ମୋ’ ବସ୍‌ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଘଟଣାସ୍ଥଳରେ ଉତ୍ତେଜନା

ଭୁବନେଶ୍ବର : ଆଜି ସକାଳ ପ୍ରାୟ ୯ଟା ବେଳେ ଖାରବେଳନଗର ଥାନା ଅଧୀନ ରେଡ୍‌କ୍ରସ ଛକ ନିକଟରେ ମୋ’ ବସ୍‌ ଧକ୍କାରେ ଜଣେ ବରିଷ୍ଠ ନାଗରିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ବାବାଜୀ ଚରଣ ସାହୁ(୭୨)। ସେ ଏଜି କଲୋନିରେ ରହୁଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଖାରବେଳନଗର ଥାନା ଇନ୍ସପେକ୍ଟର ବିଶ୍ବରଂଜନ ସେନାପତି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ବାବାଜୀ ନିଜ ସ୍କୁଟି ଯୋଗେ ରେଡକ୍ରସ ଭବନ ଛକରୁ କଲୋନିକୁ ଯାଉଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ମୋ’ ବସ୍‌ ସ୍କୁଟିକୁ ଧକ୍କା ଦେଇଥିଲା। ବାବାଜୀ କିଛି ହାତ ଉପରକୁ ଉଠି ରାସ୍ତାକୁ ଛିଟିକ ପଡ଼ିଥିଲେ। ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି। ଏନେଇ ଖାରବେଳନଗର ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହ ବସ୍‌ ଚାଳକଙ୍କୁ ଥାନାରେ ଅଟକ ରଖିଛି।

ସମ୍ବନ୍ଧିତ ଖବର