ନିୟନ୍ତ୍ରିତ ବଜାର କମିଟି ଅଧିକାରୀଙ୍କ ନାଁରେ ବଟି ମାଗି ଜଣେ ଅଟକ

ବାଲିଅନ୍ତା: ବାଲିଅନ୍ତା ଥାନା ଅନ୍ତର୍ଗତ ଫୁଲନଖରା-ନିଆଳି ମୁଖ୍ୟ ରାସ୍ତାରେ ନିଜକୁ ନିୟନ୍ତ୍ରିତ ବଜାର କମିଟିର ଜଣେ ଅଧିକାରୀ ବୋଲି ପରିଚୟ ଦେଇ ଧାନ ଓ ଚାଉଳ ଭଳି ସାମଗ୍ରୀ ନେଇ ଯାଉଥିବା ମାଲବାହୀ ଗାଡ଼ିଗୁଡ଼ିକୁ ଅଟକାଇ ସେମାନଙ୍କଠାରୁ ଟଙ୍କା ଆଦାୟ କରୁଥିବା ଜଣେ କାର୍ଯ୍ୟରତ କର୍ମଚାରୀଙ୍କୁ ପାହାଳ ଫାଣ୍ଡି ପୁଲିସ ଅଟକ ରଖି ପଚରାଉଚରା ଚଳାଇଛି। ଅଟକ କର୍ମଚାରୀଙ୍କ ନାମ ବସନ୍ତ ପରିଜା (୪୦)। ସେ କଟକ ଜିଲ୍ଲା କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟି ସଂସ୍ଥାରେ ଜଣେ ଚତୁର୍ଥ ଶ୍ରେଣୀର କର୍ମଚାରୀ ବୋଲି ସୂଚନା ମିଳିଛି। ଏଥିସହିତ ପୁଲିସ ଏଥିରେ ବ୍ୟବହୃତ ବୋଲେରୋ ଗାଡ଼ି ଓ ନିୟନ୍ତ୍ରିତ ବଜାର କମିଟି କେନ୍ଦୁପାଟଣା ଲେଖାଥିବା ନକଲି ସାଇନ୍‌ବୋର୍ଡକୁ ମଧ୍ୟ ଜବତ କରି ଅନୁସନ୍ଧାନ ଚଳାଇଛି। ଘଟଣାର ସତ୍ୟତା ଜାଣିବା ପାଇଁ ପାହାଳ ଫାଣ୍ଡି ପୁଲିସ ସଂସ୍ଥାର ବରିଷ୍ଠ ଅଧିକାରୀଙ୍କ ସହିତ କଟକ ଉପ ଜିଲ୍ଲାପାଳ ସୁକାନ୍ତ ପ୍ରଧାନଙ୍କୁ ମଧ୍ୟ ଯୋଗାଯୋଗ କରିଥିଲା। ଏହି ଘଟଣା ଆଜି ଏଠାରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି।

ପୁଲିସ ସୂଚନା ଅନୁଯାୟୀ ବସନ୍ତ ଏହି ସଂସ୍ଥାର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ସେ ବୋଲେରେରେ ସଂସ୍ଥା ନାମରେ ନକଲି ସାଇନ୍‌ବୋଡ୍‌ର୍ ମାରି ଭୁବନେଶ୍ୱର-କଟକ ଜାତୀୟ ରାଜପଥ ସମେତ ନଖରା-ନିଆଳି ରାସ୍ତାରେ ଗାଡ଼ିଗୁଡ଼ିକୁ ଅଟକାଇ ଯାଞ୍ଚ କରିବା ବାହାନାରେ ବଟି ଆଦାୟ କରୁଥିଲେ। କଟକସଦର ଥାନା ପୁଲିସ ଓ ଉପରିସ୍ଥ ଅଧିକାରୀଙ୍କୁ ପ୍ରଭାବିତ କରି ସେ ଦୀର୍ଘଦିନ ହେଲା ଏଭଳି ଠକେଇ କାର୍ଯ୍ୟରେ ଲିପ୍ତଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି । କିନ୍ତୁ ମଙ୍ଗଳବାର ବିଳମ୍ବିତ ରାତିରେ ସେ ନଖରାଗଡ଼ା ନିକଟରେ ହାଇଦ୍ରାବାଦ ଯାଉଥିବା ଏକ ଚାଉଳ ବୋଝେଇ ଟ୍ରକ୍‌କୁ ଅଟକାଇ ଟଙ୍କା ମାଗୁଥିଲେ। ଦ୍ରବ୍ୟ ପରିବହନ ନେଇ ସବୁ କାଗଜପତ୍ର ଠିକ ଥିବା କହି ଗାଡ଼ି ଚାଳକ ଟଙ୍କା ନଦେବାରୁ ସେଠାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଉପସ୍ଥିତ ସ୍ଥାନୀୟ ଲୋକନ ଏ ସଂପର୍କରେ ପାହାଳ ଫାଣ୍ଡିକୁ ଫୋନ୍‌ କରି ଜଣାଇଥିଲେ। ଖବର ପାଇ ପାହାଳ ଫାଣ୍ଡି ଅଧିକାରୀ ଓମ୍‌ ପ୍ରକାଶ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ବସନ୍ତ ଓ ବୋଲେରୋ ଚାଳକଙ୍କୁ ଅଧିକ ପଚରାଉଚରା କରିବା ପରେ ଏପରି ଠକେଇର ପର୍ଦାଫାସ ହୋଇଥିଲା।

ସମ୍ବନ୍ଧିତ ଖବର