ବିଶ୍ୱ ପର୍ଯ୍ୟଟନର ପ୍ରାଣକେନ୍ଦ୍ର ହେବ ଓଡ଼ିଶା

ଓଡ଼ିଶା ଟ୍ରାଭେଲ ବଜାର-୨୦୧୭ ଉଦ୍‌ଘାଟିତ

ଚନ୍ଦ୍ରଶେଖରପୁର : ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାରେ ରହିଥିବା ଅପାର ସମ୍ଭାର ସାରା ବିଶ୍ୱକୁ ଦିଗ୍‌ଦର୍ଶନ ଦେବ। ବିଶାଳ ବେଳାଭୂମି, ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ, ବନ୍ୟପ୍ରାଣୀ, ନଦନଦୀ, ହସ୍ତତନ୍ତ, ହସ୍ତଶିଳ୍ପ, କଳା ସ୍ଥାପତ୍ୟ, ମହାନ ଐତିହ୍ୟ ସାରା ବିଶ୍ୱରେ ଅନନ୍ୟ। ଗୋଟିଏ ସ୍ଥାନରେ ସମସ୍ତ ଶୋଭାରାଜିର ସମାହାର ବିଶ୍ୱର ଯେ କୌଣସି ଦେଶର ପର୍ଯ୍ୟଟକଙ୍କୁ ଓଡ଼ିଶାକୁ ଆକୃଷ୍ଟ କରିପାରିବ। ନିଯୁକ୍ତି ସୁଯୋଗ ସୃଷ୍ଟି ତଥା ପ୍ରଦୂଷଣମୁକ୍ତ ସ୍ୱଚ୍ଛ ଶିଳ୍ପର ମାନ୍ୟତା ପାଇଥିବା ପର୍ଯ୍ୟଟନ କ୍ଷେତ୍ରର ବିକାଶରେ ଅର୍ଥନୈତିକ ଅଭିବୃଦ୍ଧିର ଅଶେଷ ସମ୍ଭାବନା ରହିଥିବା ଓଡ଼ିଶା ଟ୍ରାଭେଲ ବଜାର (ଓଟିବି)ର ପ୍ରଥମ ସଂସ୍କରଣ ଉଦ୍‌ଘାଟନ ସମାରୋହରେ ମତପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରରେ ବିପୁଳ ନିବେଶ ସୁଯୋଗ ମଧ୍ୟ ରହିଛି। ଶାମୁକା ଭଳି ବିଭିନ୍ନ ପର୍ଯ୍ୟଟନ ପ୍ରକଳ୍ପର ବିକାଶ ଓ ବେଳାଭୂମି ବିକାଶ କ୍ଷେତ୍ରରେ ମଧ୍ୟ ବିଦେଶୀ ପୁଞ୍ଜିନିବେଶର ସୁଯୋଗ ଓଟିବି ଅବସର ଆଣିଦେବା ନେଇ ଅତିଥିମାନେ ଆଶା ପ୍ରକଟ କରିଥିଲେ।

ରାଜ୍ୟ ସରକାର ଓ ଫିକି ଓଡ଼ିଶା ଚାପ୍ଟରର ମିଳିତ ଆନୂକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟଅତିଥି ଭାବରେ ଯୋଗଦେଇ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ସାରା ସାରା ବିଶ୍ୱରେ ପ୍ରଚାର ପ୍ରସାର କରାଇବା ତଥା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ସୂଚନା ଦେଇଥିଲେ। ରାଜ୍ୟ ସରକାର ପର୍ଯ୍ୟଟକମାନଙ୍କୁ ସୁରକ୍ଷା ଓ ନିରାପତ୍ତା ଯୋଗାଇଦେବା ନିମନ୍ତେ ଆଠଟି ପର୍ଯ୍ୟଟନ ଥାନା ପ୍ରତିଷ୍ଠା କରିଛନ୍ତି। ପିପିପି ମୋଡ୍‍ରେ ପର୍ଯ୍ୟଟକଙ୍କ ନିମନ୍ତେ ୩୫ଟି ସ୍ୱତନ୍ତ୍ର ଆବାସସ୍ଥଳର ବିକାଶ କରିଛନ୍ତି ଯାହାକି ବେଶ୍‌ ଆଦରଣୀୟ ହୋଇପାରିଛି। ମାଲେସିଆକୁ ସିଧାସଳଖ ବିମାନ ବ୍ୟବସ୍ଥା ପରେ ଖୁବ୍‌ଶୀଘ୍ର ବ୍ୟାଙ୍କକ୍‌କୁ ମଧ୍ୟ ବିମାନସେବାର ବ୍ୟବସ୍ଥା କରାଯାଉଥିବା ମନ୍ତ୍ରୀ ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ। ଏହାସହିତ ଏହି ତିନିଦିନିଆ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବିଭିନ୍ନ ଦେଶରେ ଟୁର୍‌ ଅପରେଟର ଓ ଟ୍ରାଭେଲ୍‌ ଏଜେଣ୍ଟମାନେ ରାଜ୍ୟକୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ସ୍ୱଦେଶ ଦର୍ଶନ ଯୋଜନାରେ କେନ୍ଦ୍ର ସରକାର ରାଜ୍ୟର ବୁଦ୍ଧିଷ୍ଟ୍‍ ସର୍କିଟ୍‌କୁ ସାମିଲ୍‌ କରିବାକୁ ଦାବି କରିଥିଲେ ଶ୍ରୀ ପଣ୍ଡା।

ଓଡ଼ିଶାକୁ ଆସୁଥିବା ପର୍ଯ୍ୟଟକମାନେ ଏଠାରୁ ଫେରିବାବେଳେ ବନ୍ଧୁ ହୋଇ ଫେରୁଥିବା ଉପସ୍ଥିତ ଅତିଥିମାନେ ମତ ଦେଇଥିଲେ। ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ କୁମାର ମହାନ୍ତି, ରାଜ୍ୟ ଉନ୍ନୟନ କମିଶନର ଆର୍‌ ବାଲକ୍ରିଷ୍ଣନ୍‌, ପର୍ଯ୍ୟଟନ ସଚିବ ମୋନା ଶର୍ମା, ଫିକି ଓଡ଼ିଶା ଚାପ୍ଟର ମୁଖ୍ୟ ଶୁଭ୍ରକାନ୍ତ ପଣ୍ଡା, ହାରୋ ଅଧ୍ୟକ୍ଷ ଜେ କେ ମହାନ୍ତି, ରାହୁଲ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ। ଫିକି-ଏମଆରଏସଏସ ନଲେଜ ପେପର ଏବଂ ଡେଷ୍ଟିନେସନ ଓଡ଼ିଶା : ଇନ୍‌ଭେଷ୍ଟମେଣ୍ଟ ଅପରଚ୍ୟୁନିଟି ଇନ ଟୁରିଜିମ ଇନଫାଷ୍ଟ୍ରକଚର ସମ୍ବନ୍ଧରେ ଫିକି-ୟେସ୍‌ ବ୍ୟାଙ୍କ ନଲେଜ ପେପରକୁ ଅତିଥିମାନେ ଉନ୍ମୋଚନ କରିଥିଲେ।

ତିନିଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦକ୍ଷିଣ ପୂର୍ବ ଏସିଆ ସମେତ ବିଶ୍ୱର ଅନ୍ୟାନ୍ୟ ଅଞ୍ଚଳରୁ ଟୁର ଅପରେଟରମାନେ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ସ୍ଥାନୀୟ ଟୁର ଅପରେଟରମାନେ ନିଜର ସ୍ୱତନ୍ତ୍ର ପ୍ୟାକେଜକୁ ବିଦେଶୀ ଟ୍ରାଭେଲ ଏଜେଣ୍ଟମାନଙ୍କୁ ବିକ୍ରି କରିପାରିବେ ।

ସମ୍ବନ୍ଧିତ ଖବର