୧୪ରୁ ଆରମ୍ଭ ହେବ ଓଡ଼ିଶା ଟ୍ରାଭେଲ୍ ବଜାର, ସାମିଲ୍ ହେବେ ୮୫ ଟୁର୍‌ ଅପରେଟର

ଭୁବନେଶ୍ବର: ରାଜ୍ୟ ପର୍ଯ୍ୟଟନର ପ୍ରଚାର ପ୍ରସାର ସହ ପର୍ଯ୍ୟଟକଙ୍କ ଆଗମନ ପାଇଁ ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟ ନେଇ ଆୟୋଜିତ ହେବ ‘ଓଡ଼ିଶା ଟ୍ରାଭେଲ୍‌ ବଜାର’। ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ‘ଫିକି’ ପକ୍ଷରୁ ମିଳିତ ଭାବେ ମେ ଫେୟାର ସମ୍ମିଳନୀ କକ୍ଷରେ ଏହାର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ବିଦେଶୀ ଟୁର୍‌ ଅପରେଟରଙ୍କ ଅପେକ୍ଷା ଦେଶୀୟ ଟୁର୍‌ ଅପରେଟରଙ୍କୁ ଅଗ୍ରାଧିକାର ଦିଆଯାଇଛି। ୧୫ଟି ଦେଶରୁ ୨୫ ଜଣ ଅଗ୍ରଣୀ ବିଦେଶୀ ଟୁର୍‌ ଅପରେଟର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ଭାରତର ୧୩ଟି ରାଜ୍ୟର ୧୯ଟି ସହରରୁ ୬୦ ଜଣ ଅଗ୍ରଣୀ ଟୁର୍‌ ଅପରେଟର ସାମିଲ୍‌ ହେବେ। ଏଥିସହ ଅନ୍ତର୍ଜାତୀୟ ବିମାନବନ୍ଦରର କର୍ମକର୍ତା, ଟ୍ରାଭେଲ୍ ଲେଖକ ମଧ୍ୟ ସାମିଲ୍‌ ହେବେ। ଓଡ଼ିଶାର ୨୪ ଜଣ ଟୁର୍‌ ଅପରେଟର ଓ ୨୯ ଜଣ ହୋଟେଲ୍‌ ବ୍ୟବସାୟ ସହ ସମ୍ପୃକ୍ତ ବ୍ୟକ୍ତିବିଶେଷ ସାମିଲ୍‌ ହୋଇ ବାହାରୁ ଆସିଥିବା ଟୁର୍‌ ଅପରେଟରମାନଙ୍କ ସହ ବିଟୁବି ବୈଠକରେ ପର୍ଯ୍ୟଟନ ସମ୍ବନ୍ଧିତ ବ୍ୟବସାୟ ବାବଦରେ ଆଲୋଚନା କରିବେ। ପ୍ରାୟ ୨୪୦୦ ବିଟୁବି ବୈଠକ ହେବ। ଏହି ଅବସରରେ ବାହାରୁ ଆସିଥିବା ଟୁର୍‌ ଅପରେଟରଙ୍କୁ ‘ଫାମ୍‌’ ଟୁର୍‌ରେ ନିଆଯିବ। ୩ଟି ଟୁର୍‌ ଟ୍ରିପ୍‌ରେ ସେମାନେ ପୁରୀ, କୋଣାର୍କ, ଭିତରକନିକା, ଚନ୍ଦ୍ରଭାଗା, ରଘୁରାଜପୁର, ଧଉଳି, ଚିଲିକା, ମଙ୍ଗଳାଯୋଡ଼ି, ଲଳିତଗିରି, ରତ୍ନଗିରି, ଉଦୟଗିରି ଭଳି ପ୍ରମୁଖ ଜାଗା ବୁଲିବେ ବୋଲି ପର୍ଯ୍ୟଟନ ସଚିବ ବିଶାଳ ଦେବ ସୂଚନା ଦେଇଛନ୍ତି।

ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ କହିଲେ, ୨୦୨୦ ମସିହା ସୁଦ୍ଧା ୨କୋଟି ୫୦ଲକ୍ଷ ପର୍ଯ୍ୟଟକ ଆସିବା ନେଇ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୨୦୨୦ ପର୍ଯ୍ୟଟନ ନୀତିରେ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଉଛି। ‘ଫିକି ଜାତୀୟ ପର୍ଯ୍ୟଟନ କମିଟି’ର ଉପାଧ୍ୟକ୍ଷ ତଥା ସ୍ବସ୍ତି ଗ୍ରୁପ୍‌ର ସିଏମ୍‌ଡି ଜେ.କେ ମହାନ୍ତି ଯୋଗଦେଇ କହିଲେ, ଓଡ଼ିଶାରେ ପର୍ଯ୍ୟଟନର ବ୍ୟାପକ ସମ୍ଭାବନା ଅଛି। ତେବେ ଓଡ଼ିଶାରେ ତାରକା ହୋଟେଲ୍‌ ଯଥେଷ୍ଟ ନଥିବାରୁ ରାଜ୍ୟ ସରକାର ୩୦ ପ୍ରତିଶତ କ୍ୟାପିଟାଲ୍‌ ଇନ୍‌ଭେଷ୍ଟ୍‌ମେଣ୍ଟ୍‌ ସବ୍‌ସିଡି ଯୋଗାଇ‌ ଦେବା ସହ ଓଡ଼ିଶାକୁ ଯେପରି ଅନ୍ତର୍ଜାତୀୟ ବିମାନ ଯୋଡ଼ିହେବ ସେ ଦିଗରେ ଧ୍ୟାନ ଦେଇପାରିଲେ ଓଡ଼ିଶା ପର୍ଯ୍ୟଟନରେ ବହୁ ଉନ୍ନତି ସାଧିତ ହୋଇପାରିବ।

ସମ୍ବନ୍ଧିତ ଖବର