ଓଲିଉଡ୍‌ ସିନେ ପୁରସ୍କାର: ମୀନକେତନଙ୍କୁ ମରଣୋତ୍ତର ସମ୍ମାନ

‘ପ୍ରେମ କୁମାର’ ଶ୍ରେଷ୍ଠ ଚଳଚ୍ଚିତ୍ର ସ୍ବରାଜ, ଶିବାନୀ ଶ୍ରେଷ୍ଠ କଳାକାର

ଭୁବନେଶ୍ବର: ରିଲ୍‌ସ ଏନ୍‌ ରିଲ୍‌ସ ଏବଂ କାଞ୍ଚନ ଫାଉଣ୍ଡେସନ୍‌ ପକ୍ଷରୁ ଓଡ଼ିଶୀ ଉତ୍କଳ ରଙ୍ଗମଞ୍ଚରେ ଅନୁଷ୍ଠିତ ହୋଇଛି ‘ଓଲିଉଡ୍‌ ସିନେ ପୁରସ୍କାର’। ଏହି ଅବସରରେ ବିଶିଷ୍ଟ ଅଭିନେତା ସ୍ବର୍ଗତ ମୀନକେତନ ଦାସଙ୍କୁ ମରୋଣୋତ୍ତର ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଛି। ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯାଇଛି। ‘ପ୍ରେମ କୁମାର’ ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନ ଲାଭ କରିଛି। ‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’ ଚଳଚ୍ଚିତ୍ରର ନିର୍ଦେଶନା ପାଇଁ ଅଶୋକ ପତିଙ୍କୁ ଶ୍ରେଷ୍ଠ ନିର୍ଦେଶକ ସମ୍ମାନରେ ସମ୍ମାନିତ କରାଯାଇଛି। ‘ଲୈଲା ଓ ଲୈଲା’ରେ ଅଭିନୟ ପାଇଁ ସ୍ବରାଜଙ୍କୁ ଶ୍ରେଷ୍ଠ ଅଭିନେତା, ‘ପ୍ରେମ କୁମାର’ରେ ଅଭିନୟ ପାଇଁ ଶିବାନୀ ଶ୍ରେଷ୍ଠ ଅଭିନେତ୍ରୀ, ଲଭ୍‌ ପ୍ରମିଜ୍‌ରେ ଅଭିନୟ ପାଇଁ ମନୋଜ ମିଶ୍ରଙ୍କୁ ଶ୍ରେଷ୍ଠ ଖଳନାୟକ, ପ୍ରମିସିଂ ତାରକା ଭାବେ ରାକେଶ, ନୂତନ ପଦାର୍ପଣ କରିଥିବା ଜୟା ବିଶ୍ବାସଙ୍କୁ ପୁରସ୍କୃତ କରାଯାଇଛି। ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ସ୍ବତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଜୁରିଙ୍କ ପସନ୍ଦର ଅଭିନେତା ଭାବେ ବାବୁ, ଅଭିନେତ୍ରୀ ସନ୍‌ମୀରାଙ୍କୁ ପୁରସ୍କୃତ କରାଯାଇଥିଲା। ସ୍ବପ୍ନା ପତିଙ୍କୁ ମହିଳା ସଶକ୍ତୀକରଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଦୟାନିଧି ଦାହିମାଙ୍କୁ ଯୁବ ଆଇକନ୍‌ ପୁରସ୍କାର, ପାର୍ଶ୍ବ ଅଭିନେତା ଭାବେ ଶୁଭାଶିଷ ଶର୍ମା, ପାର୍ଶ୍ବ ଅଭିନେତ୍ରୀ ଭାବେ ଅନିଶା ଶର୍ମା, ପ୍ରେମ ଆନନ୍ଦଙ୍କୁ ଶ୍ରେଷ୍ଠ ସଂଗୀତ ନିର୍ଦେଶକ, ‘ଫାଷ୍ଟ୍‌ ଟାଇମ୍‌ ଗୋଟେ ଝିଅ କୁ.. ଗୀତ ରଚନା ପାଇଁ ଅରୁଣ ମନ୍ତ୍ରୀଙ୍କୁ ଶ୍ରେଷ୍ଠ ଗୀତିକାର, ‘ତୁ ନୂଆ ସାୟରୀ.. ଗୀତରେ କଣ୍ଠଦାନ ପାଇଁ ସ୍ବୟମ ପାଢ଼ୀ, ‘ପ୍ରେମର ରଙ୍ଗୋଲି.. ପାଇଁ ଦୀପ୍ତିରେଖା ପାଢ଼ୀଙ୍କୁ ଶ୍ରେଷ୍ଠ କଣ୍ଠଶିଳ୍ପୀ ଏବଂ ସମୀରଙ୍କୁ ସିନେ ସାମ୍ବାଦିକତା ପାଇଁ ପୁରସ୍କୃତ କରାଯାଇଥିଲା।

ଏଥିସହ ‘ଅଧା ଲେଖା ଚିଠି’କୁ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର, ‘କାଗଜ ଡଙ୍ଗା’କୁ ଶ୍ରେଷ୍ଠ ମ୍ୟୁଜିକ୍‌ ଭିଡିଓ, ରାଜାରେ ରାଜା..ଗୀତକୁ ଶ୍ରେଷ୍ଠ ଅଣ ଚଳଚ୍ଚିତ୍ର ଗୀତ, ‘ରାବଣ ପୋଡ଼ି’କୁ ଶ୍ରେଷ୍ଠ ୱେବ୍‌ସିରିଜ୍‌ ଏବଂ ‘ଭି ଟ୍ୟୁନ୍ସ ପ୍ରୋ’କୁ ଶ୍ରେଷ୍ଠ ୱେବ୍‌ ଚ୍ୟାନେଲ୍‌ ଭାବେ ପୁରସ୍କୃତ କରାଯାଇଛି। ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି, ସଂଜୟ ନାୟକଙ୍କ ସମେତ ଅନ୍ୟ ଅତିଥିବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ। ରିଲ୍‌ସ ଏନ୍‌ ରିଲ୍‌ସର ପ୍ରତିଷ୍ଠାତା ସ୍ଥିତ ପଟ୍ଟନାୟକ ଏବଂ କାଞ୍ଚନ ଫାଉଣ୍ଡେସନ୍‌ର ବିଧୂଭୂଷଣ ପଟ୍ଟନାୟକ, ରଂଜନ କୁମାର, ତାପସ ମଲ୍ଲିକ, ବିଶ୍ବଜିତ ସାମନ୍ତରାୟ, ଶୁଭୋଜିତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସୁଜିତ ଓ ଲିପ୍‌ସା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର