ପୁରୁଣା ଷ୍ଟେସନ୍‌ ବଜାର: ତୋରଣ ଆଙ୍କିବ ସଭ୍ୟତାର କ୍ରମ ବିକାଶ

ସଭ୍ୟତାର କ୍ରମ ବିକାଶର ଧାରାକୁ ବଖାଣିବ ତୋରଣ। ସିନ୍ଧୁ ସଭ୍ୟତା ଏବଂ ସେତେବେଳର କଳାକୃତିଠୁ ନେଇ ଧୀରେଧୀରେ ବିକଶିତ ହୋଇ ଆଧୁନିକ ଦୁନିଆରେ ପାଦ ଥାପିଥିବା ମଣିଷର ଗାଥା ବଖାଣିବ ସୁଦୃଶ୍ୟ ତୋରଣ। ଏକ ନିର୍ଦିଷ୍ଟ ବିଷୟବସ୍ତୁକୁ ପ୍ରାଧାନ୍ୟ ଦେଇ ଆସୁଥିବା ଷ୍ଟେସନ୍‌ ବଜାର ଦୁର୍ଗାପୂଜା କମିଟି ଏଥର ପୂଜାରେ ୬୦ ଫୁଟ ଉଚ୍ଚ ଏବଂ ୧୨୦ ଫୁଟ ଓସାର ବିଶିଷ୍ଟ ତୋରଣରେ ପୌରାଣିକ କଥାବସ୍ତୁରୁ ନେଇ ସାମାଜିକ କଥାସାରକୁ ଉପସ୍ଥାପନ କରିବ। ଫାଇବର, ସୋଲ ଓ ପ୍ଲାଏରେ ନିଖୁଣ କାରିଗରୀକୁ ପ୍ରସ୍ତୁତ କରିବେ ଓଡ଼ିଆ ଶିଳ୍ପୀ ସୁବାସ ବେହେରା ଏବଂ ୪୦ଜଣ ସହଯୋଗୀ ଶିଳ୍ପୀ। ତେବେ ଖାଲି ସେତିକି ନୁହେଁ ଏଥର ଭିତର ପାର୍ଶ୍ୱରେ ମହାଭାରତରେ ୯ଟି ଜୀବଙ୍କୁ ନେଇ ବର୍ଣ୍ଣିିତ ନବଗୁଞ୍ଜର ରୂପକୁ ପ୍ରତ୍ୟକ୍ଷ କରିବାର ସୁଯୋଗ ମିଳିବ। ଏଥିସହ ଦୁର୍ଗାଙ୍କ ନଅଟି ରୂପକୁ ନିଆରା ଢଙ୍ଗରେ ଉପସ୍ଥାପନ କରାଯିବ। ସବୁ ବର୍ଷ ଭଳି ଏଠାରେ ମା’ଙ୍କ ପଛ ପାର୍ଶ୍ୱରେ ଶୋଭା ପାଇବ ଚାନ୍ଦି ମେଢ଼ ଏବଂ ଅଳଙ୍କାର। ୨ କୁଇଣ୍ଟାଲ୍‌ ଓଜନର ଏହି ଚାନ୍ଦି ମେଢ଼ ସମେତ ମା’ ସୁନାରେ ପ୍ରସ୍ତୁତ ମଥାମଣି, କାନପଟି, କାନଫୁଲ, ନାକଗୁଣାରେ ସଜେଇ ହେବେ। ପାର୍ଶ୍ୱ ଦେବଦେବୀମାନେ ମଧ୍ୟ ସୁନା ଅଳଙ୍କାର ପିନ୍ଧିବେ। ୧୯୫୫ ମସିହାରେ ବଡ଼ଗଡ଼, ଲକ୍ଷ୍ମୀସାଗର, ଝାରପଡ଼ା, ବମିଖାଲ, ରସୁଲଗଡ଼ ଗାଁକୁ ନେଇ ମାତ୍ର ୧୪ଟଙ୍କାରେ ସାର୍ବଜନୀନ ଦୁର୍ଗାପୂଜା ସମିତି, ପୁରୁଣା ଷ୍ଟେସନ୍‌ ବଜାରର ପୂଜା ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ପୂଜା ୩୫ ଲକ୍ଷ ଟଙ୍କାରେ ପହଞ୍ଚିଛି। କେବଳ ତୋରଣରେ ୧୫ଲକ୍ଷ ଟଙ୍କା ଖର୍ଚ କରାଯାଉଛି। ଏଥର ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ମେଲୋଡି ଏବଂ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଶଗଡ଼ରେ ଭସାଣି ଶୋଭାଯାତ୍ରା
ଭସାଣିକୁ ଆଡ଼ମ୍ବରପୂର୍ଣ୍ଣ କରିବା ସହ ପାରମ୍ପରିକ ଛିଟା ଦେବା ପାଇଁ ଏଥର ଅଣ୍ଟା ଭିଡ଼ିଛି ପୂଜା କମିଟି। ଏଥିପାଇଁ ୭ଟି ଶଗଡ଼ ମଗାଯାଇଛି। ଶଗଡ଼ ମଧ୍ୟରେ କଣ୍ଢେଇ ନାଚ, କାଠ ଦୋଳି ଆଦି ରହିବ। ଯାହା ଲୋକଙ୍କୁ ପୁରୁଣା ଦିନକୁ ଫେରାଇ ନେବ। ଏଥିସହ ଅନଗୁଳ, ତାଳଚେର, କେଉଁଝରରୁ ୨୫୦ରୁ ଅଧିକ ଘୁମୁରା, ଶଙ୍ଖ, ମର୍ଦଳ କଳାକାର ସାମିଲ୍‌ ହେବେ। ଭସାଣି ପାଇଁ ୫ଲକ୍ଷ ଟଙ୍କା ଖର୍ଚ ହେବ।
ଗଣେଶ ପ୍ରସାଦ ସାହୁ (ସଭାପତି)

ଚାନ୍ଦି ମେଢ଼ ପାଇଁ ଅଧିକ ଗାର୍ଡ ଆବଶ୍ୟକ
ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ୩ ପ୍ଲାଟୁନ୍‌ ପୁଲିସ୍‌ଙ୍କ ସମେତ ୧୫୦ ସ୍ୱେଚ୍ଛାସେବୀ, ୨୫ ଜଣ ମହିଳା ସ୍ୱେଚ୍ଛାସେବୀ ଏବଂ ୨୫ଟି ସିସିଟିଭି କ୍ୟାମେରା ଖଞ୍ଜାଯିବ। ତେବେ ପୂଜା ମଣ୍ଡପରେ ମା’ଙ୍କର ଚାନ୍ଦି ମେଢ଼ ଏବଂ ସୁନା ଅଳଙ୍କାର ରହୁଥିବାରୁ ସରକାରଙ୍କ ପକ୍ଷରୁ ୨ ଜଣ ଗାର୍ଡ ପରିବର୍ତେ ଅଧିକ ଗାର୍ଡ ଯାଗାଇ ଦେବା ଉଚିତ୍‌। ଏହା ବ୍ୟତୀତ ଚଳିତ ବର୍ଷ କଟକ ରୋଡ୍‌ ଟ୍ରାଫିକ୍‌ ସମସ୍ୟା ଉପୁଜିବାକୁ ଥିବାରୁ ଅଧିକ ଟ୍ରାଫିକ୍‌ ପୁଲିସ୍‌ ନିୟୋଜିତ କରାଯାଉ।
ଦୀପକ କୁମାର ଜେନା (ସମ୍ପାଦକ)

ସମ୍ବନ୍ଧିତ ଖବର