ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ମୋହ ଅଧା ଭାଙ୍ଗିଲା : ଏଣିକି ଅଫ୍‌ଲାଇନ୍‌ରେ ବିଲ୍‌ଡିଂ ପ୍ଲାନ୍‌ ଆବେଦନ

ଭୁବନେଶ୍ୱର : ଦୀର୍ଘ ୯ ମାସ କାଳ ଅନଲାଇନ୍‌ରେ ବିଲ୍‌ଡିଂ ପ୍ଲାନ୍‌ ଆବେଦନ ଓ ଅନୁମୋଦନର ପ୍ରହସନ କରିବା ପରେ ଏବେ ନଗର ଉନ୍ନୟନ ବିଭାଗ ଏଥିରୁ ଓହରି ଯାଇଛି। ନଗର ଉନ୍ନୟନ ବିଭାଗର ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ମୋହ ଏବେ ଟିକେ ଭାଙ୍ଗିବାରୁ ହଜାର ହଜାର ଲୋକଙ୍କୁ ଆଶ୍ୱସ୍ତି ମିଳିଛି। କିନ୍ତୁ ମୋହ ପୂରା ଛାଡ଼ି ନଥିବାରୁ ଭବିଷ୍ୟତରେ ବି ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ପୁଣି ସରକାରଙ୍କୁ ଫସାଇବା ଆଶଙ୍କାକୁ ଏଡ଼ାଇ ହେଉନି।

ଅଗଷ୍ଟ ୧, ୨୦୧୭ରୁ ବିଏମ୍‌ସି, ବିଡିଏ ଏବଂ ପିକେଡିଏରେ ଅନଲାଇନ୍‌ରେ ବିଲ୍‌ଡିଂ ପ୍ଲାନ୍‌ ଆବେଦନ ଓ ଅନୁମୋଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ ଏହି ପ୍ରକ୍ରିୟା ଆରମ୍ଭରୁ ବିବାଦରେ ଫସି ଯାଇଥିଲା। ପ୍ଲାନ୍‌ ଅନୁମୋଦନ ଉପରେ କୌଣସି ଅଭିଜ୍ଞତା ନ ଥିବା ସଂସ୍ଥାକୁ ନଗର ଉନ୍ନୟନ ବିଭାଗ ବିଏମ୍‌ସି, ବିଡିଏ ଓ ପିକେଡିଏ ଉପରେ ଲଦି ଦେବା ପରେ ସ୍ଥିତି ସଙ୍ଗିନ ହୋଇଯାଇଥିଲା। ଲୋକ ସହଜରେ ପ୍ଲାନ୍‌ ଆବେଦନ କରିପାରିଲେନି। ଯିଏ କଲେ ତାଙ୍କୁ ପ୍ଲାନ୍‌ ମିଳିଲାନି। ଏପରିକି କିପରି ପ୍ଲାନ୍‌ ଆବେଦନ ଗ୍ରହଣ କରାଯିବ, ଅନୁମୋଦନ କରାଯିବ ତାହା ବିଡିଏ କର୍ତୃପକ୍ଷ ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ସଂସ୍ଥାକୁ ଶିଖାଇଲେ। ଏହାପରେ ବି ସ୍ଥିତି ସୁଧୁରିଲାନି। ୯ମାସରୁ ୪ମାସ ସଫ୍ଟେଓ୍ଵୟାର ଡେଭଲପ୍‌ କରିବାରେ କଟିଗଲା। କେବଳ ଏତିକି ନୁହେଁ କର୍ମଚାରୀମାନେ ଅନଲାଇନ୍‌ରେ ବି ଅଧିକାରୀଙ୍କ ନିକଟକୁ ଫାଇଲ୍‌ ପଠାଇପାରିଲେନି।

ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ଅନଲାଇନ୍‌ରେ ବିଲ୍‌ଡିଂ ପ୍ଲାନ୍‌ ଅନୁମୋଦନ ବା ବି-ପାସ୍‌ କରିବାରେ ବିଫଳ ହୋଇଥିଲେ ହେଁ ଉପରିସ୍ଥ ଅଧିକାରୀଙ୍କ ଚାପ ଯୋଗୁଁ ତିନି ସଂସ୍ଥାର ମୁଖିଆ ପାଟି ଫିଟାଇ ପାରୁ ନଥିଲେ। କିନ୍ତୁ ଲୋକଙ୍କ ଅଭିଯୋଗ ଏବଂ ହଜାର ହଜାର ପ୍ଲାନ୍‌ ଆବେଦନ ପଡ଼ି ରହିବା ପରେ ଏପ୍ରିଲ ୧୯ତାରିଖ ମଧ୍ୟରେ ସଫ୍‌ଟେଓ୍ଵୟାର ଉନ୍ନତିକରଣ କରିବାକୁ ସମୟ ଦିଆଯାଇଥିଲା। ନିର୍ଧାରିତ ସମୟରେ ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ସଫ୍ଟେଓ୍ଵୟାର ଉନ୍ନତିକରଣ କରିବାରେ ଫେଲ୍‌ ମାରିବାରୁ ନଗର ଉନ୍ନୟନ ବିଭାଗ ତିନିଟି ସଂସ୍ଥାରୁ ଅନଲାଇନ୍‌ରେ ବିଲ୍‌ଡିଂ ପ୍ଲାନ୍‌ ଅନୁମୋଦନ ବ୍ୟବସ୍ଥାକୁ ସାମୟିକ ସମୟ ପାଇଁ ପ୍ରତ୍ୟାହାର କରିନେଇଛି।

କିନ୍ତୁ ଉପରିସ୍ଥ ଅଧିକାରୀଙ୍କ ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ମୋହ ଛାଡ଼ୁନି। ଯେଉଁ ସଂସ୍ଥା ପାଇଁ ଓଡ଼ିଶା ସରକାରଙ୍କ ‘ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜିନେସ୍‌’ ନାରା ପ୍ରହସନ ପାଲଟିଗଲା ସେହି ସଂସ୍ଥାକୁ ଛାଡ଼ିବାକୁ ବାବୁଙ୍କ ମନ ହେଉନି। ଏପରିକି ଏହି ସଂସ୍ଥାକୁ ଭିତିରିଆ ଭାବେ କିଛି ମାସର ମହଲତ ଦିଆଯାଇଛି। କୁହାଯାଇଛି ନୂତନ ସଫ୍ଟେଓ୍ଵୟାର ପ୍ରସ୍ତୁତ କରି ଆସ ପୁଣି ତୁମେ ସମସ୍ତ ପ୍ଲାନ୍‌ ଅନୁମୋଦନ କାର୍ଯ୍ୟ କରିବ।

କେତେଜଣ ଉପରିସ୍ଥ ଅଧିକାରୀଙ୍କ ଏହିଭଳି ମନୋବୃତ୍ତି ଯୋଗୁଁ ଏବେ ଓଡ଼ିଶା ଅନଲାଇନ୍‌ ବିଲ୍‌ଡିଂ ପ୍ଲାନ୍‌ ଲାଗୁ କରିବାରେ ପଛରେ ପଡ଼ିଗଲା। ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ବେଙ୍ଗାଲୁରୁ, ପୁଣେ, ଅହମ୍ମଦାବାଦ ଭଳି ସହରରେ ଅନଲାଇନ୍‌ରେ ବିଲ୍‌ଡିଂ ପ୍ଲାନ୍‌ ଅନୁମୋଦନ ଦୀର୍ଘ ମାସ ହେଲା ଲାଗୁ ହୋଇଥିଲେ ହେଁ ଭୁବନେଶ୍ୱର ଏଥିରେ ପଛରେ ପଡ଼ିଯାଇଛି। ସ୍ମାର୍ଟ ସିଟି ତାଲିକାରେ ଏକ ନମ୍ବର ଥିବା ଭୁବନେଶ୍ୱର ପାଇଁ ଏହା ଭବିଷ୍ୟତରେ ମହଙ୍ଗା ପଡ଼ିବାକୁ ଯାଉଛି।

କେବଳ ଏତିକି ନୁହେଁ ଆସନ୍ତା ନଭେମ୍ବରରେ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ ହେବାକୁ ଥିବାବେଳେ ଏଥିରେ ପୁଞ୍ଜିନିବେଶ କରିବାକୁ ଆସିବାକୁ ଥିବା ସଂସ୍ଥାକୁ ଆକର୍ଷଣ କରିବା ପାଇଁ ସରକାରଙ୍କ ପ୍ରଥମ ଥୋପ ଫେଲ୍‌ ମାରିଛି। ଅନଲାଇନ୍‌ରେ ବିଲ୍‌ଡିଂ ପ୍ଲାନ୍‌ ଅନୁମୋଦନ ନ କଲେ ସଂସ୍ଥାଗୁଡ଼ିକ ଖୁବ୍‌ ଶୀଘ୍ର ଅନୁମୋଦନ ପାଇବେ ବୋଲି ଗ୍ୟାରେଣ୍ଟି ନାହିଁ। ତେଣୁ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ରେ ଏହା ମହଙ୍ଗା ପଡ଼ିପାରେ।

ଅପରପକ୍ଷେ ବିଡିଏ ଓ ବିଏମ୍‌ସି କର୍ତୃପକ୍ଷ କହିଛନ୍ତି ଯେ, ଯିଏ ପ୍ଲାନ୍‌ ପାଇଁ ଆବେଦନ କରିବେ ସେମାନଙ୍କର ଏନ୍‌ଓସି ମାସକ ମଧ୍ୟରେ ବିଭିନ୍ନ ବିଭାଗରୁ ଆସିବ। କିନ୍ତୁ ଅଫଲାଇନ୍‌ ମୋଡ୍‌ରେ ପ୍ଲାନ୍‌ ମଞ୍ଜୁର କଲେ ପ୍ରାୟ ୧୪ଟି ସଂସ୍ଥାକୁ ଚିଠି ପଠାଇ ସେଠାରୁ ଚିଠି ପାଇବାକୁ ପ୍ରାୟ ତିନି ମାସରୁ ଅଧିକ ସମୟ ଲାଗିବ। ଏପରିସ୍ଥଳେ କିପରି ମାସକ ମଧ୍ୟରେ ଲୋକଙ୍କୁ ପ୍ଲାନ୍‌ ଅନୁମୋଦନ ହେବ ସେନେଇ ପ୍ରଶ୍ନ ଉଠିଲାଣି।

ବିଏମ୍‌ସି ଓ ବିଡିଏରେ ଅଫଲାଇନ୍‌ରେ ପ୍ଲାନ୍‌ ଆବେଦନ ଓ ଅନୁମୋଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଆବେଦନକାରୀ ଏହାର ସୁଯୋଗ ନେବାକୁ କୁହାଯାଇଛି।

କେଉଁଠି ରହିଲା ତ୍ରୁଟି

ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ପ୍ରଥମେ ପ୍ରସ୍ତୁତ କରିଥିବା ସଫ୍ଟେଓ୍ଵୟାରରେ କେବଳ ନୂଆ ପ୍ଲାନ୍‌କୁ ଅନୁମୋଦନ କରିବାର ବ୍ୟବସ୍ଥା ଥିଲା। ତେଣୁ ଏହାର ଉନ୍ନତିକରଣ କରିବାକୁ କୁହାଯାଇଥିଲା। ନୂଆ ସଫ୍ଟେଓ୍ଵୟାରରେ ଯେଉଁମାନେ ପୂର୍ବରୁ ପ୍ଲାନ୍‌ ନେଇ ଘର କରିଛନ୍ତି ସେମାନେ ଯଦି ଏହାକୁ ବଦଳାଇବାକୁ ଚାହୁଁଛନ୍ତି, ଘରର କିଛି ଅଂଶ ଭାଙ୍ଗି ଏହାକୁ ବଢ଼ାଇବାକୁ ଚାହୁଁଛନ୍ତି, ପ୍ଲାନ୍‌ ନେବାର ତିନି ବର୍ଷ ପରେ ଯଦି ଏହାକୁ ନବୀକରଣ କରିବାକୁ ଚାହୁଁଛନ୍ତି, ଘର ନିର୍ମାଣ ପରେ ଅକୁପାନ୍ସି ସାର୍ଟିଫିକେଟ ନେବାକୁ ଚାହୁଁଛନ୍ତି ତେବେ ଏହାକୁ ଅନୁମୋଦନ କରିବାର ବ୍ୟବସ୍ଥା ରଖିବାକୁ କୁହାଯାଇଥିଲା। ଏହାବାଦ୍‌ ନୂଆ ପ୍ଲାନ୍‌ ଆବେଦନକାରୀଙ୍କୁ ଡିମାଣ୍ଡ୍‌ ନୋଟିସ୍‌ ଦିଆଯାଇପାରୁ ନଥିବାରୁ ଉନ୍ନତିକରଣ ହେବାକୁ ଥିବା ସଫ୍‌ଟେଓ୍ଵୟାରରେ ଏହି ବ୍ୟବସ୍ଥା ରଖିବାକୁ କୁହାଯାଇଥିଲା। ଯେମିତି ଜଣେ ଆବେଦନକାରୀ ଆବେଦନ କଲେ ନିୟମ ଅନୁଯାୟୀ ପ୍ରାୟ ତିନି ପ୍ରକାରର ଫି’ ଦେବାକୁ ପଡ଼ୁଛି। ସାଙ୍କସନ୍‌ ଫି’, ନିର୍ମାଣ ଶ୍ରମିକଙ୍କ ପାଇଁ ଆଦାୟ ହେଉଥିବା ସେସ୍‌, ସିଆଇଡିଏଫ୍‌ ଫି’ (୨୦ଫୁଟ ରାସ୍ତାର ଥିଲେ ଏହାକୁ ଅନୁମୋଦନ କରିବା ପାଇଁ ଦେବାକୁ ଥିବା ଫି’) ଇତ୍ୟାଦି। ଏହି ତିନିଟି ଫି’ ବିଭିନ୍ନ ଆକାଉଣ୍ଟରେ ଜମା ହେଉଛି। ଯେପରି ସାଙ୍କସନ୍‌ ଫି’ ବିଡିଏ ପ୍ଲାନ୍‌ ଦେଉଥିଲେ ବିଡିଏ ଆକାଉଣ୍ଟକୁ, ବିଏମ୍‌ସି ପ୍ଲାନ୍‌ ଦେଉଥିଲେ ବିଏମ୍‌ସି ଆକାଉଣ୍ଟରେ ଜମା କରିବାକୁ ହେବ। ସେସ୍‌ ଫି’ ଶ୍ରମିକ କଲ୍ୟାଣ ବୋର୍ଡର ଆକାଉଣ୍ଟରେ ଏବଂ ସିଆଇଡିଏଫ୍‌ ଫି’ ବିଡିଏ ଆକାଉଣ୍ଟରେ ଜମା ହେବ। ନୂଆ ସଫ୍ଟେଓ୍ଵୟାରରେ ଏହା ପୃଥକ ପୃଥକ ଆକାଉଣ୍ଟରେ ଜମା ହୋଇଥାନ୍ତା। ଏତିକି କରିବାରେ ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ଫେଲ୍‌ ମାରିବାରୁ କର୍ତୃପକ୍ଷ ପୁଣି ଅଫଲାଇନ୍‌ ମୋଡ୍‌ରେ ବିଲ୍‌ଡିଂ ପ୍ଲାନ୍‌ ଆବେଦନ ଓ ଅନୁମୋଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର