ଅଫଲାଇନ୍‌ରେ ଚାଲିଛି କାଗଜପତ୍ର କାମ

ଅନଲାଇନ୍‌ ଡ୍ରଗ୍‌ସ ଲାଇସେନ୍‌ସ ନାଁରେ ଭୁଆଁ ବୁଲାଇଲେ

ଭୁବନେଶ୍ୱର: ଦୁଇ ବର୍ଷ ତଳେ ଭେଷଜ ନିୟନ୍ତ୍ରଣ ପ୍ରଶାସନ ଅଟୋମେସନ ବ୍ୟବସ୍ଥାର ଶୁଭାରମ୍ଭ ହୋଇଥିଲା। ଅନଲାଇନ ଜରିଆରେ ଲୋକମାନେ ଘରେ ବସି ଔଷଧ ଦୋକାନର ଲାଇସେନ୍ସ ଓ ଲାଇସେନ୍ସର ନବୀକରଣ କରିପାରିବେ ବୋଲି ଡିଣ୍ଡିମ ପିଟିଥିଲେ ରାଜ୍ୟ ସରକାର। ମାତ୍ର ଏହି ଅନଲାଇନ୍‌ ବ୍ୟବସ୍ଥା କେବଳ ଘୋଷଣାରେ ସୀମିତ ରହିଛି। ଫଳରେ ଔଷଧ ଦୋକାନର ପଞ୍ଜୀକରଣ ଓ ନବୀକରଣ ପାଇଁ ମାସ ମାସ ଧରି ଅପେକ୍ଷା କରିବାକୁ ପଡ଼ୁଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଅନଲାଇନ୍‌ ବ୍ୟବସ୍ଥାର ଶୁଭାରମ୍ଭ ହୋଇଥିଲା।ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁ.ଡିସିଓଡ଼ିଶାଅନଲାଇନ୍‌.ଇନ୍‌ େଓ୍ଵବସାଇଟକୁ ଯିବା ପରେ ଜଣେ ଔଷଧ ଦୋକାନୀ ନିଜ ଲାଇସେନ୍‌ସର ଆବେଦନ କିମ୍ବା ନବୀକରଣ କରିପାରିବ। ମାତ୍ର ଏହି ଅନଲାଇନ୍‌ ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ଭେଷଜ ନିୟନ୍ତ୍ରଣ ପ୍ରଶାସନ ଅଟୋମେସନ ବ୍ୟବସ୍ଥା ଏବେ ବି ପରୀକ୍ଷାମୂଳକ ସ୍ଥିତିରେ ରହିଛି। ଏହା ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇନାହିଁ। ଅନଲାଇନ୍‌ରେ କୌଣସି ଔଷଧ ଦୋକାନର ନବୀକରଣ ପାଇଁ ପ୍ରଥମେ ଦୋକାନର ସମସ୍ତ କାଗଜପତ୍ରର ଡିଜିଟାଇଜେସନ୍‌ କରାଯିବାର ଆବଶ୍ୟକତା ରହିଛି। ପୂର୍ବରୁ ଲାଇସେନ୍‌ସ ନେଇଥିବା ଔଷଧ ଦୋକାନୀଙ୍କର କାଗଜପତ୍ରର ଡିଜିଟାଇଜେସନ୍‌ କାର୍ଯ୍ୟ ଏ ପର୍ଯ୍ୟନ୍ତ ଶେଷ ହୋଇନଥିବା ଜଣାପଡ଼ିଛି। ଫଳରେ ଅନଲାଇନ୍‌ ଜରିଆରେ ଔଷଧର ନବୀକରଣ କାର୍ଯ୍ୟ ହୋଇପାରୁ ନାହିଁ। ସେହିପରି ନୂତନ ଭାବେ ଔଷଧ ଦୋକାନ ପାଇଁ ଆବେଦନ କରିବାକୁ ଚାହୁଥିବା ଆବେଦନକାରୀଙ୍କୁ ମଧ୍ୟ ଏହି ସୁବିଧା ମିଳୁନାହିଁ। ପୂର୍ବଭଳି ଅଫ୍‌ଲାଇନ ବା ମାନୁଆଲ ଜରିଆରେ ନବୀକରଣ ଓ ଆବେଦନ କରାଯାଉଛି। ରାଜ୍ୟରେ ସମୁଦାୟ ୧୬୩୧୩ଟି ଲାଇସେନ୍ସପ୍ରାପ୍ତ ଔଷଧ ଦୋକାନ ରହିଛି। ତହିଁରୁ ୧୨୦୬୮ଟି ଖୁଚୁରା ଓ ୪୨୪୫ଟି ହୋଲସେଲ ଦୋକାନ ରହିଛି। ଏହାଛଡ଼ା ୬୪ଟି ଔଷଧ ପ୍ରସ୍ତୁତକାରୀ ସଂସ୍ଥା ରହିଛନ୍ତି। ଏସବୁ ପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଡ୍ରଗ୍‌ସ ଇନ୍‌ସପେକ୍ଟର ରହିଛନ୍ତି। ରାଜ୍ୟରେ ଅଧିକାଂଶ ରେଞ୍ଜ କାର୍ଯ୍ୟାଳୟରେ କମ୍ପ୍ୟୁଟର୍‌ ନାହିଁ କି ଇଣ୍ଟରନେଟ୍‌ ମଧ୍ୟ ସଂଯୋଗ ନାହିଁ। ଏଭଳି ପରିସ୍ଥିତିରେ ଅନଲାଇନ କାର୍ଯ୍ୟ କିଭଳି ସହଜରେ ପରିଚାଳିତ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନଲାଇନ୍‌ ବ୍ୟବସ୍ଥାର ଉଦ୍‌ଘାଟନ ସମୟରେ ରାଜ୍ୟର ସମସ୍ତ ଲାଇସେନ୍ସପ୍ରାପ୍ତ ଔଷଧ ଦୋକାନୀ େଓ୍ଵଭ୍‌ କ୍ୟାମେରା ଲଗାଇବାକୁ କୁହାଯାଇଥିଲା। ମାସକ ମଧ୍ୟରେ ଏହାକୁ ସୁନିଶ୍ଚିତ କରିବାକୁ ତତ୍‌କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ନିର୍ଦେଶ ଦେଇଥିଲେ। କେତେ ଔଷଧ ଦୋକାନୀ ନିଜର େଓ୍ଵଭ୍‌ କ୍ୟାମେରା ଲଗାଇଛନ୍ତି ତାହାର ମଧ୍ୟ କୌଣସି ତଥ୍ୟ ନାହିଁ। ଅପରପକ୍ଷରେ ଭେଷଜ ନିୟନ୍ତ୍ରଣ ପ୍ରଶାସନ ଅଟୋମେସନ ବ୍ୟବସ୍ଥାର ପରିଚାଳନା ପାଇଁ ଏକ ସଫ୍‌ଟେଓ୍ଵର ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। କିନ୍ତୁ କିଛି ମାସ ପୂର୍ବରୁ ସଂପୃକ୍ତ ସଂସ୍ଥା ଅନଲାଇନ୍‌ କାର୍ଯ୍ୟରୁ ଓହରି ଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।

ଡ୍ରଗ୍‌ସ କଣ୍ଟ୍ରୋଲର ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଅନଲାଇନ୍‌ ବ୍ୟବସ୍ଥା ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। କିଛିଦିନ ପୂର୍ବରୁ ଔଷଧ ଦୋକାନଗୁଡ଼ିକର ନବୀକରଣ ନେଇ ନୂତନ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ୫ବର୍ଷରେ ଥରେ ଦୋକାନୀମାନଙ୍କୁ ଯେଉଁ ନବୀକରଣ କରିବାକୁ ପଡ଼ୁଛି ଆଉ କରିବାକୁ ପଡ଼ିବ ନାହିଁ। କେବଳ ଟ୍ରେଜେରି ଚାଲାଣ ଜରିଆରେ ଜଣେ ନିଜ ଔଷଧ ଦୋକାନର ନବୀକରଣ କରିପାରିବ। ଉଭୟ ଖୁଚୁରା ଓ ହୋଲସେଲ ବ୍ୟବସାୟୀଙ୍କ କ୍ଷେତ୍ରରେ ଏହା ଲାଗୁ ହେବ। ନିମୟରେ ପରିବର୍ତନ ହେବା ପରେ ଅନଲାଇନ୍‌ ଡେଭଲପର ସଂସ୍ଥାକୁ ଚିଠି ଲେଖାଯାଇଛି। ଅନଲାଇନ୍‌ରେ ଯେଉଁ ସବୁ ତ୍ରୁଟି ରହିଛି ତାହାକୁ ସୁଧାରିବାକୁ ସଂପୃକ୍ତ ସଂସ୍ଥାକୁ କୁହାଯାଇଛି। ବିଶେଷକରି ସୁରକ୍ଷା କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ବାଇଓମେଟ୍ରିକ୍‌ କିମ୍ବା ଡିଜିଟାଲ ଦସ୍ତଖତ ବ୍ୟବସ୍ଥା ଏଥିରେ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଛି। ଡିଜିଟାଇଜେସନ୍‌ କାର୍ଯ୍ୟ ଥରେ ନୁହେଁ ସବୁ ସମୟରେ ଜାରି ରହିବ। ଖୁବଶୀଘ୍ର ଅନଲାଇନ୍‌ ବ୍ୟବସ୍ଥା କାର୍ଯ୍ୟକାରୀ ହେବ।

ସମ୍ବନ୍ଧିତ ଖବର