ସରିଲା ଓଡ଼ିଶୀ ମହାକୁମ୍ଭ

ଭୁବନେଶ୍ୱର : ଦେଶ ବିଦେଶର ଜଣାଶୁଣା ଶିଳ୍ପୀଙ୍କ ଓଡ଼ିଶୀ ନୃତ୍ୟ ତାଳେତାଳେ ଓଡ଼ିଶୀ ନୃତ୍ୟ ମହାକୁମ୍ଭର ପରଦା ନଇଁଛି। ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଆଜି ଏକକ ପର୍ଯ୍ୟାୟରୁ ଆରମ୍ଭ ହୋଇ ଦଳଗତ ନୃତ୍ୟରେ ଶେଷ ହୋଇଥିଲା। ଏହି ଅବସରରେ ନନ୍ଦନନ୍ଦନାଷ୍ଟକ, କଳିକା ସ୍ତୋତ୍ର, ପଞ୍ଚଭୂତ ଭଳି ବିଷୟ ନୃତ୍ୟରେ ଦେଖିବାକୁ ମିଳିଥିଲା।

ଅଭିଶ୍ରୀ, ଇଲେନା କେନୟାଜେନା, ପ୍ରଭାକର, ଟୁବୁଲା, ରୋଜାଲିନ, ଅଞ୍ଜନା, ସରୋଜ, ସୁଭଦ୍ରାଙ୍କ ନୃତ୍ୟ ସହ ‘ଅଙ୍ଗିକା’ ଓ ‘ଶିବାକ୍ଷ’ ଅନୁଷ୍ଠାନର ଦଳଗତ ନୃତ୍ୟ ଦେଖିବାକୁ ମିଳିଥିଲା। ସନ୍ଧ୍ୟାରେ ପ୍ରଭାତୀ, ସିମନ୍ତିନୀ, ସିମ୍‌ରନ୍‌, ବିଜୟିନୀ, ଅର୍‌ନାଜ, ସଂଜୟ, ଗୌରୀଶଙ୍କର, ଆତ୍ରୀ, ଓ୍ଵାକାନ୍‌, ଦୀପକ, ଶୁଭଦର୍ଶିନୀ, ଆର୍ଯ୍ୟ, ସ୍ୱାତୀ ସାଗରିକାଙ୍କ ନୃତ୍ୟ ସହ ‘ନୃତ୍ୟ ଉପାସନା ପୀଠ’ର ଦଳଗତ ନୃତ୍ୟ ପରିବେଷିତ ହୋଇଥିଲା। ସାନ୍ଧ୍ୟ ଅଧିବେଶନରେ ବିଶିଷ୍ଟ କଥାକାର ଗୌରହରି ଦାସ, ସଂସ୍କୃତି ବିଭାଗର ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ, ସାହିତ୍ୟିକ ବିଜୟ କୁମାର ନାୟକ, ‘ସୃଜନ’ର ନିର୍ଦେଶକ ରତିକାନ୍ତ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଡ.ସଂଗୀତା ଗୋସାଇଁ ଉପସ୍ଥିତ ଥିଲେ। ଡ.ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର