ଓଡ଼ିଶା ଷ୍ଟାର୍ଟଅପ୍‌ ସମିଟ୍‌ ଜାନୁଆରି ୧୧ରୁ

ଭୁବନେଶ୍ୱର: ରାଜ୍ୟରେ ବ୍ୟବସାୟ କ୍ଷେତ୍ରରେ ନୂଆ କରି ପାଦ ଦେଉଥିବା ଉଦ୍ୟୋଗୀମାନଙ୍କୁ ଏକାଠି କରାଯିବ। ସେମାନେ କିପରି ଭଲ ବ୍ୟବସାୟ କରିବେ, ସେମାନଙ୍କ ଉତ୍ପାଦକୁ ଭଲ ବଜାର ମିଳିବ ସେଥିପାଇଁ ସୁଯୋଗ ରହିବ। ଏଥିପାଇଁ ଆସନ୍ତା ଜାନୁଆରି ୧୧ରୁ ୧୩ତାରିଖ ପର୍ଯ୍ୟନ୍ତ ରାଜଧାନୀରେ ଆୟୋଜନ ହେବ ‘ଓଡ଼ିଶା ଷ୍ଟାର୍ଟଅପ୍‌ ସମିଟ୍‌’।

ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଷ୍ଟାର୍ଟ ଅପ୍‌ ସମିଟ୍‌ ଅର୍ଗାନାଇଜିଂ କମିଟିର ଆବାହକ ତଥା ସ୍ୟାକ୍‌ ରୋବଟିକ୍ସ ଲ୍ୟାବ୍‌ ପ୍ରାଇଭେଟ୍‌ ଲିମିଟେଡର ପ୍ରତିଷ୍ଠାତା ସାକ୍ୟ ସିଂହ ମହାପାତ୍ର କହିଲେ ଯେ, ଏହା ‘ଓଡ଼ିଶା ଷ୍ଟାର୍ଟଅପ୍‌ ସମିଟ୍‌’ର ଦ୍ୱିତୀୟ ସଂସ୍କରଣ ହେବ। ଏଥିରେ ବହୁ ରାଜ୍ୟ ସରକାରଙ୍କ ନିକଟରେ ପଞ୍ଜୀକୃତ ହୋଇଥିବା ୧୫୬ଟି ଷ୍ଟାର୍ଟ ଅପ୍‌ କମ୍ପାନି ସମେତ ୫୦୦ ଜଣ ଉଦ୍ୟୋଗୀ, ୧୫୦୦ ଛାତ୍ରଛାତ୍ରୀ ଯୋଗଦେବେ। ଏଥିରେ ପୁଞ୍ଜିପତି, ଆସିଲେରେଟର୍‌ ବି ଯୋଗଦେବେ। କିପରି ଜଣେ ଷ୍ଟାର୍ଟ ଅପ୍‌ କରିବେ, ସରକାରଙ୍କ ଠାରୁ ସୁବିଧା ସୁଯୋଗ ପାଇବେ ସେନେଇ ବି ପରାମର୍ଶ ଦିଆଯିବ। ଏହି ସାମ୍ବାଦିକ ସମ୍ମିଳନୀରେ ‘ଓଡ଼ିଶା ଷ୍ଟାର୍ଟଅପ୍‌ ସମିଟ୍‌-୨୦୧୮’ର ଅର୍ଗାନାଇଜିଂ କମିଟିର କୋ କନଭେନର୍‌ ତଥା ଜମୁରା ସଫ୍‌ଟେଓ୍ଵୟାର ପ୍ରାଇଭେଟ୍‌ ଲିମିଟେଡର ପ୍ରତିଷ୍ଠାତା ଅବନିଶ ନାୟକ, କେ.ଏଚ୍‌ ମ୍ୟାନପାଓ୍ଵାର ସର୍ଭିସେସ୍‌ ପ୍ରା ଲିଃର ପ୍ରତିଷ୍ଠାତା ଶୁଭଶ୍ରୀ ସ୍ୱାଇଁ, ନିଗମ ଜ୍ୟୋତି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର