୍ତତା

ଆର୍ତବଲ୍ଲଭଙ୍କ ପ୍ରବନ୍ଧର ଆଜି ମଧ୍ୟ ପ୍ରାସଙ୍ଗିକତା ରହିଛି

ଭୁବନେଶ୍ୱର: ପ୍ରାଚୀନ ଓ ମଧ୍ୟଯୁଗୀୟ ସାହିତ୍ୟକୁ ସମ୍ପାଦାନ କରିବା, ଲୋକଲୋଚନକୁ ଆଣିବା କ୍ଷେତ୍ରରେ ପ୍ରଫେସର ପଦ୍ମଶ୍ରୀ ଆର୍ତବଲ୍ଲଭ ମହାନ୍ତିଙ୍କର ଅନେକ ଅବଦାନ ରହିଛି। ସାହିତ୍ୟ ଓ ସମାଜକୁ ଯୋଡ଼ିବାର ଦୃଷ୍ଟିଭଙ୍ଗୀ ତାଙ୍କ ନିକଟରେ ଥିଲା। ଆର୍ତବଲ୍ଲଭ ରଚନା କରିଥିବା ପ୍ରବନ୍ଧର ପ୍ରାସଙ୍ଗିକତା ଆଜି ମଧ୍ୟ ରହିଛି।ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ପାନ୍ଥ ନିବାସଠାରେ ବିଶିଷ୍ଟ ଶିକ୍ଷାବିତ୍‌, ସମାଲୋଚକ, ସାରସ୍ୱତ ସାଧକ ପଦ୍ମଶ୍ରୀ ଆର୍ତବଲ୍ଲଭ ମହାନ୍ତିଙ୍କ ପୁଣ୍ୟତିଥିରେ ‘ଆଇଡେଣ୍ଟି କୋଶ୍ଚିନ୍‌ ଆଣ୍ଡ୍‌ ଦ ଆନିଟୋମିଜ୍‌ ଅଫ୍‌ ନ୍ୟାସନାଲ ଲେବର’ ଶୀର୍ଷକରେ ସ୍ମାରକୀ ବକ୍ତତା ପ୍ରଦାନ କରି କବି ତଥା ଶାସ୍ତ୍ରନୀତିଜ୍ଞ ବିଷ୍ଣୁ ମହାପାତ୍ର ଏପରି କହିଛନ୍ତି।

ଶ୍ରୀ ମହାପାତ୍ର ଆହୁରି କହିଲେ, ଉନବଂଶ ଶତାବ୍ଦୀରେ ସମସ୍ତଙ୍କ ମଧ୍ୟରେ ଆତ୍ମ ପରିଚିତି ପ୍ରଶ୍ନ ଉଦ୍ରେକ ହେଉଥିଲା। ସେ ସମୟରେ ଖବରକାଗଜଠାରୁ ଆରମ୍ଭ କରି ବିଭିନ୍ନ ଆଲୋଚନାରେ ଜାତୀୟ ସାଧନ, ଶ୍ରମ ଆଦିର ଉଲ୍ଲେଖ ରହୁଥିବା ଦେଖିବାକୁ ମିଳୁଥିଲା। କିନ୍ତୁ ଆଜି ସେ ସବୁର ଦେଖିବାକୁ ମିଳୁନାହିଁ। ସଂସ୍କୃତି ବିଭାଗ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ନିର୍ଦେଶକ ଅମରେନ୍ଦ୍ର ପଟ୍ଟନାୟକ ଆର୍ତବଲ୍ଲଭଙ୍କ ସ୍ମୃତିଚାରଣ କରିଥିଲେ। ଏକାଡେମିର ସଭାପତି ହରିହର ମିଶ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଶକୁନ୍ତଳା ବଳିଆରସିଂହଙ୍କ ପୁସ୍ତକ ଲୋକାର୍ପିତ ହୋଇଥିଲା। ସଚିବ ଅଶ୍ୱିନୀ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ। ଉପସଭାପତି ଗାୟତ୍ରୀ ସରାଫ୍‌ ଧନ୍ୟବାଦ ପ୍ରଦାନ କରିଥଲେ।

ସମ୍ବନ୍ଧିତ ଖବର