ଏକାମ୍ର ହାଟରେ ପିଠା ମହକ, ଓଡ଼ିଆଣୀ ପ୍ରତିଯୋଗିତା

ଭୁବନେଶ୍ବର: ଭଳିକି ଭଳି ପିଠାର ମହକରେ ମହକୁଥିଲା ଏକାମ୍ର ହାଟ ପରିସର। ଆରିସା, କାକେରା, ଚକୁଳି, ମଣ୍ଡା ପିଠାର ବାସ୍ନାରେ ଚହଟୁଥିଲା ହାଟ। କୁନିକୁନି ପିଲାଏ କୌତୁକ ପୋଷାକ ପ୍ରତିଯୋଗିତାରେ ଭାଗ ନେଇ ଭିନ୍ନ ରୂପରେ ସଜେଇ ହୋଇ ଖନେଇ ଖନେଇ ନିଜର ମତ ରଖିବା ଦର୍ଶକଙ୍କୁ ଆହୁରି ଅଭିଭୂତ କରୁଥିଲା। ପରେ ସଂଗୀତ ଓ ଓଡ଼ିଶୀ ନୃତ୍ୟରେ ବିଭୋର୍‌ କରି‌ଥିଲେ ଜଣାଶୁଣା କଣ୍ଠଶିଳ୍ପୀ। ‘ସଂଭାବନା’ ପକ୍ଷରୁ ଏକାମ୍ର ହାଟରେ ଆଜିଠୁ ଆରମ୍ଭ ହୋଇଥିବା ୬ଦିନିଆ ଓଡ଼ିଆଣୀ ପ୍ରତିଯୋଗିତା ଏପରି ଉପଭୋଗ୍ୟ ଆସର ଭେଟି ଦେଇଥିଲା। ଚତୁର୍ଦଶ ବର୍ଷରେ ପଦାର୍ପଣ କରିଥିବା ଓଡ଼ିଆ ମହୋତ୍ସବ ଓ ଓଡ଼ିଆଣୀ ପ୍ରତିଯୋଗିତାର ପ୍ରଥମ ସନ୍ଧ୍ୟାରେ ବରିଷ୍ଠ ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ, ‘କାଦମ୍ବିନୀ’ର ସମ୍ପାଦିକା ଡ. ଇତିରାଣୀ ସାମନ୍ତ, ସଂସ୍କୃତି ବିଭାଗର ଯୁଗ୍ମ ଶାସନ ସଚିବ ମନସ୍ବିନୀ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଆ ମହୋତ୍ସବର ଅଧ୍ୟକ୍ଷ ରାଜୀବ ଶେଖର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସନ୍ଧ୍ୟାରେ ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ର ଅତିଥିଙ୍କୁ ସ୍ବାଗତ କରିଥିବା ବେଳେ ୨୦୧୮ର ଶ୍ରେଷ୍ଠ ଓଡ଼ିଆଣୀ ଚନ୍ଦ୍ରପ୍ରଭା ଦାସ ଉପସ୍ଥିତ ଥିଲେ। ସଂଭାବନାର ସମ୍ପାଦକ ଦେବପ୍ରସାଦ ପରିଜା ପ୍ରାରମ୍ଭିକ ସୂଚନା ଦେଇଥିଲେ। ପରିଚାଳନା କରିଥିଲେ ଟ୍ରଷ୍ଟି ସ୍ମୃତି ମହାନ୍ତି। ଆଜିର ଓଡ଼ିଆଣୀ ପ୍ରତିଯୋଗିତାର ବିଚାରକ ଥିଲେ ଆର୍ଯ୍ୟା ପାଣିଗ୍ରାହୀ, ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଏବଂ ସୁଶାନ୍ତ ରଂଜନ ଚଇନି। ଶିଶୁ ଓ କିଶୋରଙ୍କ ମଧ୍ୟରେ କୌତୁକ ପୋଷାକ ଓ ଆବୃତ୍ତି ପ୍ରତିଯୋଗିତା କରାଯାଇଥିଲା। ଏହାର ବିଚାରକ ଥିଲେ ଡ.ଦେବାଶିଷ ମହାପାତ୍ର ଏବଂ ବ୍ୟଙ୍ଗକବି ଡ.କୁଳାଙ୍ଗାର। ପରେ ଜଣାଶୁଣା କଣ୍ଠଶିଳ୍ପୀ ସଂଗୀତ ପରିବେଷଣ କରି ମନୋରଂଜନ କରିଥିବା ବେଳେ ସନ୍ଧ୍ୟା ‌ଏକାଡେମିର ଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ସଂଭାବନାର ସଦସ୍ୟ ଛନ୍ଦା ମିଶ୍ର, ରାଜଶ୍ରୀ ଶତପଥୀ, ପ୍ରଫୁଲ୍ଲ ଦେ, ସତ୍ୟବ୍ରତ ମହାପାତ୍ର, ଅଭିରାମ ସାହୁ ପରିଚାଳନାରେ ସହଯୋଗ କରିଥିଲେ। ଆସନ୍ତାକାଲି ଓଡ଼ିଆ ଘରର ତିଅଣ ପ୍ରତିଯୋଗିତା ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର