ପାହାଳ ନିକଟରେ ଦୁର୍ଘଟଣା: ହେଲପର ମୃତ, କଟକ-ଭୁବନେଶ୍ୱର ଜାତୀୟ ରାଜପଥରେ ଅଟକିଲା ଶତାଧିକ ଯାନବାହନ

ଭୁବନେଶ୍ୱର: ଜାତୀୟ ରାଜପଥ ୧୬ ନମ୍ବରସ୍ଥିତ ପାହାଳ ନିକଟରେ ଟ୍ରକକୁ ପଛପଟରୁ ଟିପର ଶକ୍ତ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ହେଲପରଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଗୁରୁତର ହୋଇଥିବା ଚାଳକଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ କଟକରୁ ଭୁବନେଶ୍ୱର ଯାଇଥିବା ଜାତୀୟ ରାଜପଥ ସାମୟିକ ଭାବେ ବନ୍ଦ ହୋଇଯାଇଛି। ଫଳରେ ଶତାଧିକ ଗାଡ଼ି ଅଟକି ରହିଛି।

ସୂଚନା ଅନୁସାରେ ବାଲିଅନ୍ତା ଥାନା ଅନ୍ତର୍ଗତ ପାହାଳ ନିକଟରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଗୋଡ଼ି ବୋଝେଇ ଟିପର (ଓଡି ୧୩ଜି ୫୭୯୭) ପଛପଟରୁ ଆନ୍ଧ୍ରପ୍ରଦେଶର ଏକ ୧୮ ଚକିଆ ଟ୍ରକ (ଏପି ୩୯ ଡବ୍ଲୁ ୭୭୩୭)କୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଏଥିରେ ଥିବା ହେଲପର ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି। ଦୁର୍ଘଟଣା ଯୋଗୁଁ ଟିପର ଚାଳକ ଗୁରୁତର ହେବାରୁ ତାଙ୍କୁ ଉଦ୍ଧାର କରାଯାଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଆନ୍ଧ୍ରପ୍ରଦେଶର ଟ୍ରକ ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ଅଛନ୍ତି।

ରିପୋର୍ଟ ଲେଖାଯିବା ବେଳକୁ କଟକ-ଭୁବନେଶ୍ୱର ରାସ୍ତା ଜାମ ହୋଇଛି। ବିଶେଷ କରି କଟକ ଦିଗରେ ଶତାଧିକ ଗାଡ଼ି ଅଟକି ରହିଛି। ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଗାଡ଼ି ୨ଟିକୁ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।

ସମ୍ବନ୍ଧିତ ଖବର