ଆରମ୍ଭ ହେଲା ଓଡ଼ିଶୀ ସଂଗୀତ ମହୋତ୍ସବ : ଚମ୍ପୁରୁ ଚଉତିଶା…

ଭୁବନେଶ୍ବର: ଛାନ୍ଦ, ଚମ୍ପୁ, ଚଉତିଶା, ଭଜନ, ଜଣାଣ ଓ ପାରମ୍ପରିକ ସଂଗୀତରେ ବିଭୋର ହେବାର ମଞ୍ଚ ଭେଟି ଦେଇଛି ସଂଗୀତ ସୁଧାକର ବାଳକୃଷ୍ଣ ଦାଶ ଫାଉଣ୍ଡେସନ୍‌। ଭଂଜ କଳାମଣ୍ଡପରେ ଉଦ୍‌ଘାଟିତ ୪ ଦିନିଆ ଓଡ଼ିଶୀ ସଂଗୀତ ମହୋତ୍ସବ ଏହି ଅବକାଶ ଆଣିଦେଇଛି। ଉତ୍କଳ ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ କଣ୍ଠରେ ବୃନ୍ଦ ଗାୟନରୁ ଆରମ୍ଭ ହୋଇଥିଲା ଉଦ୍‌ଘାଟନୀ ସନ୍ଧ୍ୟା।
ପରେ ପ୍ରଥିତଯଶା କଣ୍ଠଶିଳ୍ପୀ ଶ୍ୟାମାମଣି ପଟ୍ଟନାୟକ, କେଶବ ଚନ୍ଦ୍ର ରାଉତ, ମହାପାତ୍ର ମିନତି ଭଂଜ, ବିନୋଦ ବିହାରୀ ପଣ୍ଡା, ହରପ୍ରିୟା ସ୍ବାଇଁ, ସୁକାନ୍ତ କୁମାର କୁଣ୍ଡୁ, ସୃଷ୍ଟିସ୍ବରୂପା ମିଶ୍ର, ସର୍ବେଶ୍ବର ବୈଠାରୁ, ବନ୍ଦିତା ରାୟ, ଅଚ୍ୟୁତ ମହାରଣା ଓ ଅଶୋକ କୁମାର ଦାସଙ୍କ କଣ୍ଠନିଃସୃତ ଗୀତରେ ବିଭୋର୍‌ ହୋଇଥିଲେ ଶ୍ରୋତା। ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ସୁନିଲ ମିଶ୍ର, ଓଡ଼ିଶା ସଂଗୀତ ନାଟକ ଏକାଡେମି ସଭାପତି ରାମକୃଷ୍ଣ ସାହୁ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ସଭାରେ ଫାଉଣ୍ଡେସନ୍‌ର ସଭାପତି ଡି.କେ ରାୟ, ଉପସଭାପତି କ୍ଷୀରୋଦ ପଟ୍ଟନାୟକ, ସମ୍ପାଦକ ରାମହରି ଦାସ ଏବଂ ଆବାହକ ଅରକ୍ଷିତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ। ଆସନ୍ତାକାଲିଠୁ ୩ଟି ପର୍ଯ୍ୟାୟରେ ଦିନ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସଂଗୀତ କାର୍ଯ୍ୟକ୍ରମ ଚାଲିବ। ୫୦୦ କଳାକାର ସଂଗୀତ ପରିବେଷଣ କରିବେ। ପାରମ୍ପରିକ ଓ ଗ୍ରାମୀଣ କଳାକାରଙ୍କ ସଂଗୀତ ଶୁଣିବାର ଅବକାଶ ମିଳିବ।

ସମ୍ବନ୍ଧିତ ଖବର