‘ଓଡ଼ିଶୀ ସଙ୍ଗୀତ ମହୋତ୍ସବ’ର ୩ୟ ଦିବସ

ଭୁବନେଶ୍ୱର : ‘ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ଫାଉଣ୍ଡେସନ୍‌’ ପକ୍ଷରୁ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଆୟୋଜିତ ‘ଓଡ଼ିଶୀ ସଙ୍ଗୀତ ମହୋତ୍ସବ’ର ଆଜି ଥିଲା ୩ୟ ଦିବସ। କାର୍ଯ୍ୟକ୍ରମର ପୂର୍ବାହ୍ନରେ ପ୍ରଥମ ପର୍ଯ୍ୟାୟରେ ରାଉରକେଲାର ସଙ୍ଗୀତ ସୁଧାକର କଳାକେନ୍ଦ୍ର ପକ୍ଷରୁ ବନମାଳୀଙ୍କ ରଚନାରୁ ରାଗ ଦିଲାହାରୀ ଓ ତାଳ ଏକତାଳି ରୂପକ ଉପରେ ଆଧାରିତ ସଙ୍ଗୀତ ‘ସଖି ଗୋ ଦୂତୀ ଗୋ ହେଲା ପାହାନ୍ତି’ ପରିବେଷିତ ହୋଇଥିଲା। ଏହାପରେ ଶ୍ରୀ ସିଦ୍ଧି ଏକାଡେମି ଅଫ୍‌ ଆର୍ଟସ୍‌ ପକ୍ଷରୁ ରାଗ କେଦାରକାମୋଦୀ ଓ ତାଳ ତ୍ରିପଟାରେ କାଳୀଚରଣ ପଟ୍ଟନାୟକଙ୍କ ରଚନାରୁ ‘ଏ ଗୁରୁ ଗିରିଷମ ଗରୁ ହେଲାରେ ତାତି’ ଗାନ କରାଯାଇଥିଲା। ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟରେ ଆରତୀ ମିଶ୍ରଙ୍କ ଦ୍ୱାରା କବି ସୂର୍ଯ୍ୟଙ୍କ ରଚନାରୁ ‘ଆରେ ପ୍ରାଣ ସହି..’ ଓ ‘ମୋତେ ହଇରାଣ ଆଉ କରନା ଏତେ’ ପରିବେଷିତ ହୋଇଥିଲା। ଏହାପରେ ଲତା ଘୋଷଙ୍କ ଦ୍ୱାରା ଓଡ଼ିଶୀ ଓ ଚମ୍ପୁ ପରିବେଷିତ ହୋଇଥିଲା। ସନ୍ଧ୍ୟାରେ ମର୍ଦ୍ଦଳ ବାଦକ ନିରଞ୍ଜନ ପାତ୍ର ରାଗ ମୁଖାରୀରେ ‘ବୀର ବେଶେ ଗୋ କାଲି ଶ୍ୟାମ ଆସିଥିଲେ ମୋର ପାସେ ଗୋ’ ପରିବେଷଣ କରିଥିଲେ। ସନ୍ଧ୍ୟାରେ ଅତିଥି ଭାବେ ଆୟକର ବିଭାଗ କମିସନର ଶରତ କୁମାର ଦାଶ, ସଂଜୀବ ହୋତା, ବଟକୃଷ୍ଣ ତ୍ରିପାଠୀ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡିକେ ରାୟ, ଗୁରୁ ରାମହରି ଦାସ, ଗୁରୁ କେଶବ ରାଉତ ଏବଂ ଅରକ୍ଷିତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର