ମନେରହିବ ଏ ବଳିଦାନ, ତିନି ସାଙ୍ଗରୁ ଜଣେ ଚାଲିଗଲା

ସହିଦ ସୈନିକଙ୍କ ଜୟ ଜୟକାରରେ ଉଚ୍ଛୁଳି ପଡ଼ୁଥିଲା ଏୟାରପୋର୍ଟ। ସହିଦ ଓଡ଼ିଆ ପୁଅକୁ ସଲାମି ଦେବାକୁ ଲୋକାରଣ୍ୟ ପାଲଟିଥିଲା ପରିସର। ବନ୍ଧୁପରିଜନଙ୍କ ଆଖିରୁ ଲୁହ ଶୁଖୁଶୁଖୁ ପୁଣି ନିଗିଡ଼ି ଆସୁଥିଲା। ଶେଷ ଦର୍ଶନ ପାଇଁ ରାସ୍ତାରେ ଧାଡ଼ିବାନ୍ଧି ଛିଡ଼ା ହୋଇଥିଲେ ମ୍ରିୟମାଣ ଆବାଳବୃଦ୍ଧବନିତା। ଆଖିରେ ଲୁହ ନଥିଲା, କିନ୍ତୁ ଅନ୍ତର କାନ୍ଦୁଥିଲା। ଭିଡ଼ ଭିତରୁ ସେଇ ଗୋଟିଏ ସ୍ବର ଭାସି ଆସୁଥିଲା, ଜବତକ୍‌ ସୂରଜ ଚାନ୍ଦ ରହେଗା, ମନୋଜ-ପ୍ରସନ୍ନ କା’ ବଳିଦାନ ୟାଦ୍ ରହେଗା…

ସୋମନାଥ- ମନୋଜ- ତୃପ୍ତିରଂଜନ। ତିନିଜଣ ଥିଲେ ପିଲା ଦିନରୁ ଘନିଷ୍ଠ ସାଙ୍ଗ। ଏମିତି କୌଣସି କଥା ନଥିଲା ଯାହା ପରସ୍ପରକୁ କହୁ ନଥିଲେ। ପାଠପଢ଼ା ସରିଲା ପରେ ତିନି ଜଣ ଏକାଠି ଆର୍ମିରେ ଚାକିରି କରିବେ ବୋଲି ନିଷ୍ପତ୍ତି ନେଇଥିଲେ। କିନ୍ତୁ ସୋମନାଥ ଆଗୁଆ ଆର୍ମିରେ ଚାକିରି ପାଇଗଲେ ଆଉ ଏହାର ୬ମାସ ପରେ ମନୋଜ ଓ ତୃପ୍ତିରଂଜନ ସିଆରପିଏଫ୍‌ରେ ଚାକିରି ପାଇଲେ। କର୍ମକ୍ଷେତ୍ର ଅଲଗା ଅଲଗା ହୋଇଗଲା। କିନ୍ତୁ ସମ୍ପର୍କ ଅତୁଟ ଥିଲା। ପ୍ରତି ଦିନ ତିନି ସାଙ୍ଗ ଯାହା ବି ହୋଇଯାଉ ଫୋନ୍‌ରେ କଥା ହେଉଥିଲେ। କିନ୍ତୁ ଦୁଇ ଦିନ ହେଲା ମନୋଜ ଆଉ କଥା ହୋଇପାରୁନି। ସୋମନାଥ ଓ ତୃପ୍ତିରଂଜନ ବି ଫୋନ୍ ଧରିଲେ କେବଳ କାନ୍ଦରେ କାନ୍ଦରେ ସମୟ ବିତିଯାଉଛି। ତିନି ସାଙ୍ଗରୁ ଜଣେ ଚାଲିଗଲା। ସୋମନାଥ ଓ ତୃପ୍ତିରଂଜନ ଆଜି ମନୋଜଙ୍କ ମା’ଙ୍କ କୋଳରେ ମୁଣ୍ଡ ରଖି କାନ୍ଦୁଥିଲେ। ଆଉ ତାଙ୍କ ସମ୍ପର୍କୀୟମାନେ ଏହି କଥା କହୁଥିଲେ। ତୃପ୍ତିରଂଜନ କାନ୍ଦି କାନ୍ଦି କହୁଥିଲେ ଆମେ କେବଳ ତିନି ସାଙ୍ଗ ନଥିଲୁ ତିନି ଭାଇ ଥିଲୁ। ମନୋଜ ସବୁଠୁ ସାହସୀ ଥିଲା। ସବୁଥିରେ ନେତୃତ୍ବ ନେବାର କଳା ତା’ଠାରେ ଥିଲା। ନିମାପଡ଼ା କଲେଜରେ ଏନ୍‌ସିସି ନେବା ଦିନଠାରୁ ସେ ଆର୍ମିରେ ଯିବ ବୋଲି ନିଷ୍ପତ୍ତି ନେଇଯାଇଥିଲା। ଆର୍ମିରେ ଯାଇପାରିଲାନି କିନ୍ତୁ ସିଆର୍‌ପିଏଫ୍‌ରେ କମାଣ୍ଡୋ ହୋଇ ଯାଇଥିଲା। ଗାଁରୁ ଆରମ୍ଭ କରି କଲେଜ, ବାଟାଲିଅନ ପର୍ଯ୍ୟନ୍ତ ସବୁଠି ଥିଲା ସେ ସମସ୍ତଙ୍କର ପ୍ରିୟ। ୧୧ବର୍ଷ ହେଲା ସେ ସିଆର୍‌ପିଏଫ୍‌ରେ କାମ କରୁଥିଲା। ସେ ୬୩ ବାଟାଲିୟନ, ଅଯୋଧ୍ୟାରେ ଯୋଗଦେଇଥିଲା। ସେଠାରେ ପାଖାପାଖି ୧୦ ବର୍ଷ ଚାକିରି କରିବା ପରେ ୬ମାସ ତଳେ ଶ୍ରୀନଗରକୁ ତା’ର ବଦଳି ହୋଇଥିଲା। ଜାନୁଆରିରେ ଛୁଟିରେ ଆସି ‌ଫେରିଥିଲା। କିନ୍ତୁ ଏହା ଯେ ତା’ର ଶେଷ ଛୁଟି ଜାଣି ନଥିଲା। ତୃପ୍ତିରଂଜନ କାନ୍ଦି କାନ୍ଦି କହିଛନ୍ତି ଯେ, ୧୪ତାରିଖରେ ମନୋଜ ଆଉ ନାହାନ୍ତି ବୋଲି ତାଙ୍କୁ ବାଟାଲିଅନରୁ ଫୋନ୍ ଆସିଥିଲା। ମନୋଜର ପରିବାରକୁ ସମ୍ଭାଳିବାକୁ କୁହାଯାଇଥିଲା। ଯିଏ ନିଜ ଭାଇ ଭଳିଆ ସାଙ୍ଗକୁ ହରାଇଛି ସେ ବା କାହାକୁ ସମ୍ଭାଳିବ।

କାନ୍ଧ ଲଗାଇଲେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ, ପୁଲିସ ଡିଜି
ଅପରାହ୍‌ଣରେ ଓଡ଼ିଆ ସହିଦଙ୍କ ପାର୍ଥିବ ଶରୀର ବିମାନବନ୍ଦରରେ ପହଞ୍ଚିବା ପରେ ସିଆରପିଏଫ୍‌ ଯାବନମାନେ ତାଙ୍କୁ ବିମାନବନ୍ଦର ବାହାରକୁ ଆଣିଥିଲେ। ଗେଟ୍ ବାହାରକୁ ଆସିବା ପରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଅସିତ ତ୍ରିପାଠୀ ଏବଂ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଦୁଇ ସହିଦଙ୍କୁ କାନ୍ଧେଇ ଆଣିଥିଲେ। ଦୁଇ ସହିଦ ଯବାନଙ୍କୁ ପୁଲିସ ବିଭାଗର ଦୁଇ ମୁଖ୍ୟ କାନ୍ଧ ଲଗାଇବା ଉପସ୍ଥିତ ପୁଲିସ ଅଧିକାରୀଙ୍କୁ କେବଳ ଗର୍ବିତ କରି ନଥିଲା ବରଂ ଆଖିରୁ ଲୁହ ଝରାଇ ଦେଇଥିଲା।

ବିମାନବନ୍ଦରରେ ସଂଗଠନର ନାରାବାଜି
ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆଜି ବିମାନବନ୍ଦରରେ ଏବିଭିପି, ଓୟୁଏଟିର କୃଷି ମହାବିଦ୍ୟାଳୟ ଛାତ୍ରସଂସଦ, ନିଆଳି ଟାଉନ୍‌ କ୍ଲବ୍ ସମେତ ରାଜଧାନୀର ବିଭିନ୍ନ କଲେଜର ଛାତ୍ରଛାତ୍ରୀ, ବିଭିନ୍ନ ସଂଗଠନର ନେତୃବୃନ୍ଦମାନେ ଆସିଥିଲେ। ଆତଙ୍କବାଦ ବିରୋଧରେ ବିଭିନ୍ନ ସ୍ଳୋଗାନ ସହ ବୀର ଯବାନ ଅମର ରହେ ନାରାବାଜି କରିଥିଲେ।

ମହମବତି ଶୋଭାଯାତ୍ରା
ଭୁବନେଶ୍ବର: ପୁଲୱାମା ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଅର୍ଜୁନ ଚାରିଟେବଲ୍‌ ଟ୍ରଷ୍ଟ ପକ୍ଷରୁ ଏକ ମହମବତି ଶୋଭାଯାତ୍ରା ଏଜି ଛକଠାରୁ ମାଷ୍ଟର୍‌କ୍ୟାଣ୍ଟିନ୍ ଛକ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ। ଟ୍ରଷ୍ଟର ଅଧ୍ୟକ୍ଷ ସତ୍ୟଜିତ ରାୟ ଚୌଧୁରୀଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ଆଇନଜୀବୀ ସାମ୍ମୁଖ୍ୟର ସଭାପତି ଦେବାଶିଷ ମହାପାତ୍ର, ଅଭୟ କୁମାର ଶର୍ମା, ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରଜ୍ଞା ପରିମିତା ବେହେରା, ବିଶ୍ବଜିତ ରାୟ ଚୌଧୁରୀ, ଶକ୍ତିମୟ ସାହୁ, ଗଣେଶ୍ବର ମହାରଣା ଓ ବିଭୁ କୃଷ୍ଣ ପାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସହିଦଙ୍କ ଉଦ୍ଦେଶ୍ୟରେ ରକ୍ତଦାନ ଶିବିର
ଭୁବନେଶ୍ୱର: ପୁଲୱାମା ଆକ୍ରମଣରେ ଦେଶ ପାଇଁ ଜୀବନ ଦେଇଥିବା ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ୧୮ ତାରିଖ ସୋମବାର ସକାଳ ୮ ଟାରୁ ସ୍ଥାନୀୟ ନେହେରୁ ଯୁବ ପରିଷଦଠାରେ ଶ୍ରୀ ଶ୍ରୀ ବାଟ ମହାବୀର ବ୍ୟବସାୟୀ ସଂଘ ଓ ସମ୍ବାଦ-ଆମ ଓଡ଼ିଶାର ମିିଳିତ ଉଦ୍ୟମରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ। ଏ ନେଇ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇଥିଲା। ବୈଠକରେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାପାତ୍ର, ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ପ୍ରଭଞ୍ଜନ ପାଣିଗ୍ରାହୀ ଓ ହରେକୃଷ୍ଣ ପ୍ରଧାନ ଯୋଗଦାନ କରି ରକ୍ତଦାନ ସଂପର୍କରେ ଆଲୋଚନା କରିଥିଲେ। ସଂଘର ସଭାପତି ଦୀପକ କୁମାର ମହାପାତ୍ର, ସଂପାଦକ ରାକେଶ ପାତ୍ର, ସହ-ସଂପାଦକ ଚିନ୍ତାମଣି ମହାରଣା ଓ ଫିରୋଜ୍ ଖାନ୍, ଅକ୍ଷୟ ବେହେରା ଏବଂ ଶେଖ୍ ଗୁଖାରୀ ତଥା ଅନେକ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ରକ୍ତଦାନ ଶିବିର ପ୍ରସ୍ତୁତି ସଂପର୍କରେ ବିଭିନ୍ନ ନିଷ୍ପତ୍ତି ନେଇଥିଲେ। ଶିବିରରେ ୧୦୦ରୁ ଅଧିକ ରକ୍ତଦାତା ରକ୍ତଦାନ କରିବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପରିଶେଷରେ ସଂଘର ସଭାପତି ଅଧିକରୁ ଅଧିକ ରକ୍ତଦାତାଙ୍କୁ ଏହି ଶିବିରରେ ସାମିଲ କରି ଶିବିରକୁ ସଫଳ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଜନସାଧାରଣ ଓ ସ୍ବେଚ୍ଛା ରକ୍ତଦାତାଙ୍କୁ ଏହି ଶିବିରରେ ରକ୍ତଦାନ କରି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ଅନୁରୋଧ କରାଯାଇଛି। ଅଧିକ ସୂଚନା ପାଇଁ ୯୩୪୮୩୬୬୧୫୮ ଓ ୯୬୯୨୩୩୩୯୦୩ ରେ ଯୋଗାଯୋଗ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର