ଓଡ଼ିଶା ଟ୍ରାଭେଲ୍‌ ବଜାର, ପର୍ଯ୍ୟଟନ ସାମଗ୍ରୀ ବିପଣନ ଆରମ୍ଭ

ଭୁବନେଶ୍ବର: ଓଡ଼ିଶାର ପର୍ଯ୍ୟଟନ ସାମଗ୍ରୀ ବିପଣନ ଆରମ୍ଭ ହୋଇଛି। ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଭାରତୀୟ ବାଣିଜ୍ୟ ମହାସଂଘ (ଫିକି)ର ମିଳିତ ସହଯୋଗରେ ହୋଟେଲ୍ ସ୍ବସ୍ତି ପ୍ରିମିୟମରେ ଆୟୋଜିତ ଓଡ଼ିଶା ଟ୍ରାଭେଲ୍‌ ବଜାର(ଓଟିବି)ର ବିପଣନ ତଥା ‘ବିଟୁବି’ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। ମନ୍ତ୍ରୀ ବିଭିନ୍ନ ଷ୍ଟଲ୍‌ଗୁଡ଼ିକୁ ଉଦ୍‌ଘାଟନ କରିବା ପରେ ବିଭିନ୍ନ ଟୁର୍‌ ଓ ହୋଟେଲ୍‌ ସଂସ୍ଥା ସହ ଆଲୋଚନା କରିଥିଲେ।

୩ ଦିନ ଧରି ହେବାକୁ ଥିବା ଏହି ବିପଣନ ତଥା ପର୍ଯ୍ୟଟନ ଉତ୍ପାଦ କିଣାବିକାରେ ୨୪ଶହ ବିଟୁବି କାର୍ଯ୍ୟକ୍ରମ ରହିଛି। ଏଥିରେ ବିଭିନ୍ନ ରାଜ୍ୟରୁ ୬୦ଜଣ ଟୁର୍‌ ଅପରେଟର ଯୋଗ ଦେଇଛନ୍ତି। ୨୫ଜଣ ବିଦେଶୀ ଟୁର୍‌ ଅପରେଟର ମଧ୍ୟ ଆସନ୍ତା ୨୦ ତାରିଖରେ ସାମିଲ୍ ହୋଇ ବିଭିନ୍ନ ସଂସ୍ଥା ସହ ଆଲୋଚନା କରିବେ। ଏହି ଅବସରରେ ସ୍ବସ୍ତି ପ୍ରିମିୟମ୍‌ ପରିସରରେ ଓଡ଼ିଶାର ଟୁର୍‌ ଅପରେଟର ଓ ହୋଟେଲ୍‌ ଶିଳ୍ପ ସଂସ୍ଥାର ୫୩ଟି ଷ୍ଟଲ୍‌ ଖୋଲିଛି। ଟ୍ରାଭେଲ୍‌ ଏଜେନ୍ସି, ଟୁର୍ ଅପରେଟର, ହୋଟେଲ୍‌ ବ୍ୟବସାୟୀ ଓ ଆତିଥ୍ୟ ଅନୁଷ୍ଠାନ ସାମିଲ୍‌ ହୋଇ ଆଲୋଚନା କରିଛନ୍ତି। ବାହାରୁ ଯୋଗ ଦେଇଥିବା ଟୁର୍‌ ଅପରେଟର୍‌ମାନେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବା ପରେ ବିପଣନ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ଉତ୍ପାଦ ନେଇ ଆଗ୍ରହ ଦେଖାଇଛନ୍ତି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସମେତ ଫିକିର ଜାତୀୟ ପର୍ଯ୍ୟଟନ କମିଟି ଉପାଧ୍ୟକ୍ଷ ଜେ.କେ ମହାନ୍ତି, ଫିକିର ଅନ୍ୟ କର୍ମକର୍ତାବୃନ୍ଦଙ୍କ ସମେତ ପର୍ଯ୍ୟଟନ ବିଭାଗ ଯୁଗ୍ମ ନିର୍ଦେଶକ ଉତ୍ପଳ ପତି, ପର୍ଯ୍ୟଟନ ଅଧିକାରୀ ରତିକାନ୍ତ ପଟ୍ଟନାୟକ ବୈଷୟିକ ଆଲୋଚନାରେ ସାମିଲ୍‌ ହୋଇଥିଲେ।

ପର୍ଯ୍ୟଟକମାନେ ବିଦେଶ ଅପେକ୍ଷା ଭାରତର ପର୍ଯ୍ୟଟନସ୍ଥଳୀ ଅଧିକ ବୁଲନ୍ତୁ
ବାହାରୁ ଆସିଥିବା ଟୁର୍‌ ଅପରେଟରଙ୍କୁ ଓଡ଼ିଶାର ବିଭିନ୍ନ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ବୁଲାଇ ନିଆଯିବା ପରେ ସେମାନେ ଖୁସି ବ୍ୟକ୍ତ କରିବା ସହ ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କୁ ଓଡ଼ିଶା ବୁଲାଇ ଆଣିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ରାଜ୍ୟ ପର୍ଯ୍ୟଟନ ପାଇଁ ଏକ ଭଲ ଲକ୍ଷଣ। ଏକ ପରିସଂଖ୍ୟାନ ମୁତାବକ, ଭାରତୀୟ ପର୍ଯ୍ୟଟକ ବିଦେଶକୁ ବୁଲିବାକୁ ଯାଇ ବର୍ଷକୁ ୯ ହଜାର କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ସେମାନେ ଦେଶ ମଧ୍ୟରେ ବହୁ ଭଲ ପର୍ଯ୍ୟଟନସ୍ଥଳୀ ଏପର୍ଯ୍ୟନ୍ତ ଦେଖିନାହାନ୍ତି। ଯଦି ସେମାନେ ବିଭିନ୍ନ ରାଜ୍ୟର ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ବୁଲିବେ, ତେବେ ସେଇ ଅର୍ଥ ଭାରତ ମଧ୍ୟରେ ରହିବ ଏବଂ ଭାରତୀୟମାନେ ଉପକୃତ ହେବେ। ଏହି ଉଦ୍ଦେଶ୍ୟକୁ ସାକାର କରିବାରେ ଓଟିବି କେତାକାଂଶରେ ସହାୟକ ହେବ। ଓଟିବିର ଏହି କାର୍ଯ୍ୟକ୍ରମ ଭାରତରେ ଓଡ଼ିଶାକୁ ଅଗ୍ରଣୀ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ସହ ହୋଟେଲ୍‌ ବ୍ୟବସାୟୀ ଓ ଆତିଥ୍ୟ ସେବା ଦେଉଥିବା ସଂସ୍ଥାମାନଙ୍କୁ ପ୍ରୋତ୍ସାହିତ କରିବାରେ ସକ୍ଷମ ହେବ।
ଜେ‌.କେ ମହାନ୍ତି
(ଫିକିର ଜାତୀୟ ପର୍ଯଟନ କମିଟି ଉପାଧ୍ୟକ୍ଷ, ସ୍ବସ୍ତି ଗ୍ରୁପ୍‌ର ସିଏମ୍‌ଡି)

ସମ୍ବନ୍ଧିତ ଖବର