ବିଦେଶୀ ଟୁର୍‌ ଅପରେଟର୍‌ଙ୍କ ପ୍ରଥମ ପସନ୍ଦ ଓଡ଼ିଶା

ଚନ୍ଦ୍ରଶେଖରପୁର : ପର୍ଯ୍ୟଟନ ଶିଳ୍ପରେ ରହିଥିବା ବିପୁଳ ସମ୍ଭାର ତଥା ସୁଯୋଗକୁ ଦୃଷ୍ଟିରେ ରଖି ବିଦେଶୀ ଟୁର୍‌ ଅପରେଟର୍‌ମାନଙ୍କର ପ୍ରଥମ ପସନ୍ଦ ସାଜିଛି ଓଡ଼ିଶା। ବିଶ୍ୱ ବଜାରରେ ରାଜ୍ୟ ପର୍ଯ୍ୟଟନକୁ ସ୍ୱତନ୍ତ୍ର ମର୍ଯ୍ୟାଦାର ମାନ୍ୟତା ଦେବା ତଥା ଓଡ଼ିଶାର ସଂସ୍କୃତିସମ୍ପନ୍ନ ଐତିହ୍ୟର ପରିପ୍ରକାଶ ନିମନ୍ତେ ଆୟୋଜିତ ଓଡ଼ିଶା ଟ୍ରାଭେଲ ବଜାରର ପ୍ରଥମ ସଂସ୍କରଣ ଆଜି ଉଦ୍‌ଯାପିତ ହୋଇଛି। ରାଜ୍ୟ ସରକାର ଓ ଫିକି’ର ମିଳିତ ସହଯୋଗରେ ଆୟୋଜିତ ଏହି ତିନିଦିନିଆ କାର୍ଯ୍ୟକ୍ରମରେ ୧୯ଟି ଦେଶରୁ ୪୬ଜଣ ନାମୀଦାମୀ ବିଦେଶୀ ଟୁର୍‌ ଅପରେଟର୍‌ ଯୋଗ ଦେଇଥିଲେ। ବିଶ୍ୱରେ ଟ୍ରାଭେଲ୍‌ ଓ ଟୁର୍‌ ମ୍ୟାନେଜମେଣ୍ଟ୍‌ ନିମନ୍ତେ ବେଶ୍‌ ପ୍ରସିଦ୍ଧି ଲାଭ କରିଥିବା ବହୁ ଟୁର୍‌ ଅପରେଟରମାନେ ରାଜ୍ୟରେ ନିଜର ଶାଖା ଖୋଲିବା ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି। ଏନେଇ ରାଜ୍ୟର ଅନେକ ଅଗ୍ରଣୀ ଟୁର୍‌ ଅପରେଟରଙ୍କ ସହ ସଫଳ ଆଲୋଚନା ହୋଇଥିବା ଉଦ୍‌ଯାପନୀ ଦିବସରେ ପର୍ଯ୍ୟଟନ ସଚିବ ଡ. ମୋନା ଶର୍ମା ପ୍ରକାଶ କରିଛନ୍ତି। ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମି କ୍ଷେତ୍ରରେ ନିବେଶ ନିମନ୍ତେ ଅନେକ ବିଦେଶୀ ସଂସ୍ଥା ଆଗ୍ରହ ପ୍ରକାଶ କରିଛନ୍ତି। ୧୫ରୁ ଉର୍ଧ୍ୱ ସଂସ୍ଥା ରାଜ୍ୟରେ ହୋଟେଲ, ଚିତ୍ତବିନୋଦନ ପାର୍କ, ମସାଜ ସେଣ୍ଟର, ରୋପ୍‌େଓ୍ଵ ଆଦି କ୍ଷେତ୍ରରେ ନିବେଶ ନିମନ୍ତେ ସବୁଜ ସଙ୍କେତ ଦେଇଥିବା ଡ. ଶର୍ମା ସୂଚନା ଦେଇଛନ୍ତି।

ଓଡ଼ିଶା ଟ୍ରାଭେଲ ବଜାରର ପ୍ରଥମ ସଂସ୍କରଣ ସଫଳ ହୋଇଥିବା ଫିକି ଓଡ଼ିଶା ଷ୍ଟେଟ୍‌ କାଉନ୍‌ସିଲ୍‌ ମୁଖ୍ୟ ସଞ୍ଜୀବ୍‌ ମହାନ୍ତି ପ୍ରକାଶ କରିଥିଲେ। ଏହି ତିନିଦିନିଆ ସମ୍ମିଳନୀରେ ନିବେଶ କ୍ଷେତ୍ରରେ ଅନେକ ସଫଳ ଆଲୋଚନା ହୋଇଥିବା ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ଏହି ଅବସରରେ ୟେସ୍‌ ବ୍ୟାଙ୍କ୍‌ ଏମ୍‌ଡି ଓ ସିଇଓ ତଥା ୟେସ ଗ୍ଲୋବାଲ ଅନୁଷ୍ଠାନର ଅଧ୍ୟକ୍ଷ ରାଣା କାପୁର, ଜେ କେ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷ ହେବା ପରେ ସମସ୍ତ ବିଦେଶୀ ଅତିଥିଙ୍କୁ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ବୁଲି ଦେଖାଇବାର ବ୍ୟବସ୍ଥା କରାଯାଇଥିଲା।

ଓଟିବିର ଦ୍ୱିତୀୟ ଦିନରେ ପର୍ଯ୍ୟଟକଙ୍କୁ ରାଜ ଉଆସରେ ରାତି ବିତାଇବାର ଅବସର ଦେବା ନିମନ୍ତେ ୧୦୦ବର୍ଷର ପୁରୁଣା ରାଜମହଲକୁ ହେରିଟେଜ୍‌ ହୋଟେଲରେ ପରିଣତ କରିବା ପାଇଁ ପର୍ଯ୍ୟଟନ ବିଭାଗ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ୯ଟି ରାଜମହଲକୁ ଏହି ଯୋଜନାରେ ସାମିଲ କରାଯାଇଥିବା ବେଳେ ୩ଟି ରାଜପରିବାରରୁ ଏନେଇ ସବୁଜ ସଙ୍କେତ ମିଳିଥିବା ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ପ୍ରକାଶ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ରାଜପ୍ରାସାଦ, ବାଲେଶ୍ୱର ଜିଲ୍ଲା ନୀଳଗିରି ଓ ଢେଙ୍କାନାଳ ଜିଲ୍ଲା ଗଜଲକ୍ଷ୍ମୀ ରାଜପରିବାର ପକ୍ଷରୁ ଏନେଇ ସମ୍ମତି ମିଳିଥିବା ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଏହି ସବୁ ରାଜମହଲକୁ ହେରିଟେଜ୍‌ ସାଇଟ୍‌ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ଏନେଇ ରାଜ୍ୟ ସରକାର ରାଜପରିବାରକୁ ସବ୍‌ସିଡି ଯୋଗାଇ ଦେବେ। ରାଜଉଆସରେ ରାତ୍ରିଯାପନ ସହ ସେଠାକାର ପର୍ଯ୍ୟଟନ ସ୍ଥଳ ପରିଭ୍ରମଣ ପର୍ଯ୍ୟଟକଙ୍କ ନିମନ୍ତେ ଭିନ୍ନ ଏକ ଅନୁଭୁତି ଆଣିଦେବ।

ସମ୍ବନ୍ଧିତ ଖବର