ସଫଳ କାହାଣୀର ପ୍ରଚାର ଯୁବପିଢ଼ିଙ୍କୁ ପ୍ରୋତ୍ସାହିତ କରିବ

‘ଅ’ ଓଡ଼ିଶା ସାହିତ୍ୟ ମହୋତ୍ସବ ଉଦ୍‌ଯାପିତ

ଚନ୍ଦ୍ରଶେଖରପୁର : ଓଡ଼ିଶାରେ ଅନେକ ପ୍ରକୃତିକ ସମ୍ପଦ ରହିଛି। ମାତ୍ର ରାଜନୈତିକ ଇଚ୍ଛାଶକ୍ତି, ବ୍ୟକ୍ତିଗତ ଆଗ୍ରହ ଓ ନିଷ୍ଠା ତଥା ପ୍ରଶାସନିକ ଅପାରଗତା କାରଣରୁ ଏବେ ବି ଅନେକ ଓଡ଼ିଆ ବେକାର ଅଛନ୍ତି। ଅଭାବ ଅନଟନରେ ଜୀବନ କାଟୁଛନ୍ତି। ଏପରି କ୍ଷେତ୍ରରେ ସେମାନେ କେବଳ ଚାକିରି ପଛରେ ନଗୋଡ଼ାଇ ଉଦ୍ୟୋଗୀ ହେବାକୁ ପ୍ରୟାସ କରିବା ଆବଶ୍ୟକ। କଠିନ ଇଚ୍ଛାଶକ୍ତି, ଦୃଢ଼ ଅଧ୍ୟବସାୟ ଓ ନିଷ୍ଠା ବଳରେ ସ୍ରୋତର ପ୍ରତିକୂଳରେ ଯାଇ ମଧ୍ୟ ସଫଳ ହୋଇପାରିବେ। ସଫଳ କାହାଣୀର ପ୍ରଚାର ଯୁବଗୋଷ୍ଠୀଙ୍କୁ ପ୍ରେରଣା ଯୋଗାଇବ।

ଓଡ଼ିଶାର ଯୁବଗୋଷ୍ଠୀ ନିକଟରେ ନିଜକୁ ସଫଳ କରିବା ନିମିତ୍ତ ଅନେକ ବାଟ ରହିଛି। ସରକାରଙ୍କର ମଧ୍ୟ ଏଦିଗରେ ଅନେକ ଦାୟିତ୍ୱ ରହିଛି। ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସିବା ଭଳି ନିଜକୁ ପ୍ରଥମେ ଚେଷ୍ଟା କରିବାକୁ ହେବ। ଦି ନିୟୁ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ ଗ୍ରୁପ୍‌ ପକ୍ଷରୁ ଆୟୋଜିତ ‘ଅ’ ଓଡ଼ିଶା ସାହିତ୍ୟ ମହୋତ୍ସବ ଷଷ୍ଠ ସଂସ୍କରଣର ଉଦ୍‌ଯାପନୀ ଦିବସରେ ‘ଆଜି ଯୁବ ଓଡ଼ିଆଙ୍କ ନିମନ୍ତେ ଆଗକୁ କ’ଣ ସୁଯୋଗ ରହିଛି’ ଶୀର୍ଷକ ଏକ ଅଧିବେଶନରେ ଏପରି ମତପ୍ରକାଶ ପାଇଥିଲା। ବିଶିଷ୍ଟ ସାହିତ୍ୟିକ ତଥା ‘ସମ୍ବାଦ’ ଫିଚର ସମ୍ପାଦକ ଡ. ଗୌରହରି ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନରେ ମହିଳା ଉଦ୍ୟୋଗୀ ରତ୍ନମାଳା ସ୍ୱାଇଁ, ପାରମିତା ମହାପାତ୍ର ଓ ଯୁବ ଉଦ୍ୟୋଗୀ ଶ୍ରୀକୁମାର ମିଶ୍ର ପ୍ରମୁଖ ଯୋଗଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।

ଉଦ୍‌ଯାପନୀ ଦିବସର ପ୍ରଥମ ଅଧିବେଶନରେ ସୌମ୍ୟଦୀପ୍‌ ଚୌଧୁରୀଙ୍କ ସଂଯୋଜନାରେ ଏକ କୁଇଜ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି ଭାରତୀୟ ଖାଦ୍ୟ ଉପରେ, ସାହିତ୍ୟ ସମ୍ବନ୍ଧରେ ନିଶାନ୍ତ ଚୌବେ, ପୁଷ୍ପେଶ ପନ୍ତ, ସୌରୀଶ୍‌ ଭଟ୍ଟାଚାର୍ଯ୍ୟ ପ୍ରମୁଖ ବିସ୍ତତ ଆଲୋଚନା କରିଥିଲେ। ଭାରତୀୟ ସିନେମାର ପରିବର୍ତ୍ତିତ ଚେହେରା ଉପରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ମଧୁର ଭଣ୍ଡାରକର, ଜୟ ଅର୍ଜୁନ ସିଂ, ତିଳୋତ୍ତମା ସୋମ୍‌ ପ୍ରମୁଖ ଆଲୋଚନା କରିଥିଲେ। ଓଡ଼ିଆ ସିନେମାର ଗୌରବମୟ ଅତୀତ ଓ ଅନିଶ୍ଚିତ ଭବିଷ୍ୟତ ସମ୍ପର୍କିତ ଅଧିବେଶନରେ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ, ଅନୁ ଚୌଧୁରୀ, ମାଳବିକା ରାୟ, ସବ୍ୟସାଚୀ ମହାପାତ୍ର ପ୍ରମୁଖ ଆଲୋଚନା କରିଥିଲେ। ପୌରାଣିକ କଥାବସ୍ତୁ ଇତିହାସକୁ ବିରୋଧ କରିବା, ନବ୍ୟ ଭାରତରେ ରୋମାନ୍‌ସ ଆଦି ବିଷୟକୁ ନେଇ ହୋଇଥିବା ଅଧିବେଶନଗୁଡ଼ିକରେ ବିଶିଷ୍ଟ ବ୍ୟକ୍ତିମାନେ ଅଂଶଗ୍ରହଣ କରିଥିଲେ। ଦୁଇଦିନ ଧରି ଚାଲିଥିବା ଏହି ସାହିତ୍ୟ ମହୋତ୍ସବରେ ବହୁ ସାହିତ୍ୟିକ, ଛାତ୍ରଛାତ୍ରୀ ଓ ବିଭିନ୍ନ କ୍ଷେତ୍ରରୁ ବହୁ ବ୍ୟକ୍ତିବିଶେଷ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର