ପୁରୁଣା ହାଟ, ସମସ୍ୟାର ପାହାଡ଼

ୟୁନିଟ୍‌-୪ ପରିବା ହାଟ, ଆମିଷ ବଜାରରେ ଦୁରବସ୍ଥା ରାସ୍ତା, ପରିମଳ, ଆଲୋକୀକରଣ ସବୁଥିରେ ସମସ୍ୟା

ଭୁବନେଶ୍ୱର: ରାଜଧାନୀର ପ୍ରମୁଖ ହାଟ ଭିତରେ ରହିଛି ୟୁନିଟ୍‌-୪ ହାଟ। ରାଜଧାନୀର ପରିସୀମା ଚତୁର୍ଦ୍ଦିଗକୁ ବଢ଼ୁଥିଲେ ବି ଏହି ପୁରୁଣା ହାଟର ଚାହିଦା କମି ନାହିଁ। ଉଭୟ ପରିବା ଓ ଆମିଷ ପାଇଁ ଏହି ହାଟ ଉପରେ ରାଜଧାନୀବାସୀ ନିର୍ଭରଶୀଳ। କିନ୍ତୁ ଏପରି ଏକ ପୁରୁଣା ତଥା ଗୁରୁତ୍ୱପୂର୍ଣ୍ଣ ହାଟର ସମସ୍ୟା ପାହାଡ଼ ସଦୃଶ। ହଜାର ହଜାର ଲୋକ ଏଠାକୁ ଦୈନିକ ଆସୁଥିଲେ ବି ଏହାର ମୌଳିକ ସମସ୍ୟା ପ୍ରତି ନଜର ଦିଆଯାଉନି। ଫଳରେ ସ୍ଥାନୀୟ ଲୋକ, ବ୍ୟବସାୟୀ ଓ ଗ୍ରାହକ ସମସ୍ୟା ଭୋଗୁଛନ୍ତି। ଭୌମନଗର ପରିବା ହାଟ ଭାବେ ପରିଚିତ ଏହି ହାଟଟି ପୂର୍ବରୁ କେବଳ ସୋମବାର ବସୁଥିଲା। ଏବେ ଏହା ଦୈନିକ ହାଟ ହୋଇଯାଇଛି। ଖୁଚୁରା ବ୍ୟବସାୟୀଙ୍କଠାରୁ ଗ୍ରାହକ ପର୍ଯ୍ୟନ୍ତ ସମସ୍ତେ ଏହି ପରିବା ହାଟକୁ ଆସନ୍ତି। କିନ୍ତୁ ଏଠାକାର ରାସ୍ତା ଅବସ୍ଥା ନ କହିବା ଭଲ। ଚାରି ଆଡ଼େ ପାଣି କାଦୁଅ ପଚର ପଚର। ହାଟ ଭିତର କିଛି ଅଂଶ ପକ୍କା ହୋଇ ନ ଥିବାରୁ ପରିବାରୁ ପାଣି ପଡ଼ି ରାସ୍ତା କାଦୁଅ ହୋଇଯାଉଛି। ଫଳରେ ଲୋକମାନେ ଏହି କାଦୁଅ ଭିତରେ ପଶି ପରିବା କିଣୁଛନ୍ତି। ଏଥିପାଇଁ ଗ୍ରାହକ ଓ ହାଟ ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରୁଥିଲେ ବି ଆଜି ପର୍ଯ୍ୟନ୍ତ କାମ ହେଉ ନାହିଁ। ତା’ସହିତ ହାଟରେ ପିଇବା ପାଣି ଓ ଶୌଚାଳୟର ସୁବିଧା ନାହିଁ। ଯେଉଁ ଶୌଚାଳୟ ଅଛି ସେଠାରେ ପାଣି ଆସୁନି। ସେଥିପାଇଁ ଲୋକମାନେ ବାଧ୍ୟ ହୋଇ ବାହାରେ ପରିସ୍ରା କରୁଛନ୍ତି। ହାଟ ମଧ୍ୟରେ ଏଣେ ତେଣେ ପରିସ୍ରା କରୁଥିବାରୁ ଗନ୍ଧରେ ନାକ ଫାଟି ପଡ଼ୁଛି। ପରିମଳ ବ୍ୟବସ୍ଥା ବି ଠିକ୍‌ ନାହିଁ।

ଏଠାରେ ଡ୍ରେନେଜ୍‌ ବ୍ୟବସ୍ଥା ଠିକ୍‌ ନ ଥିବାରୁ ଡ୍ରେନ୍‌ ଅନେକ ସମୟରେ ଚୋକ୍‌ ହୋଇଯାଉଛି। ଡ୍ରେନ୍‌ରେ ପାଣି ଠିକ୍‌ ଭାବେ ଯାଉ ନ ଥିବାରୁ ଡ୍ରେନ୍‌ ଉଚ୍ଛୁଳି ପାଣି ହାଟ ଭିତରେ ପଶୁଛି। ଏହି ହାଟର ଆଉ ଗୁରୁତର ସମସ୍ୟା ହେଉଛି ଜବରଦଖଲ। ହାଟରେ ପରିବା ବିକ୍ରି କରୁଥିବା କିଛି ଲୋକ ହାଟ ମଧ୍ୟରେ ଥିବା କିଛି ସ୍ଥାନରେ ଅସ୍ଥାୟୀ ଘର କରି ସେଠାରେ ରହୁଛନ୍ତି। ନିୟମ ଅନୁସାରେ ହାଟ ଭିତରେ କେବଳ ବ୍ୟବସାୟ କରାଯାଇପାରିବ। କିନ୍ତୁ କିଛି ବ୍ୟବସାୟୀ ଏକଥାକୁ ନ ମାନି ହାଟ ଭିତରେ ରହୁଛନ୍ତି। ଏହାକୁ ନେଇ ହାଟର ଅନ୍ୟ ବ୍ୟବସାୟୀ ମାନେ ପ୍ରତିବାଦ କଲେ ମଧ୍ୟ କିଛି ଫଳ ମିଳୁନାହିଁ। ହାଟରେ ଲାଇଟ ବ୍ୟବସ୍ଥା ନାହିଁ, ଏତେ ବଡ଼ ହାଟରେ ଯେତିକି ଲାଇଟ ଲଗାଯାଇଛି ତାହା ସମୁଦ୍ରକୁ ଶଙ୍ଖେ ବୋଲି କୁହନ୍ତି ପରିବା ବ୍ୟବସାୟୀ ସଂଘର ସଭାପତି ପଦ୍ମନାଭ ପ୍ରଧାନ। ସେହିପରି ଏଠାରେ ଥିବା ମାଛ ମାର୍କେଟ୍‌ର ଦଶା ମଧ୍ୟ ସମାନ। ଏହି ମାର୍କେଟର ଭିତର ଓ ବାହାରର ସବୁ ସ୍ଥାନ ଗନ୍ଧରେ ଫାଟି ପଡୁଛି। ମାଛ ପାଣି, କୁକୁଡ଼ା ପର ଓ ଚିଙ୍ଗୁଡ଼ି ଖୋଳ ଦିନ ଦିନ ଧରି ପଡ଼ି ରହୁଛି। ଯିବା ଆସିବା କରିବା ସମୟରେ ମାଛ ପାଣି ପାଦରେ ବାଜୁଛି। ଡ୍ରେନଗୁଡ଼ିକ ମାଛ କାତିରେ ଭର୍ତ୍ତି ହୋଇ ରହିଛି। ମାଛ ମାର୍କେଟ ପାଖରେ ଥିବା ଡଷ୍ଟବିନ୍‌ରେ ଅଳିଆ ଭର୍ତ୍ତି ହୋଇ ସବୁବେଳେ ବାହାରେ ପଡ଼ୁଛି। ବହୁ ସମୟରେ ଏଠାରୁ ଏମିତି ଦୁର୍ଗନ୍ଧ ବାହାରୁଛି ଯେ କିଛି ମୁହୂର୍ତ୍ତ ଠିଆ ହେବା ଏଠାରେ ସମ୍ଭବ ହେଉନାହିଁ। ମାର୍କେଟ ବ୍ୟବସାୟୀ ସଂଘର ଉପସଭାପତି ସରୋଜ କୁମାର ରାଉତ କୁହନ୍ତି, ଏହି ସମସ୍ତ ସମସ୍ୟା ବିଷୟରେ କର୍ପୋରେଟର୍‌ଙ୍କ ସହିତ କଥା ହୋଇଛୁ। ସମସ୍ୟା ଗୁଡ଼ିକ ଶୀଘ୍ର ସମାଧାନ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର