‘ଓକମାକ୍ସ’ର ପ୍ରଥମ ରାଜ୍ୟସ୍ତରୀୟ କଳା ପ୍ରଦର୍ଶନୀ

ଭୁବନେଶ୍ୱର : ଆଦିବାସୀ ମହିଳାଟି ନିଜ ଛୋଟ ପିଲାକୁ କାଖେଇ କାମ କରିବାକୁ ବାହାରିବାର ଦୃଶ୍ୟ, ଚାଷୀଟି କ୍ଷେତକୁ ଚାହିଁଥିବା ବେଳେ ଓ ତା ମୁଣ୍ଡ ଉପରେ ଏକ ଫାଶୀ ଦଉଡ଼ି ଝୁଲୁ ଥିବାର ଦୃଶ୍ୟଠୁ ନେଇ ପରିବେଶର ମନୋରମ ଦୃଶ୍ୟ। ଏମିତି ଅନେକ ଦୃଶ୍ୟ ଜୀବନ୍ତ ହୋଇ ଫୁଟି ଉଠିଥିଲା ଶିଳ୍ପୀଙ୍କ କାନଭାସ ଓ ରଙ୍ଗ ତୂଳୀରେ। ଅବସର ଥିଲା ଓଡ଼ିଶା କଳାମହାବିଦ୍ୟାଳୟ ଅଧ୍ୟାପକ ଓ କର୍ମଚାରୀ ସଂଘ (ଓକମାକ୍ସ) ପକ୍ଷରୁ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀ। ଏହି ତିନି ଦିନିଆ ଶିବିରକୁ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିଥିଲେ। ମେୟର ଅନନ୍ତ ନାରାୟଣ ଜେନା ଓ ରାଷ୍ଟ୍ରୀୟ ଲଳିତ କଳା ଏକାଡେମିର ସଚିବ ରାମକୃଷ୍ଣ ବେଦାଲା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଆଜିର କାର୍ଯ୍ୟକ୍ରମର ୧୦ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ସମ୍ମାନିତ ଶିଳ୍ପୀମାନେ ହେଲେ ବାଲେଶ୍ୱର କଳା ମହାବିଦ୍ୟାଳୟର ଅବନ୍ୟନ୍ଦ୍ର କର, ସୁନିଲ ଟୁଡୁ, ସୁନ୍ଦରଗଡ଼ର ମନୋଜ ପ୍ରଧାନ, ପ୍ରଜ୍ଞା ପରମିତା ବେହେରା, ଧଉଳି କଳାମହାବିଦ୍ୟାଳୟର ଜ୍ୟୋତିରଞ୍ଜନ ସାହୁ, ପ୍ରଫୁଲ୍ଲ କୁମାର ବେହେରା, ଭଦ୍ରକ କଳା ମହାବିଦ୍ୟାଳୟର ବିଶ୍ୱଦର୍ଶୀ ଦାସ ଓ ସନ୍ତୋଷ କୁମାର ଦାସ, ଗୁରୁ ହରେକୃଷ୍ଣ ବେହେରା କଳା ଓ ସଂସ୍କୃତି ମହାବିଦ୍ୟାଳୟର ଲକ୍ଷ୍ମୀପ୍ରିୟା ପୃଷ୍ଟି ଓ ଅନିତାରାଣୀ ଜେନା ।

ବିଶିଷ୍ଟ ପ୍ରସ୍ତରଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଦର୍ଶନୀରେ ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ସ୍ୱାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ବାଲେଶ୍ୱର କଳା ମହାବିଦ୍ୟାଳୟର ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ଦାସ ବିବରଣୀ ପାଠ କରିଥିଲେ। ଉତ୍ସବକୁ କମଳାକାନ୍ତ ବିଶ୍ୱାଳ, ଶୀତଳ ମହାପାତ୍ର ଓ ସୁଶାନ୍ତ କୁମାର ନାୟକ ପରିଚାଳନା କରିଥିବା ବେଳେ ଭଦ୍ରକ ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ଭଟ୍ଟାଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର