ମିଠା ଖାଇ ଟଳିପଡ଼ିଲେ ବୃଦ୍ଧ

ଧଉଳି: ଧଉଳି ଥାନା ଅଧୀନ ନୂଆଗାଁ (ଜଗନ୍ନାଥ ବିହାର) ରେ ରହୁଥିବା ଜଣେ ବୟସ୍କ ବ୍ୟକ୍ତି ଗତ ବୁଧବାର ସନ୍ଧ୍ୟାରେ ମିଠା ଖାଇ ସାରିବା ପରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତ ବ୍ୟକ୍ତିଙ୍କର ନାଁ ସଂଜୟଧର ବଡ଼ଗୟାଁ (୪୯)। ସଂଜୟଧରଙ୍କ ନିଜ ଘର ସମ୍ବଲପୁର ଟାଉନ୍‌ ଥାନା ଅନ୍ତର୍ଗତ ଧୁତୁରାପଡ଼ା। ହେଲେ ସେ ନୂଆଗାଁ ଅଞ୍ଚଳରେ ତାଙ୍କ ପରିବାର ଲୋକଙ୍କ ସହିତ ରହୁଥିଲେ। ପ୍ରାପ୍ତ ସୂଚନାନୁଯାୟୀ ସଂଜୟଧର ଦୀର୍ଘଦିନ ହେଲା ମଧୁମେହ ରୋଗରେ ପୀଡ଼ିତ ଥିଲେ। ଗତକାଲି ସନ୍ଧ୍ୟାରେ ସେ ମିଠା ଖାଇ ସାରିବା ପରେ ଘରେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଆଉ ସେହିଠାରେ ହିଁ ଟଳିପଡ଼ିଥିଲେ। ପରିବାର ଲୋକ ତାଙ୍କୁ ତୁରନ୍ତ ଚିକିତ୍ସା ଲାଗି ପ୍ରଥମେ ଏକ ଘରୋଇ ହସ୍ପିଟାଲରେ ଭର୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଧଉଳି ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇବା ସହ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ଧଉଳି ଥାନାରେ କେସ୍‌ ନଂ ୭ / ୧୮ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର