ଓଡ଼ିଶା ସୋଲାର ଆଲିଆନ୍ସର ସମାବେଶ: ଅଙ୍ଗାରକ ନିର୍ଗମନ ରୋକିବାକୁ ସୌର ପ୍ୟାନେଲ୍‌ ସ୍ଥାପନ କର

ଭୁବନେଶ୍ବର: ଓଡ଼ିଶା ସୋଲାର ଆଲିଆନ୍ସର ପ୍ରଥମ ବାର୍ଷିକ ସମାବେଶ ତଥା ‘ଜିରୋ କାର୍ବନ ଏମିସନ କନ୍‌ଫରେନ୍ସ’ ଏନର୍ଜି ପାର୍କ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କେତେକ ସୋଲାର କମ୍ପାନି ସୌର ଚାଳିତ ରିକ୍ସା, ଇଲେକ୍ଟ୍ରିକ୍‌ ବାଇକ୍‌, ସୋଲାର ମଡ୍ୟୁଲ୍‌ସ, ଏମ୍‌ପିପିଟି କଣ୍ଟ୍ରୋଲର, ଇନଭର୍ଟର, ସୋଲାର ସେଲ୍‌, ଲାଇଟ୍‌ ଏବଂ କୃଷକମାନଙ୍କ ପାଇଁ ଉଦ୍ଦିଷ୍ଟ ସୋଲାର ଟୋପି ପ୍ରଦର୍ଶନ କରିଥିଲେ। ଓଡ଼ିଶା ଯୋଜନା ବୋର୍ଡର ଉପଦେଷ୍ଟା ଆର୍‌ଏନ୍‌ ଦାସ ପରିଦର୍ଶନ କରି କହିଲେ, ଓଡ଼ିଶା ଯୁବ ଉଦ୍ୟୋଗୀ ଆବଶ୍ୟକ କରୁଥିବା ବେଳେ ଉଦ୍ୟୋଗୀଙ୍କ ପାଇଁ ସୋଲାର ଚାଳିତ ଉତ୍ପାଦ ପ୍ରସ୍ତୁତ କରିବା ପାଇଁ ଯ‌ଥେଷ୍ଟ ସୁଯୋଗ ରହିଛି। ସୌର ଶକ୍ତିକୁ ନେଇ ଛୋଟଛୋଟ ଉତ୍ପାଦ ପ୍ରସ୍ତୁତ କରାଯାଇପାରିବ ବୋଲି ସେ କହିଥିଲେ। ଏହି ଅବସରରେ ସେ କୃଷକମାନଙ୍କ ପାଇଁ ‘ସୋଲାର କ୍ୟାପ୍‌’ ପ୍ରସ୍ତୁତ କରିଥିବା ଉତ୍କଳ ଗୌରବ ପଣ୍ଡାଙ୍କୁ ପ୍ରଶଂସା କରିଥିଲେ। ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ପରିଦର୍ଶନ କରି ଓଡ଼ିଶାରେ ପ୍ରଥମ ସୋଲାର ମଡ୍ୟୁଲ୍‌ ପ୍ରସ୍ତୁତ କରିଥିବା ସିଦ୍ଧାର୍ଥ ଓ ଅଙ୍କୁରଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଲେ, ଶକ୍ତି ଉତ୍ପାଦନ ପାଇଁ କୋଇଲା ବିନିଯୋଗ ହେଉଥିବାରୁ ଅଙ୍ଗାରକ ବହୁ ପରିମାଣରେ ନିର୍ଗତ ହେଉଛି। ତେଣୁ ଛାତରେ ସୋଲାର ପ୍ୟାନେଲ୍‌ ବ୍ୟବସ୍ଥା କରି ବିଦ୍ୟୁତ ଉତ୍ପାଦନ କରିବା ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ପ୍ରଫେସର ମୃତ୍ୟୁଞ୍ଜୟ ପଣ୍ଡା ଅନ୍ୟତମ ଅତିଥି ଭାବେ ଯୋଗଦେଇ ପରାମର୍ଶ ଦେଇଥିଲେ। କିର୍ଲୋସ୍କାର ସୋଲାରର ଶାଶ୍ବତ ସୌରଭ ପଣ୍ଡା ଏବଂ ହ୍ବାଇଟ୍‌ ସାର୍କ ଏନର୍ଜିର ସିଇଓ ସାର୍ଥକ ଭଗତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଦ୍ବିତୀୟ ଅଧିବେଶ‌ନରେ ମାନସ ମିଶ୍ର (ସେସି), ଶ୍ରୀ ତ୍ରିପାଠୀ(ଜେଡ୍‌କଲ୍‌) ଏବଂ ଏମ୍‌ସି ସ୍ବାଇଁ(ଓପିଟିସିଏଲ୍‌) ସୌର ଶକ୍ତିର ବ୍ୟବହାର ଏବଂ ଏ ଦିଗରେ ସରକାରୀ କାର୍ଯ୍ୟପନ୍ଥା ବାବଦରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ୧୫୦ ଇଂଜିନିୟରିଂ ଛାତ୍ରଛାତ୍ରୀ, ୪୦ରୁ ଅଧିକ ସୋଲାର ପ୍ରଫେସ୍‌ନାଲ୍‌ ଏବଂ ବହୁ ସାଧାରଣ ଜନତା ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର