ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍‌, ଜଣେ ଅଟକ

ବାଲିଅନ୍ତା : ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅଧୀନ ନଖରା ଗ୍ରାମରେ ଘରଭଡ଼ା ନେଇ ରହୁଥିବା ସତ୍ୟରଞ୍ଜନ ସାମଲଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଛି। ଲୁଟେରାମାନେ ଲକ୍ଷାଧିକ ଟଙ୍କାର ସୁନା ଗହଣା ସମେତ ୨୭ ହଜାର ଟଙ୍କା ନେଇ ଯାଇଛନ୍ତି। ଦୁର୍ବୃତ୍ତମାନେ ମୁଖ୍ୟ ଫାଟକ ଗ୍ରିଲ ତାଲା ଭାଙ୍ଗି ଘରେ ପଶି ଆଲମିରାରୁ ୮ଭରି ଓଜନର ସୁନାଗହଣା ଓ ଟଙ୍କା ଲୁଟି ନେଇଛନ୍ତି। ଏ ସଂପର୍କରେ ସତ୍ୟରଞ୍ଜନ ପାହାଳ ଫାଣ୍ଡିରେ ଅଭିଯୋଗ କରିବା ପରେ ପୁଲିସ ଆଜି ପୂର୍ବାହ୍ନରେ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ତଦନ୍ତ କରିଛି। ମାତ୍ର ଲୁଟେରାଙ୍କ ସଂପର୍କରେ କୌଣସି ସୁରାକ ପାଇପାରିନି। ସନ୍ଦେହରେ ଗ୍ରାମର ଜଣେ ବ୍ୟକ୍ତିକୁ ପୁଲିସ ଅଟକ ରଖି ପଚରାଉଚରା ଚଳାଇଛି।

ସୂଚନାନୁଯାୟୀ ସତ୍ୟରଞ୍ଜନଙ୍କ ନିଜ ଘର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନମଣ୍ଡଳୀ ଅଧୀନ ଭଗବାନପୁର ଗ୍ରାମରେ। ସେ ନଖରା ଗ୍ରାମର ଗୋପାଳ ବେହେରାଙ୍କ ଘରଭଡ଼ା ନେଇ ପରିବାର ସହିତ ରହୁଛନ୍ତି। ସେ ଭୋଟଦେବା ପାଇଁ ଦୁଇଦିନ ତଳେ ଗାଁକୁ ଯାଇଥିଲେ। ଏହାର ସୁଯୋଗ ନେଇ ଗତକାଲି ରାତିରେ ଦୁର୍ବୃତ୍ତମାନେ ତାଙ୍କ ଘରେ ପଶି କଳାକନା ବୁଲାଇ ଦେଇଛନ୍ତି। ଆଜି ସକାଳେ ତାଙ୍କ ଘରୁ ଚୋରି ହୋଇଥିବା ସଂପର୍କରେ ଘର ମାଲିକ ଫୋନ କରି ସତ୍ୟରଞ୍ଜନଙ୍କୁ ଜଣାଇଥିଲେ।

ସମ୍ବନ୍ଧିତ ଖବର